LIVE TV

ଆଉ ଦୁନିଆରେ ନାହାନ୍ତି ଅଭିନେତା ଅସରାନୀ, ୮୪ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ

NEWS7
Govardhan Asrani

ମୁମ୍ବାଇ: ଦୀପାବଳି ପର୍ବକୁ ନେଇ ପୂରା ଦେଶରେ ଉତ୍ସବର ମାହୋଲ ଥିବା ବେଳେ ବଲିଉଡ ଜଗତରୁ ଆସିଛି ଦୁଃଖଦ ଖବର। ଖ୍ୟାତାନାମା ହାସ ଅଭିନେତା ଶ୍ରୀଗୋବର୍ଦ୍ଧନ ଅସରାନୀଙ୍କ ପରଲୋକ ଘଟିଛି। ୮୪ ବର୍ଷ ବୟସରେ ସୋମବାର ଅପରାହ୍ଣ ୪ଟାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ପୁତୁରା ଅଶୋକ ଅସରାନୀ ତାଙ୍କ ନିଧନ ଖବର ବିଷୟରେ ସୂଚନା ଦେଇଛନ୍ତି। ହିନ୍ଦୀ ସିନେମାରେ ଅସରାନୀଙ୍କ ବଡ଼ ଯୋଗଦାନ ଦେଇଛନ୍ତି। ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି, ଯାହା ଆଜି ବି ଦର୍ଶକ ହୃଦୟରେ ରହିଛି। ​​​​​​​

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅସରାନୀଙ୍କ ମ୍ୟାନେଜର ବାବୁ ଭାଇ କହିଛନ୍ତି ଯେ, ଅସରାନୀଙ୍କୁ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆସରାନୀଙ୍କ ଛାତିରେ ପାଣି ଜମିଥିବା ନେଇ ରିପୋର୍ଟରୁ ଜଣା ପଡ଼ିଥିଲା। ତାଙ୍କର  ଚିକିତ୍ସା ଜାରି ରହିଥିଲା. କିନ୍ତୁ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ସମସ୍ତଙ୍କ ପ୍ରିୟ ହାସ୍ୟ ଅଭିନେତା ଅସରାନୀ । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ, ଅସରାନୀ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।

ସେପଟେ ତାଙ୍କ ମୃତ୍ୟୁ ପରେ ଖବର ପ୍ରଚାର ନକରିବାକୁ ଦେହାନ୍ତ ପୂର୍ବରୁ ନିଜ ପତ୍ନୀଙ୍କୁ କହିଥିଲେ ଅସରାନୀ।  ସେ ଚାହୁଁ ନ ଥିଲେ ତାଙ୍କ ମୃତ୍ୟୁ ପରେ ଶୋକର ମାହୋଲ ହେଉ। ତେଣୁ ପରଲୋକର କିଛି ଘଣ୍ଟା ପରେ ଅସରାନୀଙ୍କୁ ପରିବାର ଲୋକେ ଅନ୍ତିମ ସଂସ୍କାର କରିଥିଲେ।ମୁମ୍ବାଇର ଶାନ୍ତିନଗର ଶ୍ମଶାନରେ ପଞ୍ଚଭୂତରେ ବିଲୀନ ହୋଇଯାଇଛନ୍ତି ଗୋବର୍ଦ୍ଧନ ଅସରାନୀ । ବିଶିଷ୍ଟ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି ।

​​​​​​​ଅସରାନୀ  ୧୯୪୧ ଜାନୁଆରୀ ୧ରେ ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଜୟପୁରର ସେଣ୍ଟ ଜାଭିୟର୍ସ ସ୍କୁଲରେ ପଢିଥିଲେ। ତା'ପରେ ସେ ରାଜସ୍ଥାନ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଅସରାନୀ ୧୯୬୭ ମସିହାରେ "ହରେ କାଞ୍ଚ କି ଚୁଡିଆଁ" ଚଳଚ୍ଚିତ୍ର ମାଧ୍ୟମରେ ସିନେମା ଜଗତରେ ପାଦ ଦେଇଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

ଅସରାନୀ ପାଞ୍ଚ ଦଶନ୍ଧି ପର୍ଯ୍ୟନ୍ତ ଫିଲ୍ମ ଜଗତରେ କାମ କରିଛନ୍ତି। ସେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର କମେଡି ଓ ଚିତ୍ତାକର୍ଷକ ଅଭିନୟ ପ୍ରତିଟି ବଡ଼ ଫିଲ୍ମର ମୁଖ୍ୟ ଆକର୍ଷଣ ଥିଲା। ୧୯୭୦ରେ ଅସରାନୀଙ୍କୁ ସବୁଠୁ ଅଧିକ ଲୋକପ୍ରିୟତା ମିଳିଥିଲା। ତାଙ୍କର ଅନେକ ସଫଳ ଫିଲ୍ମରେ ମେରେ ଅପନେ କୌଶିକ, ବାବର୍ଚି, ପରିଚୟ, ଅଭିମାନ, ଚୁପକେ-ଚୁପକେ, ଛୋଟି ସି ବାତ, ରଫୁ ଚକ୍କର ଓ ବ୍ଲକବଷ୍ଟର ଫିଲ୍ମ ଶୋଲେ ସାମିଲ୍। ତାଙ୍କର ଅଭିନୟ ଏତେ ଜୀବନ୍ତ ଏବଂ ମନୋହର ଥିଲା ଯେ, ପ୍ରଶଂସକ ଓ ସିନେ ସମୀକ୍ଷକ ଭୁରି ଭୁରି ପ୍ରଶଂସା କରୁଥିଲେ।

ଅସରାନୀ ଅନେକ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ସେ ଚଲା ମୁରାରୀ ହିରୋ ବନନେ, ସଲାବ ମେମସାବ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଗୁଜରାଟି ସିନେମାରେ ମଧ୍ୟ ସେ ନିଜସ୍ଵ ଛାପ ଛାଡ଼ିଛନ୍ତି। ​​​​​​​