କଟକ: ଦୁର୍ଗାପୂଜା ଭସାଣି ହେବ ନିଶାମୁକ୍ତ ଓ ରୋଷଣୀ ହେବ ଡିଜେ ମୁକ୍ତ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକର ଦୁର୍ଗାପୂଜା ଭସାଣିକୁ ନିଶାମୁକ୍ତ ଓ ରୋଷଣୀକୁ ଡିଜେ ମୁକ୍ତ କରିବାକୁ ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିଛି କମିଶନରେଟ ପୋଲିସ।

ଚଳିତ ବର୍ଷ ନିଶା ମୁକ୍ତ ଓ ଡିଜେ ମୁକ୍ତ ସହ କମିଶନରେଟ ପୋଲିସ ପୂଜାକୁ ପ୍ରଦୂଷଣମୁକ୍ତ କରିବା ପାଇଁ 'ପଲିଥିନମୁକ୍ତ ଧରଣୀ' ସ୍ଳୋଗାନ ଦେଇଛି। କମିଶନରେଟ ପୋଲିସ ଦ୍ବାରା ପ୍ରସ୍ତୁତ ଏକ ଭିଡିଓ ଆଲବମ୍ ମଧ୍ୟ ରିଲିଜ୍ ହୋଇଛି। ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ ଏହି ଭିଡିଓ ଆଲବମର ଶୁଭ ଉନ୍ମୋଚନ କରିଛନ୍ତି। ପୋଲିସ ଅଧିକାରୀ, କର୍ମଚାରୀମାନଙ୍କ ଦ୍ବାରା ଏହି ଆଲବମ୍‌ଟି ପ୍ରସ୍ତୁତ ହୋଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହି ଆଲବମ୍‌ର ନିର୍ଦ୍ଦେଶନା ଦେଇଛନ୍ତି।

ଏହି ଅବସରରେ ପ୍ରତିକ୍ରିୟା ରଖି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ କହିଛନ୍ତି, ପୂଜାରେ ଅଧିକରୁ ଅଧିକ ମହିଳାଙ୍କୁ ସମ୍ପୃକ୍ତ କଲେ ଦୁର୍ଗାପୂଜା ଆପଣାଛାଏଁ ନିଶାମୁକ୍ତ ଓ ଡିଜେମୁକ୍ତ ହୋଇଯିବ।