LIVE TV

ରୋମାଞ୍ଚକର ମ୍ୟାଚ୍‌ରେ ଭାରତର ପରାଜୟ, ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

NEWS7
IND vs AUS

ଆଡିଲେଡ: ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଅଷ୍ଟ୍ରେଲିଆ। ଆଡିଲେଡର ଓଭାଲ ଗ୍ରାଉଣ୍ଡରେ ଖେଳା ଯାଇଥିବା ଦ୍ଵିତୀୟ ଦିନିକିଆରେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ହାରିଲା ଭାରତ। ବୃଥା ହେଲା ରୋହିତ ଓ ଆୟରଙ୍କ ଅର୍ଦ୍ଧଶତକ। ଆଉ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାତେଇବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି କଙ୍ଗାରୁ ଦଳ। ଭାରତ ଦ୍ଵାରା ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୪୬.୩ ଓଭରରେ ୮ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ମାଥ୍ୟୁ ସର୍ଟ ୭୪ ରନ କରିଥିବେ କୁପର କନୋଲି ଅପରାଜିତ ୬୧ ରନ କରି ନିଜ ଦଳକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଭାରତ ରୋହିତ ଶର୍ମାଙ୍କ ୭୩ ରନ, ଶ୍ରେୟସ ଆୟରଙ୍କ ୬୬ ରନ ଓ ଅକ୍ଷର ପଟେଲଙ୍କ ୪୪ ରନ ବଳରେ ୯ ଓ୍ଵିକେଟ୍ ହରାଇ ୨୬୪ ରନ କରିଥିଲା। ଆସନ୍ତା ୨୫ରେ ସିରିଜର ଅନ୍ତିମ ଦିନିକିଆ ଖେଳାଯିବ। ତେବେ ଅଧିନାୟକ ଭାବେ ଶୁଭମନ ଗିଲ୍ ପ୍ରଥମ ଦିନିକିଆ ସିରିଜ୍ ହାରିଛନ୍ତି। ସବୁଠୁ ବଡ଼ କଥା ୧୭ ବର୍ଷ ପରେ ଆଡିଲେଡରେ ଦିନିକିଆ ମ୍ୟାଚ୍ ହାରିଛି ଟିମ୍ ଇଣ୍ଡିଆ

୨୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆର ଆରମ୍ଭ ଖରାପ ଥିଲାମିଚେଲ୍ ମାର୍ଶ ୧୧ ରନ୍ କରି ଆଉଟ୍ ହୋଇଥିଲେ। ଟ୍ରାଭିସ୍ ହେଡ୍ ମଧ୍ୟ ୨୮ ରନ୍ କରିଥିଲେକିନ୍ତୁ ମାଥ୍ୟୁ ସର୍ଟ ୭୮ ବଲ୍ ରେ ୭୪ ରନ୍ କରି ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ। ମାଥ୍ୟୁ ରେନଶ ୩୦ ରନ୍ କରିଥିଲେ। ଆଲେକ୍ସ କ୍ୟାରି ୯ ରନ୍ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲେ ହେଁ ଦଳର ରନ ଗତି ଜାରି ରହିଥିଲା।

୧୩୨ ରନରେ ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା ଭାରତ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବ। ମ୍ୟାଚ୍ ଶେଷ ଆଡ଼କୁ ସଂଘର୍ଷପୂର୍ଣ୍ଣ ରହିଥିଲା। କିନ୍ତୁ ଯୁବ ଖେଳାଳି କୁପର୍ କନୋଲି ଅପରାଜିତ ଅର୍ଦ୍ଧଶତକ ଏବଂ ମିଚେଲ୍ ଓୱେନ୍ ୨୩ ବଲ୍‌ରେ ଦ୍ରୁତ ୩୬ ରନ୍ କରି ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ।  କନୋଲି ୬୧ ରନରେ ଅପରାଜିତ ଥିଲେ। ତୃତୀୟ ଦିନିକିଆ ମ୍ୟାଚ୍ ଅକ୍ଟୋବର ୨୫ରେ ସିଡନୀରେ ଖେଳାଯିବ। ଟିମ୍ ଇଣ୍ଡିଆର ଏବେ ଲକ୍ଷ୍ୟ ସିରିଜ୍ କ୍ଲିନ୍ ସୁଇପ୍ ଏଡାଇବା।

​​​​​​​ଏହା ପୂର୍ବରୁ ରୋହିତ ଶର୍ମାଙ୍କ ୯୭ ବଲ୍‌ରୁ ୭୩ ରନ୍, ଶ୍ରେୟସ ଆୟରଙ୍କ ୭୭ ବଲ୍‌ରୁ ୬୧ ରନ୍ ଏବଂ ଅକ୍ଷର ପଟେଲଙ୍କ ୪୧ ବଲ୍‌ରୁ ୪୪ ରନ ବଳରେ ଭାରତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୪ ରନ୍ କରିଥିଲା। ଲେଗ୍-ସ୍ପିନର ଆଡାମ ଜାମ୍ପା ଅଷ୍ଟ୍ରେଲିଆ ପାଇଁ ୬୦ ରନ୍ ଦେଇ ୪ ୱିକେଟ୍ ନେଇଥିଲେ। ଦ୍ରୁତ ବୋଲର ଜାଭିୟର ବାର୍ଟଲେଟ୍ ଚମତ୍କାର ବୋଲିଂ କରିଥିଲେ। ସେ ୩୯ ରନ୍ ରେ ତିନୋଟି ୱିକେଟ୍ ନେଇଥିଲେ। ସେ ବିରାଟ କୋହଲି (୦)ଙ୍କ ମୂଲ୍ୟବାନ ୱିକେଟ୍ ମଧ୍ୟ ନେଇଥିଲେ।