ଲଣ୍ଡନ: ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ୍ ଏବଂ ବ୍ରିଟେନର ସବୁଠାରୁ ଧନୀ ବ୍ୟବସାୟୀଙ୍କ ମଧ୍ୟରେ ଗଣାଯାଉଥିବା ଗୋପୀଚାନ୍ଦ ପି ହିନ୍ଦୁଜାଙ୍କର ପରଲୋକ ହୋଇଛି। ୮୫ ବର୍ଷ ବୟସରେ ଲଣ୍ଡନରେ ତାଙ୍କର ବିୟୋଗ ହୋଇଥିବା ପିଟିଆଇରେ ଖବର ପ୍ରକାଶ ପାଇଛି ବୋଲି ଇକୋନୋମିକ୍ସ ଟାଇମ୍ସ ଖବର ଲେଖିଛି। 
ବ୍ୟବସାୟିକ ମହଲରେ 'ଜିପି' ଭାବରେ ପରିଚିତ ହିନ୍ଦୁଜା ଗତ କିଛି ସପ୍ତାହ ଧରି ଅସୁସ୍ଥ ଥିଲେ। ଲଣ୍ଡନର ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପାରିବାରିକ ସୂତ୍ରରୁ ଜଣାପଡ଼ିଛି। ପି.ହିନ୍ଦୁଜାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ସୁନୀତା, ପୁଅ ସଞ୍ଜୟ ଏବଂ ଧୀରଜ ଏବଂ ଝିଅ ରୀତା ଅଛନ୍ତି।
ସମ୍ଭ୍ରାନ୍ତ ହିନ୍ଦୁଜା ପରିବାର ଦ୍ୱିତୀୟ ପିଢ଼ିର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିବା ପି ହିନ୍ଦୁଜା, ତାଙ୍କ ବଡ଼ ଭାଇ ଶ୍ରୀଚାନ୍ଦ ହିନ୍ଦୁଜାଙ୍କ ମୃତ୍ୟୁ ପରେ ୨୦୨୩ ମେ ମାସାରେ କମ୍ପାନୀ ବ୍ୟବସାୟର ଦାୟିତ୍ୱ ନିଜ ହାତକୁ ନେଇଥିଲେ। ସେବେଠାରେ ସେ କମ୍ପାନୀର ପରିଚାଳନା କରୁଥିଲେ।

ହିନ୍ଦୁଜା ସାମ୍ରାଜ୍ୟର ବାଦଶାହ

ପରାଧିନ ଭାରତରୁ ଯାତ୍ରା ଆରମ୍ଭ କରିଥିବା ଏକ ବ୍ୟବସାୟିକ ପରିବାରରେ ଜନ୍ମଗ୍ରହଣ କରିଥିବା ଗୋପୀଚାନ୍ଦ ହିନ୍ଦୁଜା ୧୯୫୯ ମସିହାରେ ମୁମ୍ବାଇରେ ପାରିବାରିକ ଉଦ୍ୟୋଗରେ ଯୋଗ ଦେଇଥିଲେ। ଦଶନ୍ଧି ଧରି, ସେ ହିନ୍ଦୁଜା ଗ୍ରୁପକୁ ପାରମ୍ପରିକ ଭାରତ-ମଧ୍ୟପ୍ରାଚ୍ୟ ବାଣିଜ୍ୟରୁ ଏକ ବିଶ୍ୱ ଶିଳ୍ପ ପାୱାରହାଉସରେ ପରିଣତ କରିବାରେ ସହଯୋଗ କରିଥିଲେ। ଜିପି ହିନ୍ଦୁଜାଙ୍କର ବ୍ୟାଙ୍କିଙ୍ଗ, ଆର୍ଥିକ କ୍ଷେତ୍ର, ଏନର୍ଜି(ଉର୍ଜା), ଅଟୋମୋଟିଭ୍, ମିଡିଆ ଏବଂ ବିନିର୍ମାଣ କ୍ଷେତ୍ରରେ ଖୁବ୍ ଆଗ୍ରହ ଥିଲା।

ଜିପି ହିନ୍ଦୁଜାଙ୍କ ନେତୃତ୍ୱରେ, କମ୍ପାନୀ ଅନେକ ଆଗକୁ ବଢିଛି। ଏକାଧିକ ଛୋଟବଡ଼ କମ୍ପାନୀର ଅଧିଗ୍ରହଣ କରିଛି। ଗୁରୁତ୍ୱପୂର୍ଣ୍ଣ ଅଧିଗ୍ରହଣ ମଧ୍ୟରେ ୧୯୮୪ ମସିହାରେ ଗଲ୍ଫ ଅଏଲ୍ ଏବଂ ୩ ବର୍ଷ ପରେ ଅଶୋକ ଲେଲ୍ୟାଣ୍ଡକୁ ହିନ୍ଦୁଜା ଗ୍ରୁପ ଅଧିଗ୍ରହଣ କରିଥିଲା। ସ୍ୱାଧୀନ ଭାରତରେ ଏହା ପ୍ରମୁଖ ଏନଆର୍‌ଆଇ-ନେତୃତ୍ୱାଧୀନ ଏକ ବଡ଼ ନିବେଶ ଥିଲା।

ହିନ୍ଦୁଜା ଗ୍ରୁପର ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ମୁମ୍ବାଇର ଜୟ ହିନ୍ଦ କଲେଜରୁ ସ୍ନାତକ କରିଥିବା ଜିପିଙ୍କୁ ବ୍ୟବସାୟରେ ତାଙ୍କର ଅବଦାନ ପାଇଁ ଏକାଧିକ ସମ୍ମାନରେ ସମ୍ମାନିତ କରାଯାଇଛି। ଲଣ୍ଡନର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟରୁ ଆଇନରେ ସମ୍ମାନଜନକ ଭାବେ ଡକ୍ଟରେଟ୍ ଏବଂ ରିଚମଣ୍ଡ କଲେଜରୁ ଅର୍ଥନୀତିରେ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି।

Image​​​​​​​

ପାରିବାରିକ ବ୍ୟବସାୟ ଯାତ୍ରା

ହିନ୍ଦୁଜା ଗ୍ରୁପର ବ୍ୟବସାୟିକ ଯାତ୍ରା ଆରମ୍ଭ ହୁଏ ୧୯୧୯ ମସିହା ଇରାନରୁ। ପ୍ରତିଷ୍ଠାତା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜା ସିନ୍ଧ (ସେତେବେଳେ ଭାରତର ଏକ ଅଂଶ ଥିଲା ବର୍ତ୍ତମାନ ଏହା ପାକିସ୍ତାନରେ)ରୁ ଇରାନକୁ ଚାଲିଆସି ଏକ ବିଶ୍ୱସ୍ତରୀୟ କମ୍ପାନୀର ମୂଳଦୁଆ ପକାନ୍ତି। ସେଠାରେ ଏହି ଗ୍ରୁପ୍ ଦୀର୍ଘ ୬୦ ବର୍ଷ ଧରି ବ୍ୟବସାୟ ପରିଚାଳନ କରିବା ସହିତ ବିଶ୍ୱ ସ୍ତରରେ ନିଜର ବ୍ୟବସାୟ ବିସ୍ତାର କରିବା ଆରମ୍ଭ କରିଦିଏ। ଏହାପରେ ୧୯୭୯ ମସିହାରେ ହିନ୍ଦୁ ଗ୍ରୁପ ଇରାନରୁ ଏହାର ମୁଖ୍ୟାଳୟକୁ ଲଣ୍ଡନକୁ ସ୍ଥାନାନ୍ତିରତ ହୁଏ। କମ୍ପାନୀ ପାଇଁ ଆନ୍ତର୍ଜାତୀୟ ପ୍ରସାରର ଏକ ନୂଆ ଯୁଗ ଆମ୍ଭ ହୁଏ।

ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ଆଜି ମୁମ୍ବାଇସ୍ଥିତ ହିନ୍ଦୁଜା ଗ୍ରୁପ୍ ସାରା ବିଶ୍ୱରେ ପ୍ରାୟ ୨୦୦,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛି। ଯାହାର ବ୍ୟବସାୟ ପାଇନାନ୍ସ, ଅଟୋମୋଟିଭ୍, ଏନର୍ଜି, ମିଡିଆ ଏବଂ ଟେକ୍ନୋଲୋଜୀ କ୍ଷେତ୍ରରେ ରହିଛି।

ଏହି ବ୍ୟବସାୟିକ ପରିବାରର ଏକ ପ୍ରଭାବଶାଳୀ ରିଅଲ୍ ଇଷ୍ଟେଟ୍ ପୋର୍ଟଫୋଲିଓ ବି ରହିଛି। ସେମାନଙ୍କର ସବୁଠାରୁ ପ୍ରସିଦ୍ଧ ସମ୍ପତ୍ତି, ହ୍ୱାଇଟହଲ୍‌ରେ ଥିବା ଐତିହାସିକ ପୁରୁଣା ଯୁଦ୍ଧ କାର୍ଯ୍ୟାଳୟ କୋଠା। ଏହି କୋଠା ବର୍ତ୍ତମାନ ରାଫେଲ୍ସ ଲଣ୍ଡନ ହୋଟେଲ ନାଁରେ ରୂପାନ୍ତରିତ ହୋଇଛି। ଯାହା ସେପ୍ଟେମ୍ବର ୨୦୨୩ରେ ଖୋଲିଥିଲା। ସେହିପରି ବକିଙ୍ଗହାମ୍ ପ୍ୟାଲେସ୍ ନିକଟରେ ଏକ ପ୍ରତିଷ୍ଠିତ କାର୍ଲଟନ୍ ହାଉସ୍ ଟେରାସ୍ ଏରିଆରେ  ମଧ୍ୟ ତାଙ୍କର ସମ୍ପତ୍ତି ରହିଛି।

ଗୋପୀଚାନ୍ଦ ହିନ୍ଦୁଜା ଲଣ୍ଡନରେ ରହୁଥିବା ବେଳେ, ତାଙ୍କ ସାନ ଭାଇ ପ୍ରକାଶ ମୋନାକୋରେ ରହୁଚନ୍ତି। ଏବଂ ସବୁଠାରୁ ସାନ ଭାଇ ଅଶୋକ ମୁମ୍ବାଇରୁ ଭାରତରେ ପାରିବାରିକ ବ୍ୟବସାୟ ପରିଚାଳନା କରୁଛନ୍ତି।

ଦଶନ୍ଧି ଧରି ଗୋପୀଚାନ୍ଦ ହିନ୍ଦୁଜା ପାରିବାରିକ ବ୍ୟବସାୟ ପରିଚାଳନା ସହିତ ସହିତ ପରମ୍ପରା କାଏମ ରଖିଥିଲେ। ଦାନଧର୍ମ କରିବାରେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ତାଙ୍କର ପରଲୋକରେ ଉଭୟ ଭାରତ ଓ ୟୁକେର ବ୍ୟବସାୟିକ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି।

 

 

​​​​​​​