ଦୁବାଇ: ଅପରେସନ ସିନ୍ଦୂର ପରେ ଅପରସେନ ଦୁବାଇ ସଫଳ। ପାକିସ୍ତାନ ବ୍ୟାଟରଙ୍କୁ ଧୂଳି ଚଟାଇ ସଫଳ ହେଲା ସୂର୍ଯ୍ୟ ସେନା। ପୁଣି ମାତ୍ ଖାଇଲା ପାକିସ୍ତାନ। ଏସିଆ କପ୍ ୨୦୨୫ର ଷଷ୍ଠ ମ୍ୟାଚରେ ଆଜି ଭାରତ ପାକିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୮ ରନ୍‌ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ମାତ୍ର ୩ ୱିକେଟ ବିନିମୟରେ ମାତ୍ର ୧୫.୫ ଓଭର ଟାର୍ଗେଟ୍ ହାସଲ କରି ନେଇଛି।

ଭାରତୀୟ ଟିମ୍ ଅନ୍ତର୍ଜାତୀୟ ନିୟମ ଦୃଷ୍ଟିରୁ ଆତଙ୍କୀସ୍ତାନ ପାକିସ୍ତାନ ସହିତ କ୍ରିକେଟ ଖେଳିଥିଲା ସତ ହେଲେ ମନ ଭିତରେ ପହଲଗାମର ହତ୍ୟା ଭୁଲି ନଥିଲା। ଏଥିପାଇଁ ଟସ୍ ହାରିବା ପରେ ବି ପାକିସ୍ତାନ କ୍ୟାପ୍ଟେନ ସହିତ ହାତ ମିଳାଇ ନଥିଲେ ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ବୋଲିଂରେ ଭଲ ପ୍ରଦର୍ଶନ କରିବା ପରେ ଭାରତ ବ୍ୟାଟିଂରେ ବି ଜବରଦସ୍ତ ଜଲୱା ଦେଖାଇଥିଲା।

ପାକିସ୍ତାନର ୧୨୮ ରନ୍ ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ହେଲେ ଦ୍ୱିତୀୟ ଓଭରରେ ଶୁଭମନ ଗିଲ୍‌ଙ୍କ ୱିକେଟ୍ ଚାଲିଯିବା ପରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ସେତେବେଳେ ୨ ଓଭରରେ ଭାରତ ୨୨ ରନ୍ କରିଥିଲା। ​​​​​​​

​​​​​​​ଅନ୍ୟପଟେ ପାକିସ୍ତାନ ବୋଲର ଉପରେ ଧୁଆଁଦାର ପ୍ରହାର କରିଥିଲେ ଭାରତର ହିଟର ଅଭିଷେକ ଶର୍ମା। ହେଲେ ଚତୁର୍ଥ ଓଭରରେ ଦଳୀୟ ସ୍କୋର  ୪୪ ବେଳେ ଅଭିଷେକ ଶର୍ମା ୧୩ ବଲ୍‌ରେ ୩୧ର ବିସ୍ଫୋରକ ଇନିଂସ ଖେଳି ଆଉଟ ହୋଇଯାଇଥିଲେ। ଏହାପରେ କ୍ୟାପ୍ଟେନ ସୂର୍ଯ୍ୟ କୁମାର ଯାଦବ ଓ ତିଲକ ବର୍ମା ଦୁହେଁ ମିଶି ପାକିସ୍ତାନକୁ ପରାଜୟର ଦ୍ୱାରଦେଶକୁ ଟାଣି ନେଇଥିଲେ। ଦୁହେଁ ରକ୍ଷଣଶୀଳ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୯୭ ରନ୍‌ ପର୍ଯ୍ୟନ୍ତ ନେଇଥିଲେ। ଏହାପରେ ତିଲକ ବର୍ମାଙ୍କ ୱିକେଟ୍ ଯାଇଥିଲା। ସେ ୩୧ ବଲ୍‌ରେ ୩୧ ରନ୍ କରିଥିଲେ। ଶେଷ ବେଳକୁ ସୂର୍ଯ୍ୟ କୁମାର ଯାଦବ ପାକିସ୍ତାନ ବୋଲରଙ୍କୁ ଦୁର୍ବାର ପ୍ରହାର କରି ମ୍ୟାଚ୍ ଜିତାଇଥିଲେ।

କ୍ୟାପେଟ୍ ସୂର୍ଯ୍ୟ କୁମାର ଯାଦବ ୩୭ ବଲ୍‌ରେ ସର୍ବାଧିକ  ୪୭ ରନ୍ କରି ନଟ୍‌ ଆଉଟ ରହିଥିଲେ। ଶିବମ ଦୁବେ ମଧ୍ୟ ୧୦ ରନ୍ କରି ଅପରାଜିତ ଥିଲେ। ଫଳରେ ଭାରତ ୧୫.୫ ଓଭର ୩ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଥିଲା।

ଅନ୍ୟପଟେ ବ୍ୟାଟରଙ୍କ ପରି ଆଜି ପାକିସ୍ତାନ ବୋଲରମାନେ ବି ଖରାପ ପ୍ରଦର୍ଶନ କରିଥିଲେ। କେବଳ ସାଇମ ଆୟୁବ ୩ଟି ୱିକେଟ ହାସଲ କରିଥିଲେ। ବାକିଁ କୌଣସି ବୋଲରଙ୍କୁ ସଫଳତା ମିଳି ନଥିଲା। ଫଳରେ ଯୁଦ୍ଧ ମୈଦାନ ପରେ ଖେଳ ପଡ଼ିଆରେ ବି ପାକିସ୍ତାନକୁ ରଗଡ଼ି ଦେଇଛି ଇଣ୍ଡିଆ।