LIVE TV

ସବୁ ସସପେନ୍ସ ସାଇଲେଣ୍ଟ, ସରପ୍ରାଇଜ କାର୍ଡ ଖେଳିଲେ ନବୀନ

NEWS7
Snehangini Chhuria

ଭୁବନେଶ୍ଵର: ନବୀନ କଲେ ଘୋଷଣା। ନୂଆପଡ଼ା ଦୁର୍ଗ ସୁରକ୍ଷିତ ରଖିବାକୁ ସ୍ନେହାଙ୍ଗିନୀ ଛୁରିଆ  ହେବେ ବିଜେଡି ସେନାପତି। ଦୀର୍ଘ କସରତ, ନୂଆପଡ଼ାରୁ ନବୀନ ନିବାସ ବୈଠକ ଆଲୋଚନା ପରେ ନୂଆପଡ଼ା ଉପନିର୍ବାଚନ ପାଇଁ ସରପ୍ରାଇଜ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ। ଦଳର ପୁରୁଖା ନେତା, ବେଶ ଅଭିଜ୍ଞ ରାଜନେତା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭରସା କରିଛି ବିଜେଡି। ଦଳର ସଭାପତି ନବୀନ ପଟ୍ଟନାୟକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।

ଏଥିସହ ସବୁ ଆକଳନ, କଳ୍ପନା ଜଳ୍ପନା, ଚର୍ଚ୍ଚା ସବୁ ଭୁଲ୍ ପ୍ରମାଣିତ ହୋଇଛି। ଅତାବିରର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ  ପ୍ରାର୍ଥୀ ଘୋଷଣା କରି ନବୀନ ପଟ୍ଟନାୟକ ରାଜ୍ୟ ରାଜନୀତିକୁ ଚମକାଇ ଦେଇଛନ୍ତି। ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। ଆଉ ତାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳିଛି। ଅତାବିରାର ଝିଅ ଏବେ ନୂଆପଡ଼ା ରଣାଙ୍ଗନରେ ସମ୍ଭାଳିବେ ବିଜେଡିର ମୋର୍ଚ୍ଚା। ଏହା ପୂର୍ବରୁ ବିଜେଡି ପ୍ରାର୍ଥୀ ଦୌଡ଼ରେ ଥିଲେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମହମ୍ମଦ ଆଦମ୍, ବିଜେଡିର ସାଧାରଣ ସଂପାଦକ ମନୋଜ ମିଶ୍ର ସହ ଆଉ କିଛି ନେତା। ତେବେ ଦଳ ସୁପ୍ରିମୋ ପୁରୁଖା ନେତ୍ରୀ, ରାଜନେତା ସ୍ନେହାଙ୍ଗିନୀଙ୍କ ଉପରେ କରିଛନ୍ତି ଭରସା।

ଦକ୍ଷତା ସାଙ୍ଗକୁ ଆନୁଗତ୍ୟ ଉପରେ ବୋଧହୁଏ ଲାଗିଛି ଷ୍ଟାମ୍ପ। ଏକାଧିକ ଆଶାୟୀ ଥିଲେ ବି ବରିଷ୍ଠତା, ଅଭିଜ୍ଞତା, ଦକ୍ଷତା ଓ ଲୋକପ୍ରିୟତା ସ୍ନେହାଙ୍ଗିନୀଙ୍କୁ ଦଳ  ରଣାଙ୍ଗନରେ ଓହ୍ଲାଇଛି। ତେବେ ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ବଡ଼ ଗୋଟି ଚାଳନା କରିଛନ୍ତି ନବୀନ ପଟ୍ଟନାୟକ। ନୂଆପଡ଼ା ମାଟି ସହ ଜଡ଼ିତ ନ ଥିବା ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରି ବିଜେଡି ନୂଆପଡ଼ାର ରାଜନୈତିକ ସମୀକରଣ ବଦଳାଇବାକୁ ଅଣ୍ଟା ଭିଡ଼ିଛି। ଛୁରିଆ ଦଳର ଅନେକ ପଦରେ କାମ କରିବା ସହ ସାଂଗଠନିକ ଦାୟିତ୍ଵ ମଧ୍ୟ ସମ୍ଭାଳିଛନ୍ତି। ସବୁ ସମୀକରଣକୁ ଦୃଷ୍ଟିରେ ରଖି ଦଳ ମୁଖିଆ ସରପ୍ରାଇଜ କାର୍ଡ ଖେଳିଛନ୍ତି। 

ନବାଗତ ଜୟ ଢୋଲକିଆ ଏବଂ ଅଭିଜ୍ଞ ଘାସିରାମ ମାଝୀ ଦଳ ଏବଂ ଲୋକ ସଂପର୍କ ଦୃଷ୍ଟିରୁ ବେଶ ମଜବୁତ ପ୍ରତିଦ୍ଵନ୍ଦ୍ଵୀ। କିନ୍ତୁ ୨୦୨୪ ନିର୍ବାଚନରେ ଶଙ୍ଖ ଚିହ୍ନକୁ ଜିତାଇଥିଲେ ନୂଆପଡ଼ାବାସୀ। ତେଣୁ ଶଙ୍ଖ ଚିହ୍ନ ବଳରେ ପାରମ୍ପରିକ ଭୋଟରଙ୍କୁ ନିଜ ସହ ରଖିବା ହିଁ ସ୍ନେହାଙ୍ଗିନୀ ପାଇଁ ଚ୍ୟାଲେଞ୍ଜ। ଦଳ ବଦଳ ଓ  ଅସନ୍ତୋଷଜନିତ ଭୋଟ୍ ବିଭାଜନରୁ ସେ କେତେ ଫାଇଦା ନେବେ ତାହା ସମୟ କହିବ। ରାଜ୍ୟରେ ଶାସନ ବଦଳିଛି ଏବଂ ୨୪ ବର୍ଷ ପରେ ବିଜେଡି ବିରୋଧୀ ଆସନରେ।

ଆଉ ଏବେ ବଡ଼ ସମସ୍ୟା ହେଲା ଦିବଙ୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଏବେ ବିଜେପିର ପ୍ରାର୍ଥୀ। ଅନୁକମ୍ପା ଭୋଟକୁ ଟାଣିବାକୁ  ବିଜେପି ପ୍ରୟାସ କରିବ।  ରାଜ୍ୟ ଓ ଦେଶରେ ଶାସନରେ ଥିବାରୁ ଏବଂ  ଦଳୀୟ ପାରମ୍ପରିକ ଭୋଟ୍ ଦୃଷ୍ଟିରୁ ଜୟଙ୍କ ପଲ୍ଲା ଭାରି। ସେପଟେ କଂଗ୍ରେସ ଘାସିରାମ ମାଝୀ ଗତ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ହୋଇ ବି  ଦୁଇ ନମ୍ବରରେ ରହିଥିଲେ। ତାଙ୍କର ନିଜସ୍ଵ ଭୋଟ୍ ସହ କଂଗ୍ରେସର ପାରମ୍ପରିକ ଭୋଟ୍ ପାଇବାକୁ ସେ ଆଶା ରଖିଛନ୍ତି। ବିଜେଡି ତାର ନିଜସ୍ଵ ଭୋଟ୍ ସହ ଦଳଡିଆଁ, ଅସନ୍ତୋଷ ଆଦି ଫ୍ୟାକ୍ଟରକୁ ଲକ୍ଷ୍ୟରେ ରଖିଛି।  ପ୍ରତ୍ୟେକ ପ୍ରତିଦ୍ଵନ୍ଦ୍ଵୀ ପରସ୍ପରର ଭୋଟ୍ ଭାଙ୍ଗିବା ଆଶା ବା ପ୍ରୟାସ କରିବା ସ୍ଵାଭାବିକ। ତେବେ ନୂଆପଡ଼ା ଜନତାଙ୍କ ରାୟ ହିଁ ସୁପ୍ରିମ। ଅପେକ୍ଷା ନଭେମ୍ବର ୧୪କୁ।