କଟକ: ଉପର ପଡ଼ିଆରେ ବାଲିଯାତ୍ରା ନକରିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଟକ ମେୟର ସୁବାଷ ସିଂହ। ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ମେୟର ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଉପର ପଡ଼ିଆରେ ବାଲିଯାତ୍ରା କରିବାକୁ ଦାବି ରଖିଛନ୍ତି।

କଟକ ମେୟର କହିଛନ୍ତି, ଉପର ପଡ଼ିଆରେ ପ୍ରଥମେ ବାଲିଯାତ୍ରା ଆରମ୍ଭ ହୋଇଥିଲା। ତେଣୁ ଉପର ପଡ଼ିଆ ସହ ବାଲିଯାତ୍ରାର ଐତିହ୍ୟ ଯୋଡ଼ି ହୋଇ ରହିଛି। ସେ ଦୃଷ୍ଟିରୁ ଉପର ପଡ଼ିଆକୁ ବାଦ୍ ଦେଇ ବାଲିଯାତ୍ରା ଆୟୋଜନ କଳ୍ପନା କରାଯାଇପାରିବ ନାହିଁ।

ମେୟର ଆହୁରି ମଧ୍ୟ ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଶାସନ ଭିଡ଼ ନିୟନ୍ତ୍ରଣ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲା। କିନ୍ତୁ ଏଭଳି ବ୍ୟବସ୍ଥା ଅବାସ୍ତବ । ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ଏକ ଅବାସ୍ତବ ପରିକଳ୍ପନା ଓ ଯଦି ଉପର ପଡ଼ିଆରେ କେବଳ ପାର୍କିଂ କରାଯାଏ, ତେବେ ଉପର ପଡ଼ିଆରେ ହଜାର ହଜାର ଗାଡ଼ି ସହ ଲୋକଙ୍କ ଭିଡ଼ ଜମିବ ଓ ଭିଡ଼ ନିୟନ୍ତ୍ରଣ ସମ୍ଭବ ହେବ ନାହିଁ ବୋଲି ମେୟର ସୁବାଷ ସିଂହ କହିଛନ୍ତି।