ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଶସ୍ତା କରିବା ଚକ୍କରରେ ମହଙ୍ଗା ହେଉଛି ଖାଦ୍ୟ ସାମଗ୍ରୀ। କେନ୍ଦ୍ର ସରକାର ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବା ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରୁଛନ୍ତି। E20 ଭଳି ଜୈବ ଇନ୍ଧନ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଏହି ପଦକ୍ଷେପର ପ୍ରଭାବ ଧୀରେ ଧୀରେ ଏବେ ରୋଷେଇ ଘର ଉପରେ ପଡ଼ିଲାଣି। ବିଶେଷଜ୍ଞଙ୍କ ଅନୁଯାୟୀ, E20 ଇନ୍ଧନ ଯୋଗୁ ଯାନର ଇଞ୍ଜିନ ଦକ୍ଷତା ଓ ମାଇଲେଜ୍ ଉପରେ ପ୍ରଶ୍ନ ଉଠୁଥିବା ବେଳେ ଏପଟେ ରୋଟି, ପାଉଁରୁଟି ଏବଂ ବିସ୍କୁଟ ତିଆରି ପାଇଁ ବ୍ୟବହୃତ ପ୍ରମୁଖ ଶସ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି।

ଶିଳ୍ପ ବିଶେଷଜ୍ଞମାନେ କହିଛନ୍ତି ଯେ ମକାର ଏକ ବଡ଼ ଅଂଶ ଏବେ ଇଥାନଲ୍ ତିଆରି ପାଇଁ ବ୍ୟବହାର କରାଯାଉଛି। ପୂର୍ବରୁ ମକାକୁ ପଶୁ ଖାଦ୍ୟ ଭାବରେ ବ୍ୟବହାର କରାଯାଉଥିଲା। ମକା-ଆଧାରିତ ଇଥାନଲ୍ (ଡିଷ୍ଟିଲର୍ସ ଡ୍ରାଏଡ୍ ଗ୍ରେନ୍ସ ସଲୁବଲ୍ (DDGS) କୁହାଯାଉଥିବା)ର ଉପ-ଉତ୍ପାଦ(ବାଏ ପ୍ରଡକ୍ଟ) ଏବେ ଶସ୍ତା ଏବଂ ଅଧିକ ପ୍ରୋଟିନ୍ ଯୁକ୍ତ ପଶୁ ଖାଦ୍ୟ ହୋଇଯାଇଛି। ସେହିପରି ଗହମ ଚୋପା ଅର୍ଥାତ୍ ଭୁସର ମୂଲ୍ୟ ପ୍ରାୟ ୮୦-୧୦୦% ହ୍ରାସ ପାଇଛି। ଏହା ଅଟା, ମଇଦା, ଏବଂ ସୁଜି ଭଳି ପ୍ରମୁଖ ଗହମ ଉତ୍ପାଦର ମୂଲ୍ୟକୁ ପ୍ରଭାବିତ କରିଛି।

ଶ୍ରୀ ଶ୍ୟାମ ଆଗ୍ରୋ ବାୟୋଟେକ୍ ଲିମିଟେଡ୍ ନିର୍ଦ୍ଦେଶକ ରୋହିତ ଖୈତାନ କହିଛନ୍ତି ଯେ ଦୁଗ୍ଧ ଉତ୍ପାଦକମାନେ ଏବେ ମକା ଡିଡିଜିଏସ୍ କୁ ପ୍ରାଥମିକତା ଦେଉଛନ୍ତି। କାରଣ ଏଥିରେ ଅଧିକ ପ୍ରୋଟିନ୍ ଅଛି ଏବଂ ଏହା କମ ଖର୍ଚ୍ଚଯୁକ୍ତ। ଏହି କାରଣରୁ, ଗହମ ଭୁଷାର ଚାହିଦା ହ୍ରାସ ପାଉଛି ଏବଂ ମିଲରମାନେ ସେମାନଙ୍କର କ୍ଷତି ପୂରଣ ପାଇଁ ମଇଦା, ଏବଂ ସୁଜିର ମୂଲ୍ୟ ବୃଦ୍ଧି କରୁଛନ୍ତି। ପ୍ରକୃତରେ, ଗହମ ପ୍ରକ୍ରିୟାକରଣରେ ଭୁଷାର ଅଂଶ ମୋଟ ଉତ୍ପାଦନର ପ୍ରାୟ ୩୦%। ଭୁଷାର ମୂଲ୍ୟ ହ୍ରାସ ଯୋଗୁ ମିଲରମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ତେଣୁ ସେମାନେ ଗ୍ରାହକଙ୍କ ସହିତ ସିଧାସଳଖ ଜଡିତ ଗହମ ଉତ୍ପାଦର ମୂଲ୍ୟ ବୃଦ୍ଧି କରିଛନ୍ତି।

ଆଶ୍ୱସ୍ତିକର କଥା କ’ଣ?

ତଥାପି ଏଥିରେ କିଛି ଆଶ୍ୱସ୍ତି ଖବର ବି ରହିଛି। ଉତ୍ତର ଭାରତରେ ପ୍ରବଳ ବର୍ଷା ଯୋଗୁ, ଅଟା,ମଇଦା ଏବଂ ସୁଜିର ଚାହିଦା ହ୍ରାସ ପାଇଛି। ଯାହା ଫଳରେ ଏହି ଉତ୍ପାଦଗୁଡ଼ିକର ମୂଲ୍ୟ ପ୍ରାୟ ୧ ପ୍ରତିଶତରୁ ୧.୫% ହ୍ରାସ ପାଇଛି। ଏହା ବ୍ୟତୀତ, ସରକାର ଦର ବୃଦ୍ଧିକୁ ରୋକିବା ପାଇଁ ପାର୍ବଣ ଋତୁରେ ଗହମ ଷ୍ଟକ୍ ଉପରେ ନିୟନ୍ତ୍ରଣ ବୃଦ୍ଧି କରିଛନ୍ତି। ଶିଳ୍ପଗୁଡ଼ିକର କହିବା କଥା ହେଲା ଯେ ଯଦି ଗହମ ଭୁଷା ରପ୍ତାନି ତ୍ୱରାନ୍ୱିତ ହୁଏ, ତେବେ ଘରୋଇ ମୂଲ୍ୟକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇପାରେ। ଖୈତାନ କହିଛନ୍ତି ଯେ ଭୁଷାର ରପ୍ତାନି ମିଲରମାନଙ୍କୁ କ୍ଷତି ହ୍ରାସ କରିବ ଏବଂ ଗହମ ଉତ୍ପାଦର ମୂଲ୍ୟ ସ୍ଥିର ହେବ।

କ’ଣ କହିଲେ ବିଶେଷଜ୍ଞ?

ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ସମଗ୍ର ପରିସ୍ଥିତି ଦର୍ଶାଉଛି ଯେ ଜୈବ ଇନ୍ଧନ ପ୍ରତି ବଢ଼ୁଥିବା ଇଚ୍ଛା ରୋଷେଇ ଘର ଉପରେ ପରୋକ୍ଷ ଚାପ ପକାଇଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ ଯୋଗୁ, ରୋଟି ଏବଂ ଅନ୍ୟାନ୍ୟ ଗହମ ଆଧାରିତ ଉତ୍ପାଦର ମୂଲ୍ୟ ଏବେ ସାଧାରଣ ପରିବାରର ବଜେଟ ଉପରେ ଚାପ ପକାଉଛି।