କେନ୍ଦ୍ରାପଡ଼ା: ବିଚ୍ ବଜାରରେ ମହିଳାଙ୍କୁ ଉଲଗ୍ନ କରି ନୃଶଂସ ଭାବେ ମାଡ଼ ମାରିଲେ ୩ ମହିଳା। ତାହାବି ପୁଣି ପୋଲିସ ଉପସ୍ଥିତିରେ। ଯାହାର ଭିଜୁଆଲ ବି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବରକୋଳି ଖଳା ବଜାରରେ।

ସୂଚନା ଅନୁସାରେ, ବରକୋଳି ଖଳା ବଜାରରେ ପାରୁଲ ମଣ୍ଡଳଙ୍କର ସରକାରୀ ଜାଗାରେ ଏକ ଦୋକାନ ଘର ରହିଛି। ଏହି ଦୋକାନ ଘରକୁ ସୁବାସ ମଣ୍ଡଳ ନାମକ ଜଣେ ବ୍ୟକ୍ତି କବଜା କରିବାକୁ ଉଦ୍ୟମ କରିଆସୁଥିଲେ। ହେଲେ ବିଫଳ ହେବାରୁ ଅକ୍ଟୋବର ୨୬ ତାରିଖରେ ଦୋକାନ ଘରେ ଭଙ୍ଗାରୁଜା କରିଥିଲେ । ଏନେଇ ପାରୁଲ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ପୋଲିସ ୨୯ ତାରିଖରେ ଘଟଣାର ତଦନ୍ତ କରିବା ପାଇଁ ଦୋକାନ ଘର ନିକଟକୁ ଆସିଥିବାବେଳେ ସୁବାସଙ୍କ ପରିବାରର ୩ ଜଣ ମହିଳା ପୋଲିସ ଉପସ୍ଥିତିରେ ପାରୁଲଙ୍କୁ ତଳେ ପକାଇ ବିଧା, ଗୋଇଠା ବର୍ଷା କରିଥିଲେ। ଏଥିରେ ପାରୁଲ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ବଡ଼ କଥା ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ମଧ୍ୟ କିଛି ନଦେଖିବା ପରି ସେଠାରୁ ପଳାଇଥିବା ଅଭିଯୋଗ ହୋଇଛି। ଏମିତିରେ ସ୍ଥାନୀୟ ପୋଲିସଠାରୁ ନ୍ୟାୟ ନପାଇ ପାରୁଲ ଓ ତାଙ୍କ ପରିବାର ଲୋକେ ଶୁକ୍ରବାର ଏସପିଙ୍କୁ ଭେଟିବା ପାଇଁ ଆସିଛନ୍ତି ।