ଜୟପୁର,୭|୦୬:ମାତ୍ର ଦୁଇ ବର୍ଷ । ହେଲେ ପ୍ରାଣ ହରାଇଛନ୍ତି ୫୦୦ରୁ ଅଧିକ କୃଷକ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନରେ । ଯେଉଁଠି କୀଟନାଶକ ନେଇଛି ଶହ ଶହ କୃଷକଙ୍କ ଜୀବନ । ରାଜସ୍ଥାନ ବିଧାନସଭାରେ ଦାଖଲ ରିପୋର୍ଟରୁ ଏପରି ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି ।

କୃଷି ବିଭାଗର ତଥ୍ୟ ଅନୁସାରେ, ୨୦୨୪ ଜାନୁଆରୀରୁ ୨୦୨୬ ଜାନୁଆରୀ ମଧ୍ୟରେ ଚାଷ କାମ ବେଳେ କୀଟନାଶକ ସମ୍ପର୍କରେ କୃଷକମାନେ ଆସିଛନ୍ତି । ଫଳରେ ସେମାନେ ପ୍ରାଣ ହରାଇଛନ୍ତି । ବିକାନୀରରେ ସର୍ବାଧିକ ମୃତ୍ୟୁ ହୋଇଛି । ଏହାପରେ ଚୁରୁ, ହନୁମମାନଗଡ ଏବଂ ଝାଲାବାଡରେ କୃଷକ ପ୍ରାଣ ହରାଇଛନ୍ତି । ଜୋଧପୁରରେ ୩୮ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଶ୍ରୀଗଙ୍ଗା ନଗର ଏବଂ ବ୍ୟାବରରେ ୩୧ ଜଣ ଲେଖାଏଁ କୃଷକ ମୃତ୍ୟୁ ମୁଖରେ ପଡିଛନ୍ତି ।

ଏଥିପାଇଁ ସରକାର କ୍ଷତିଗ୍ରସ୍ତ ଏବଂ ପ୍ରାଣ ହରାଇଥିବା କୃଷକଙ୍କ ପରିବାରକୁ ୫.୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତେବେ ଭିନ୍ନ ଭିନ୍ନ ସ୍ଥାନରେ କ୍ଷତିପୂରଣ ରାଶିରେ ଫରକ ସାମ୍ନାକୁ ଆସିଛି । ଅର୍ଥ ଏବଂ ମୃତକଙ୍କ ସଂଖ୍ୟାରେ ତାଳମେଳ ରହୁନି । ବୀକାନିରରେ କ୍ଷତିପୂରଣ ବାବଦରେ ୯୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଚୁରୁକୁ ୭୨ ଲକ୍ଷ, ଜୋଧପୁରକୁ ୫୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ତେବେ କୃଷି ବିଭାଗର ଦସ୍ତାବିଜରେ କୃଷକଙ୍କ ମୃତ୍ୟୁର ପ୍ରକୃତ ତଥ୍ୟ କୁହାଯାଇ ନାହିଁ । ଏଥିରେ ଚାଷ କାମ ବେଳେ କୀଟନାଶକ ପ୍ରୟୋଗ ସହ ଜଡିତ ମୃତ୍ୟୁ ସାମିଲ ରହିଛି । ଯାହାକୁ ଅଧିକାରୀମାନେ ବିଭାଗକୁ ପ୍ରଦାନ କରିଥିଲେ । କିଶୱନପୋଲ ବିଧାୟକ ଅମୀନ କାଗଜି କହିଛନ୍ତି ଯେ, ଚାଷ ଜମିରେ କାର୍ଯ୍ୟ କରିବା ସମୟରେ ଶହଶହ କୃଷକ ପ୍ରାଣ ହରାଇଛନ୍ତି । ସରକାର କେବଳ କ୍ଷତିପୂରଣ ଦେଇ ଦାୟିତ୍ୱରୁ ଓହରି ଯାଉଛନ୍ତି । କୀଟନାଶକ ବ୍ୟବହାର ପାଇଁ ଶକ୍ତ ଆନ୍ ଆସିବା ଜରୁରୀ । କୃଷକଙ୍କ ପାଇଁ ବ୍ୟାପକ ସୁରକ୍ଷା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ।

Also Read :- Salim Kumar Dies: ନ୍ୟାସନାଲ ଆୱାର୍ଡ ବିଜେତା ସଲିମ କୁମାରଙ୍କ ଦେହାନ୍ତ, ୫୬ ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

କୃଷକଙ୍କ ମୃତ୍ୟୁ ସହ ବିଧାନସଭାରେ ଆଉ ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । ଏହି ଦୁଇ ବର୍ଷର ଅବଧିରେ ୧୮୯ଟି କୀଟନାଶକର ନମୂନା ଗୁଣବତ୍ତା ପରୀକ୍ଷାରେ ବିଫଳ ହୋଇଛି । ରାଜସ୍ଥାନରେ ମୋଟ୍ ୫୫୭୦ କୀଟନାଶକ ମଧ୍ୟରୁ ୫୫୨୧କୁ ବିଶ୍ଲେଷଣ କରାଯାଇଥିଲା । ଯେଉଁଥିରେ ୫୩୩୨ ନମୂନା ମାନଦଣ୍ଡ ପୂରଣ କରୁଥିଲା । ୧୮୯ଟି ଅତି ନିକୃଷ୍ଟ ଥିଲା । ଯାହା ପରେ ଅଧିକାରୀମାନେ ଏବାବଦରେ କମ୍ପାନୀକୁ ନୋଟିସ କରିଥିଲେ । ୧୪ଟି ଲାଇସେନ୍ସ ବାତିଲ କରିବା ସହ ୨୨ଟି ରବ୍ଦ କରିଥିଲେ ।