ନୂଆଦିଲ୍ଲୀ: ଗୌତମ ଆଦାନୀ ଗ୍ରୁପ୍‌ର କମ୍ପାନି ଏସିସି ଲିମିଟେଡ୍ ଉପରେ ଆୟକର ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ । ଆୟକର ବିଭାଗ ଏସିସି ଲିମିଟେଡ ଉପରେ ସମୁଦାୟ ୨୩.୦୭ କୋଟି ଟଙ୍କାର ଦୁଇଟି ଭିନ୍ନ ଭିନ୍ନ ଜରିମାନା ଲଗାଇଛି। ବିଭାଗ ଆସେସମେଣ୍ଟ ଇୟର ୨୦୧୫-୧୬ ପାଇଁ ଆୟର ଭୁଲ ବିବରଣୀ ପ୍ରସ୍ତୁତ କରିଥିବାରୁ ୧୪.୨୨ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି। ଅବଶ୍ୟ କମ୍ପାନି ଏହି ଜରିମାନାକୁ ଚାଲେଞ୍ଜ କରିବାକୁ ଯାଉଥିବା ସୂଚନା ଦେଇଛି।

ସେୟାର ବଜାରରେ କମ୍ପାନି ଦେଇଥିବା ସୂଚନା ଅନୁସାରେ, ନିର୍ଦ୍ଧାରିତ ସମୟ- ସୀମା ଭିତରେ କମ୍ପାନି ଆୟକର ଆୟୁକ୍ତ ସମ୍ମୁଖରେ ଏହି ଦୁଇ ଜରିମାନାର ବିରୋଧ କରିବ ଏବଂ କମ୍ପାନି ଉପରେ ଲଗାଯାଇଥିବା ଜରିମାନା ଉପରେ ରୋକ୍ ଲଗାଇବାକୁ ଦାବି କରିବ। କମ୍ପାନିକୁ ଏହି ଜରିମାନା ସମ୍ପର୍କିତ ନୋଟିସ ୨୦୨୫ ଅକ୍ଟୋବର ୧ରେ ମିଳିଥିଲା।

କମ୍ପାନିର କହିବା ଅନୁସାରେ ଏହି ଜରିମାନା ଫଳରେ କମ୍ପାନିର ଅନ୍ୟ କୌଣସି ଆର୍ଥିକ ଗତିବିଧି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ତେବେ ଆୟକର ବିଭାଗ ଯେଉଁ ନୋଟିସ କରିଛି ତାହା ୨୦୧୫-୧୬ ବର୍ଷ ପାଇଁ। ଏସମୟରେ ଗୌତମ ଆଦାନୀଙ୍କ କମ୍ପାନି ଏସିସି ଲିମିଟେଡକୁ ଅଧିଗ୍ରହଣ କରିନଥିଲା।

ସୂଚନାଥାଉକି, ଆଦାନୀ ସିମେଣ୍ଟର ଅଂଶ ଅମ୍ବୁଜା ସିମେଣ୍ଟର ସବସିଡାଏରୀ କମ୍ପାନି ହେଉଛି ଏସିସି। ଅମ୍ବୁଜା ସିମେଣ୍ଟ ପାଖରେ କମ୍ପାନିର ୫୦ ପ୍ରତିଶତରୁ ଅଧିକ ଶେୟାର ରହିଛି। ଆଦାନୀ ଗ୍ରୁପ୍ ୬.୪ ବିଲିୟନ ଡଲାରରେ ସ୍ବିଜରଲ୍ୟାଣ୍ଡଣ୍ ହୋଲିସମ ଗ୍ରୁପ୍ ଠାରୁ ଅମ୍ବୁଜା ସିମେଣ୍ଟ୍ସ ଏବଂ ଏହାର ସବସିଡାଏରୀ ଏସିସି ଲିମିଟେଡକୁ ୨୦୨୨ରେ ଅଧିଗ୍ରହଣ କରିଥିଲା।