LIVE TV

ଏସିଆ କପ୍ ଚାମ୍ପିଅନ୍ ପରେ ଟିମ୍ ଇଣ୍ଡିଆକୁ ପୁରସ୍କାର ବର୍ଷା, BCCI ପକ୍ଷରୁ ୨୧ କୋଟି ଘୋଷଣା

NEWS7
bcci

ମୁମ୍ବାଇ ୨୯।୦୯ : ଏସିଆ କପ୍‌ ୨୦୨୫ । ଫାଇନାଲ ମୁକାବିଲାରେ ପାକିସ୍ତାନ୍‌କୁ ହରାଇ ଚାମ୍ପିଅନ ହୋଇଛି ଟିମ୍‌ ଇଣ୍ଡିଆ । ୯ମ ଥର ପାଇଁ ହାତେଇଛି ଏସିଆ କପ୍‌ ଟ୍ରଫି । ଯାହାପରେ ବିସିସିଆଇ ତରଫରୁ ପୁରସ୍କାରର ବର୍ଷା ହୋଇଛି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ଏସିଆ କପ୍‌ରେ ଭାଗ ନେଇଥିବା ସମସ୍ତ ଖେଳାଳି ଓ ସହଯୋଗୀ ଷ୍ଟାଫ୍‌ଙ୍କୁ ୨୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି । ସୋସିଆଲ୍‌ ମିଡିଆ ଆକାଉଣ୍ଟ ‘X’ ଜରିଆରେ ଏହି ପୁରସ୍କାର ରାଶି ଘୋଷଣା ହୋଇଛି ।

ରବିବାର (ସେପ୍ଟେମ୍ବର ୨୮) ରେ ଦୁବାଇର କ୍ରିକେଟ ଷ୍ଟାଡିୟମ୍‌ରେ ଏସିଆ କପ୍‌ ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ପ୍ରଥମ ଟସ୍‌ ଜିତି ବୋଲି କରିବାକୁ ନିଷ୍ପତ୍ତି ନେଇଥିଲେ ଟିମ୍‌ ଇଣ୍ଡିଆ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ପାକିସ୍ତାନୀ ଟିମ୍‌ । ପୁରା ୨୦ ଓଭର ଖେଳିପାରିନଥିଲା ଟିମ୍‌ ପାକିସ୍ତାନ । ୮୪ ରନ୍‌ରେ ପାକିସ୍ତାନର ପ୍ରଥମ ଓ୍ୱିକେଟ୍‌ ପଡିଥିବା ବେଳେ ପରବର୍ତ୍ତୀ ୬୨ ରନ୍‌ରେ ବାକି ସବୁ ଓ୍ୱିକେଟ୍‌ ପଡିଥିଲା । ଯାହାଫଳରେ ପୁରା ଟିମ୍‌ ୧୯ ଓଭର ଗୋଟିଏ ବଲ୍‌ରେ ୧୪୬ ରନ୍‌ କରି ଅଲ୍ଆଉଟ୍‌ ହୋଇଯାଇଥିଲା ପାକିସ୍ତାନ । ଦଳ ପକ୍ଷରୁ ସାହିବଜାଦା ଫରହାନ୍‌ ସର୍ବାଧିକ ୫୭ ରନ୍‌ର ପାଳି ଖେଳିଥିଲେ । ତାଙ୍କ ପଛକୁ ଫକର ଜମାନଙ୍କ ୪୬ ରନ୍‌ ରହିଛି । ସେହିପରି ଭାରତୀୟ ବୋଲରଙ୍କ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ବୁମରାହ, ଚକ୍ରବର୍ତ୍ତୀ, ଅକ୍ଷର ୨ଟି ଲେଖାଏଁ ଓ୍ୱିକେଟ୍‌ ନେଇଥିଲେ ।

ସେପଟେ ୧୪୭ ରନ୍‌ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର । ହେଲେ ପାଓ୍ୱାର ପ୍ଲେରେ ଭାରତକୁ ଲାଗିଥିଲା ଟ୍ରିପଲ ଝଟ୍‌କା । ପ୍ରଥମ ଅଭିଷେକ ଶର୍ମା, ସୂର୍ଯ୍ୟକୂମାର ଯାଦବ ପରେ ଶୁଭମନ ଗିଲ୍‌ ଫେରିଯାଇଥିଲେ । ପରେ ପରେ ସଞ୍ଜୁ ସାମସନ, ଶିଭମ ଦୁବେ ଓ ତିଳକ ବର୍ମା ପାରିକୁ ସମ୍ଭାଳିଥିଲେ। ଯାହାଫଳରେ ଭାରତ ୧୯ ଓଭର ୪ଟିରେ ଟାର୍ଗେଟକୁ ହାସଲ କରିନେଇଥିଲା । ଆଉ ୯ମ ଥର ପାଇଁ ଏସିଆ କପ୍‌ ଟ୍ରଫି ହାତେଇଛି ।

ତେବେ ଏସିଆ କପ୍‌ରେ ଟ୍ରଫି ହାତେଇବା ପରେ ପୁରା ଦେଶରେ ଖୁସିର ମାହୋଲ ଥିବା ବେଳେ ବୋର୍ଡ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି । ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଏସିଆ କପ୍‌ରେ ଭାଗ ନେଇଥିବା ଖେଳାଳି ଓ ସମସ୍ତ ସହଯୋଗୀ ଷ୍ଟାଫ୍‌ଙ୍କ ପାଇଁ ୨୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ​​​​​​​