ମୋରଡ଼ା: ନିଜ ଜନ୍ମ କଲା ଦୁଇ ଛୁଆକୁ ନିଛାଟିଆ ଜଙ୍ଗଲ ମଝିରେ ଛାଡ଼ି ଦେଲା ବାପା l ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକରେ l ବର୍ତ୍ତମାନ ଦୁଇ ଶିଶୁଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ପାଖରେ ରଖାଯାଇଥିବାବେଳେ, ସୋମବାର ସେମାନଙ୍କୁ ସିଡବ୍ଲୁସିକୁ ପଠାଯିବ।

ସୂଚନା ଅନୁଯାୟୀ, ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଡୁମୁରଡ଼ିହା ଗ୍ରାମର ଗୋବିନ୍ଦଚନ୍ଦ୍ର ମହାନ୍ତ ରବିବାର ପୂର୍ବାହ୍ନ ୧୦ଟାରେ ନିଜ ଗ୍ରାମର ଶିବ ମହାନ୍ତ, ମଙ୍ଗଲୀ ମହାନ୍ତ ଏବଂ ଅନ୍ୟ ଗ୍ରାମବାସୀଙ୍କ ସହିତ ନିକଟସ୍ଥ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ l

ତେବେ ଦିନ ପ୍ରାୟ ୧୨ଟା ବେଳେ ଘରକୁ ଫେରିବା ସମୟରେ ଜଙ୍ଗଲ ମଝି ଦେଇଯାଇଥିବା ସୁବର୍ଣ୍ଣରେଖା କେନାଲ ଉପରେ ଜଣେ ୩ ବର୍ଷର ପୁଅ ଏବଂ ଅଢେଇ ବର୍ଷର ଝିଅ ଛୁଆ ବସିଥିବାର ଦେଖିଥିଲେ l କିଛି ସମୟ ପରେ ଉକ୍ତ ଦୁଇ ଛୁଆ ପାଣି ପିଇବାକୁ କେନାଲକୁ ଓହ୍ଲାଇଥିଲେ l ଏହା ଦେଖି ଗୋବିନ୍ଦ କେନାଲକୁ ଯାଇ ଦୁଇ ଛୁଆକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ l

ତେବେ ଚିତ୍ରଡ଼ାକୁ ଆସିଥିବା କିଛି ଲୋଧା ଜନଜାତିର ଲୋକେ ଦୁଇ ଛୁଆକୁ ଦେଖି ଚିହ୍ନିପାରିଥିଲେ। ଯାହା ପରେ ଦୁଇ ଶିଶୁ ମୋରଡ଼ା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତ ଟିଆଁସୀ ଗ୍ରାମର ବାପି ମଲ୍ଲିକଙ୍କ ପୁଅ-ଝିଅ ବୋଲି ଜଣାପଡ଼ିଥିଲା। ଆଉ ଏହାର କିଛି ସମୟରେ ଦୁଇ ଭାଇଭଉଣୀଙ୍କୁ ନେବାକୁ ସେମାନଙ୍କ ଜେଜେ ବାପା ମୁନ୍ସୀ ମଲ୍ଲିକ ଆସିଥିଲେ। ହେଲେ ଦୁଇ ଶିଶୁ ତାଙ୍କ ସହ ଯାଇନଥିଲେ।

ସେପଟେ ଖବର ପାଇ ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ନାଏକ ଏବଂ ଲୋଧା ଉନ୍ନୟନ ସଂସ୍ଥାର ପୋଷଣ ସହାୟିକା ଅରୁଣା ପ୍ରଜାପତି ଗୋବିନ୍ଦଙ୍କ ଘରେ ପହଞ୍ଚି ଘଟଣା ବାବଦରେ ବୁଝିଥିଲେ ଏବଂ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ l ବର୍ତ୍ତମାନ ଉଦ୍ଧାର ଦୁଇ ଭାଇଭଉଣୀଙ୍କୁ ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ତାଙ୍କ ଘରେ ରଖିଛନ୍ତି l ଏବାବଦରେ ସିଡିପିଓ ବିଜୟଲକ୍ଷ୍ମୀ ଦଣ୍ଡପାଟ କହିଛନ୍ତି, ବାପି ମଲ୍ଲିକ ଦୁଇ ଶିଶୁଙ୍କୁ ଅମାନୁଷିକ ଭାବେ ଜଙ୍ଗଲରେ ଛାଡ଼ି ଚାଲିଯାଇଛନ୍ତି । ସୋମବାର ଦୁଇ ଛୁଆକୁ ସିଡବ୍ଲ୍ୟୁସିକୁ ପଠାଯିବ।

ଜଣାପଡ଼ିଛି ବାପି ମଲ୍ଲିକ ଦ୍ୱିତୀୟ ବିବାହ କରିଛନ୍ତି। ଆଉ ଏ ଦୁଇ ଶିଶୁ ତାଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ହୋଇଥିଲେ।   ବାପିଙ୍କ ପ୍ରଥମ ସ୍ତ୍ରୀ ଦୁଇ ମାସ ତଳେ ଆତ୍ମହତ୍ୟା କରିଛନ୍ତି l ଏମିତିରେ ଏହି କାରଣରୁ ବାପି ଏଭଳି କରିଥିବା ଅନୁମାନ କରାଯାଉଛି।