ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ଏକ ପ୍ରତିଶତ ଲୋକଙ୍କ ସମ୍ପତ୍ତି ୨୦୦୦ରୁ ୨୦୨୩ ମଧ୍ୟରେ ପ୍ରାୟ ୬୨ ପ୍ରତିଶତ ବଢିଛି । ଦକ୍ଷିଣ ଆଫ୍ରିକାର ଜି-୨୦ ଅଧ୍ୟକ୍ଷତାରେ ଜାରି ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ନୋବେଲ ପୁରସ୍କାର ବିଜେତା ଜୋସେଫ ଷ୍ଟିଗ୍ଲିଟଜଙ୍କ ନେତୃତ୍ୱରେ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ ବୈଶ୍ୱିକ ଅସମାନତା ସଂକଟ ସ୍ତରରେ ପହଞ୍ଚିଛି । ଏହା ଦ୍ୱାରା ଗଣତନ୍ତ୍ର, ଆର୍ଥିକ ସ୍ଥିରତା ଓ ଜଳବାୟୁ ପ୍ରଗତକୁ ବିପଦ ରହିଛି । ବୈଶ୍ୱିକ ଅସମାନତା ଉପରେ ସ୍ୱତନ୍ତ୍ର ବିଶେଷଜ୍ଞଙ୍କ ଜି-୨୦ ଅସାଧାରଣ ସମିତି ଜାଣିବାକୁ ପାଇଛି ଯେ ବିଶ୍ୱ ସ୍ତରରେ ଏକ ପ୍ରତିଶତ ଅର୍ଥାତ୍ ସବୁଠୁ ଧନୀ ଲୋକ ୨୦୦୦ ଓ ୨୦୨୪ ମଧ୍ୟରେ ନିର୍ମିତ ସମସ୍ତ ନୂଆ ସମ୍ପତ୍ତିର ୪୧ ପ୍ରତିଶତ ଅଂଶ ହାସଲ କରିଛନ୍ତି । ଅନ୍ୟପଟେ ନିମ୍ନ ଶ୍ରେଣୀରେ ଥିବା ଲୋକଙ୍କୁ କେବଳ ୧ ପ୍ରତିଶତ ଅଂଶ ମିଳିଛି । ଏହି ସମିତିରେ ଅର୍ଥଶାସ୍ତ୍ରୀ ଜୟତି ଘୋଷ, ବିନି ବିୟାନୀମା ଓ ଇମ୍ରାନ ବାଲୋଦିଆ ସାମିଲ ଥିଲେ

ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଏବଂ ଭାରତ ଭଳି କିଛି ଅଧିକ ଜନବହୁଳ ଦେଶରେ ମୁଣ୍ଡପିଛା ଆୟ ବୃଦ୍ଧି ପାଇବା ସହିତ ଆନ୍ତଃଦେଶୀୟ ଅସମାନତା ହ୍ରାସ ପାଇଛି । ଏହା ବିଶ୍ୱର ମୋଟ ଘରୋଇ ଉତ୍ପାଦ (GDP)ରେ ଉଚ୍ଚ-ଆୟକାରୀ ଦେଶଗୁଡ଼ିକର ଅଂଶକୁ କିଛିଟା ହ୍ରାସ କରିଛି । ଏଥିରେ କୁହାଯାଇଛି ଯେ ୨୦୦୦ରୁ ୨୦୨୩ ମଧ୍ୟରେ, ସବୁଠାରୁ ଧନୀ ଏକ ପ୍ରତିଶତ ଲୋକ ଅଧାରୁ ଅଧିକ ଦେଶରେ ସେମାନଙ୍କର ସମ୍ପତ୍ତିର ଅଂଶ ବୃଦ୍ଧି କରିଛନ୍ତି, ଯାହା ବିଶ୍ୱ ସମ୍ପତ୍ତିର ୭୪ ପ୍ରତିଶତ ଅଟେ ।

ରିପୋର୍ଟ ଅନୁସାରେ ଭାରତର ଶୀର୍ଷ ଏକ ପ୍ରତିଶତ ଲୋକଙ୍କ ଏହି ଅବଧି (୨୦୦୦ରୁ ୨୦୨୩)ରେ ସମ୍ପତ୍ତି ୬୨ ପ୍ରତିଶତ ବଢିଛି । ଚୀନରେ ଏହି ସଂଖ୍ୟା ୫୪ ପ୍ରତିଶତ । ଏଥିରେ କୁହାଯାଇଛି ଯେ ଅତ୍ୟଧିକ ଅସମାନତା ଏକ ବିକଳ୍ପ ଅଟେ । ଏହା ଅପରିହାର୍ଯ୍ୟା ନୁହେଁ ଏବଂ ରାଜନୈତିକ ଇଚ୍ଛାଶକ୍ତିରେ ଏହାକୁ ବଦଳା ଯାଇପାରିବ । ବୈଶ୍ୱିକ ସମନ୍ୱୟରୁ ଏହାକୁ ଅନେକ ମାତ୍ରାରେ ସୁଗମ କରାଯାଇ ପାରିବ ଓ ଏହି ସମ୍ୱନ୍ଧରେ ଜି-୨୦ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ରିପୋର୍ଟରେ ବୈଶ୍ୱିକ ପରିଣାମ ଉପରେ ନଜର ରଖିବା ଏବଂ ନୀତି ନିର୍ମାଣରେ ମାର୍ଗଦର୍ଶନ ପାଇଁ ଜଳବାୟୁ ପରିବର୍ତ୍ତନ ଉପରେ ଆଇପିସିସି ଆଧାରରେ ଏକ ଅନ୍ତର୍ଜାତୀୟ ଅସମାନତା ସମିତି ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି । ଦକ୍ଷିଣ ଆଫ୍ରିକାର ଜି-ର ଅଧ୍ୟକ୍ଷତାରେ ଆରମ୍ଭ ହେବାକୁ ଥିବା ଏହି ୟୁନିଟ୍ ସରକାରଙ୍କୁ ଅସମନାତା ଓ ଏହାର କାରଣ ଉପରେ ତଥ୍ୟ ଉପଲବ୍ଧ କରାଇବ । ରିପୋର୍ଟରେ କୁହାଯାଇଛି ଯେ ଉଚ୍ଚ ଅସମାନତା ବିଶିଷ୍ଟ ଦେଶରେ ସମନତା ଥିବା ଦେଶ ତୁଳନାରେ ଗଣତନ୍ତ୍ରର ପତନ ସମ୍ଭାବନା ସାତ ଗୁଣ ଅଧିକ ରହିଛି ।