News7 Logo

ଆଇସିସି ରାଙ୍କିଙ୍ଗରେ ବଡ଼ ପରିବର୍ତ୍ତନ, ସିକନ୍ଦର ଦିନିକିଆ ନମ୍ବର-୧ ଅଲରାଉଣ୍ଡର, ହାର୍ଦ୍ଦିକଙ୍କ ନିକଟତର ହେଲେ ନବି

NEWS7
ICC Ranking

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଜାରି ସଦ୍ୟତମ ଦିନିକିଆ ମାନ୍ୟତାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜିମ୍ବାଓ୍ଵେର ଅନୁଭବୀ ଅଲରାଉଣ୍ଡର ସିକନ୍ଦର ରଜା ପୁଣି ଥରେ ଅଲରାଉଣ୍ଡର ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି। ସେ ୩୦୨ ଅଙ୍କ ସହ ଆଫଗାନିସ୍ତାନର ଅଲରାଉଣ୍ଡର ମହମ୍ମଦ ନବି(୨୯୨ ଅଙ୍କ) ଓ ଅଜମତୁଲ୍ଲା ଉମରଜଇ(୨୯୬)ଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ନବି ତୃତୀୟ ଏବଂ ଉମରଜାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ରଜା ନିକଟରେ ଶ୍ରୀଲଙ୍କା ବିପକ୍ଷ ଦୁଇଟି ଦିନିକିଆରେ ୯୨ ରନ ଓ ଅପରାଜିତ ୫୯ ରନର ଇନିଂସ ଖେଳିଛନ୍ତି। ଏଥିସହ ଗୋଟିଏ ଓ୍ଵିକେଟ୍ ପାଇଛନ୍ତି। ୩୯ ବର୍ଷୀୟ ରଜା ବ୍ୟାଟିଂ ମାନ୍ୟତାରେ ୯ଟି ସ୍ଥାନ ଉପରକୁ ଉଠି ୨୨ତମ ସ୍ଥାନରେ ପହଞ୍ଚିଛନ୍ତି।

ଜିମ୍ବାଓ୍ଵେ ବିପକ୍ଷ ଦୁଇଟି ଦିନିକିଆ ଜିତିବା ପରେ ଶ୍ରୀଲଙ୍କା ଖେଳାଳିଙ୍କ ମଧ୍ୟ ମାନ୍ୟତାରେ ଉନ୍ନତି ଘଟିଛି। ବ୍ୟାଟିଂ ମାନ୍ୟତାରେ ପଥୁନ ନିଶଙ୍କା(୬୫୪ ପଏଣ୍ଟ) ସହ ସାତଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ସେ ସିରିଜରେ ୧୨୨ ରନ ଓ ୭୬ ରନର ଇନିଂସ ଖେଳିଛନ୍ତି। ଜନିଥ ଲିୟାନାଗେ ୧୩ଟି ସ୍ଥାନ ଉନ୍ନତି ଘଟାଇ ୨୯ମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂ ମାନ୍ୟତାରେ ଅସିଥ ଫର୍ଣ୍ଣାଣ୍ଡୋ ଛଅଟି ସ୍ଥାନ ଉପରକୁ ଉଠି ୩୧ମ ଏବଂ ଦିଲଶାନ ମଦୁଶଙ୍କା ଆଠଟି ସ୍ଥାନ ଉପରକୁ ଉଠି ୫୨ତମ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ ଦିନିକିଆ ବୋଲିଂ ମାନ୍ୟତାରେ ପୂର୍ବବତ୍ତ  ଶୀର୍ଷରେ  ଅଛନ୍ତି। ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୪ ଓ୍ଵିକେଟ୍ ନେବା ପରେ ୩୧ ରେଟିଂ ବୃଦ୍ଧି ସହ ୬୯୦ ପଏଣ୍ଟ ହାସଲ କରି ସାରିଛନ୍ତି। ଭାରତର ଶୁଭମନ ଗିଲ୍ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

ମହମ୍ମଦ ନବିଙ୍କୁ ଦିନିକିଆ ମାନ୍ୟତାରେ କ୍ଷତି ସହିବାକୁ ପଡ଼ିଥିବା ବେଳେ ଟି-୨୦ ଅଲରାଉଣ୍ଡର ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିକଟତର ହୋଇଛନ୍ତି। ନବି ୨୩୧ ଅଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି ଏବଂ ୨୫୨ ଅଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ଶୀର୍ଷରେ ଅଛନ୍ତି। ନବି ସାରଜାରେ  ଗତ ସପ୍ତାହରେ ଖେଳା ଯାଇଥିବା ୩ଟି ମ୍ୟାଚ୍‌ରେ ୪ ଓ୍ଵିକେଟ୍ ନେଇଥିଲେ। ସଂପ୍ରତି ଆଫଗାନିସ୍ତାନ ପାକିସ୍ତାନ ଓ ୟୁଏଇ ସହ ତ୍ରିକୋଣୀୟ ଟି-୨୦ ସିରିଜ୍ ଖେଳୁଛି। ଆଫଗାନିସ୍ତାନର ଇବ୍ରାହିମ ଜାରଦାନ ଦୁଇଟି ଅର୍ଦ୍ଧଶତକ ହାସଲ କରିବା ପରେ ଟି-୨୦ ମାନ୍ୟତାରେ ୧୨ଟି ସ୍ଥାନ ଉପରକୁ ଉଠି ୨୦ତମ ସ୍ଥାନରେ ପହଞ୍ଚିଛନ୍ତି। ​​​​​​​