ନୂଆଦିଲ୍ଲୀ,  ୪ |୧୧  : ଦିନକୁ ଦିନ ବଢିବାରେ ଲାଗିଛି ସୁନା ଦର । ଭରିକୁ ଲକ୍ଷେ ଟଙ୍କା ଉପରେ ରହିଛି ହଳଦିଆ ଧାତୁର ଦାମ୍ । ଆଗକୁ ଏହା ଆହୁରି ବଢିବ ବୋଲି ପୂର୍ବାନୁମାନ କରୁଛନ୍ତି ବିଶେଷଜ୍ଞ । ତେଣୁ ଲୋକେ ଏବେଠୁ ସୁନା କିଣି ସାଇତି ରଖୁଛନ୍ତି । ହେଲେ ସୁନାକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ବଲଗେରିଆର ପ୍ରସିଦ୍ଧ ଜ୍ୟୋତିର୍ବିଦ୍ ବାବା ଭେଙ୍ଗା ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୬ରେ ସୁନା ଦର ଆକାଶ ଛୁଆଁ ରହିବ । ସାରା ବିଶ୍ବରେ ଆର୍ଥକ ସଙ୍କଟ ଦେଖାଯିବ । ଯାହାର ପ୍ରଭାବ ସୁନା ଦର ଉପରେ ପଡିବ ।  ଏବେ ୧୦ ଗ୍ରାମ୍ ସୁନା ଲକ୍ଷେ ୨୩ ହଜାର ଟଙ୍କାରେ ପହଁଚିଛି ଯାହା ଆଗକୁ ଆହୁରି ବଢିବ ।

ସାରା ବିଶ୍ବରେ ଦେଖାଯାଉଥିବା ଆର୍ଥିକ ସଙ୍କଟ ସିଧାସଳଖ ସୁନା ବଜାର ଉପରେ ପଡିବ । ତେଣୁ ସୁନାର ଦର ବଢିବା ସହ ଲୋକେ ଅଧିକରୁ ଅଧିକ ଟଙ୍କା ଏଥିରେ ନିବେଶ   କରିବେ । ଚାହିଦା ବଢିବାରୁ ସୁନାର ଦର ବେଲଗାମ ରହିବ ଓ ୨୫ରୁ ୪୦ ପ୍ରତିଶତ ଯାଏଁ ବୃଦ୍ଧି ଘଟିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଦୃଷ୍ଟିବାଧିତ ବାବା ଭେଙ୍ଗା ।

ଯଦି ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହୁଏ ତାହାଲେ ସୁନା ଦର ଲକ୍ଷେ ୬୨ ହଜାର ଟଙ୍କାରୁ ଲକ୍ଷେ ୮୨ ହଜାର ଟଙ୍କାରେ ପହଁଯିବ । ଯାହା ସର୍ବକାଳୀନ ରେକର୍ଡ ଅଟେ । ତେବେ ତାଙ୍କ ଅନୁମାନର କୌଣସି ଲିଖିତ ରେକର୍ଡ ନଥିବାରୁ ଅନେକ ତାଙ୍କୁ ଅବିଶ୍ବାସ କରିଥାନ୍ତି ।

ସୁନା ବ୍ୟବସାୟରେ ଜଡିତ କିଛି ବିଶେଷଜ୍ଞଙ୍କ କହିବା କଥା ହେଲା, ସୁନାରେ ନିବେଶ ସର୍ବଦା ସୁରକ୍ଷିତ ରହି ଆସିଛି । କିନ୍ତୁ ଅଧିକ ଟଙ୍କା ଏଥିରେ ନିବେଶ କଲେ ଦେଶରେ ନଗଦ ସଙ୍କଟ ଦେଖିବାକୁ ମିଳିପାରେ । ତେଣୁ ସ୍ଥିତି ଦେଖି ନିବେଶ କରିବା ଆବଶ୍ୟକ । ସେପଟେ ଗତ ମାସେ ଧରି ସୁନା ଲଗାତାର ବଢିବା ପରେ ନିକଟରେ ସାମାନ୍ୟ କମିଥିଲା । କିନ୍ତୁ ଏହା ଆଗକୁ ବଢିବ ବୋଲି ଆକଳନ କରାଯାଉଛି ।