ବଲାଙ୍ଗିର: ଗୋଟିଏ ମାସର ଲୋନ କିସ୍ତି ଦେଲେନାହିଁ ବୋଲି ଉଠାଇ ନେଲେ ଫାଇନାନ୍ସ କମ୍ପାନି କର୍ମଚାରୀ। ଆଉ ଏବେ ସେହି ବ୍ୟକ୍ତିଙ୍କୁ ପତ୍ତା ମିଳୁନଥିବା ଅଭିଯୋଗ। ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ବ୍ୟକ୍ତିଙ୍କ ପରିବାର ଲୋକେ। ଘଟଣା ଘଟିଛି ବଲାଙ୍ଗୀର ସହରରେ। ନିଖୋଜ ଥିବା ବ୍ୟକ୍ତି ଜଣକ ସଦର ଥାନା ଅନ୍ତର୍ଗତ ବାରପୁରୁଗିଆ ଗାଁର ମନୋଜ ସା।

ସୂଚନା ଅନୁସାରେ, ରବିବାର ଦିନ ପ୍ରାୟ ୨ଟା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ମନୋଜଙ୍କୁ ସାଙ୍ଗରେ ନେଇଯାଇଥିଲେ। ହେଲେ ଏଯାଏ ମନୋଜ ଘରକୁ ଫେରିନଥିବା ଅଭିଯୋଗ ଆଣି ଟାଉନ ଥାନାରେ ଏତଲା ଦେଇଛନ୍ତି ତାଙ୍କ ପତ୍ନୀ। ତେବେ ଟାଉନ ଥାନା  ଅଭିଯୋଗ ଆଧାରରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ।

ଜଣାପଡ଼ିଛି ମନୋଜ ଏକ କମ୍ପାନି ଠାରୁ ଋଣ ଆଣିଥିଲେ। ସବୁ ମାସରେ କିସ୍ତି ଦଉଥିଲେ। ହେଲେ ଗତ ମାସର କିସ୍ତି ଦେଇ ପାରିନଥିଲେ। ଯାହାକୁ ନେଇ ଫାଇନାନ୍ସ କମ୍ପାନିର କିଛି ଯୁବକ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଉଠାଇ ନେଇଥିଲେ । ତେବେ ଗତ କାଲି ରବିବାର ଥିବାବେଳେ କେମିତି କମ୍ପାନି କର୍ମଚାରୀ ଆସି ଏଭଳି ପଦକ୍ଷେପ ନେଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି ତାଙ୍କ ପତ୍ନୀ। ଏହା ସହ ଗୁଣ୍ଡାଙ୍କୁ ଲଗାଇ ଟଙ୍କା ରିକଭରି କରୁଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତଙ୍କ ପରିବାର ଲୋକ।  ଏନେଇ ଟାଉନ ଥାନା ପୋଲିସ ଦୁଇ ଜଣଙ୍କୁ ଉଠାଇ ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି।