ଜମ୍ମୁ ୨୯।୪: ଜମ୍ମୁ-କାଶ୍ମୀର ସରକାର ସୁରକ୍ଷା ଚିନ୍ତା କାରଣରୁ ଅନେକ ରିସୋର୍ଟ ଓ କେତେକ ପର୍ଯ୍ୟଟକ ସ୍ଥଳକୁ ମଙ୍ଗଳବାର ବନ୍ଦ କରିଦେଇଛନ୍ତି। ନିକଟରେ ପହଲଗାମରେ ଏକ ଆତଙ୍କୀ ଗୁଳିକାଣ୍ଡ ହୋଇଥିଲା ଏଥିରେ ୨୬ଜଣ ନିରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି କାରଣରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ନୈସର୍ଗିକ ପ୍ରାକୃତିକ ସୌନ୍ଧର୍ଯ୍ୟର ଗନ୍ତାଘର ଜମ୍ମୁ-କାଶ୍ମୀରରେ ସରକାର ୪୮ଟି ରିସର୍ଟ ବନ୍ଦ କରିଦେଇଛନ୍ତି। ଫଳରେ ଦୁଧପାତ୍ରୀ ଓ ଭୈରୀନାଗ ଭଳି ଅନେକ ପର୍ଯ୍ୟଟନ ସ୍ଥଳ ଏବେ ପର୍ଯ୍ୟଟକଙ୍କ ଲାଗି ବନ୍ଦ ହୋଇଯାଇଛି।
ମିଳୁଥିବା ସୂଚନା ଅନୁସାରେ ଜମ୍ମୁ-କାଶ୍ମୀର ସରକାର ସୁରକ୍ଷା ଏଜେନ୍ସୀଙ୍କ ପରାମର୍ଶରେ ଏହି ନିଷ୍ପତ୍ତି ନେଇଛନ୍ତି। କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ଏଜେନ୍ସୀମାନେ ପୂର୍ବରୁ ସତର୍କ କରିଥିଲେ। ଏହି କାରଣରୁ ୮୭ଟିରୁ ୪୮ଟି ପର୍ଯ୍ୟଟକସ୍ଥଳକୁ ବନ୍ଦ କରି ଦିଆଯାଇଛି। ସୁତ୍ର ଅନୁସାରେ ପହଲଗମରେ ହୋଇଥିବା ଆତଙ୍କବାଦୀ କାଣ୍ଡ ପରେ କିଛି ଲୁଚି ରହିଥିବା ଆତଙ୍କବାଦୀ (ସ୍ଲିପରସେଲ) ପୁଣି ସକ୍ରିୟ ହୋଇ ଉଠିଛନ୍ତି ଓ ସେମାନଙ୍କୁ ଏପରି କାଣ୍ଡ କରିବାକୁ ନିର୍ଦ୍ଦେଶ ମିଳିଥିବା କୁହାଯାଉଛି।
ଗୁଇନ୍ଦା ସୂଚନା ଅନୁସାରେ ପହଲଗାମ ଗୁଳିକାଣ୍ଡ ପରେ ସୁରକ୍ଷା ବଳ ଆତଙ୍କବାଦୀଙ୍କ ଘର ମାଟିରେ ମିଶାଇ ଦେଉଛନ୍ତି। ଏହାର ପ୍ରତିଶୋଧ ନେବା ପାଇଁ ଦି ରେଜିଷ୍ଟାନ୍ସ ଫୋର୍ସ (ଟିଆରଟି) କିଛି ଖାସ ଲୋକଙ୍କ ହତ୍ୟା ଓ ବଡ଼ ଆକ୍ରମଣର ଯୋଜନା କରୁଛି। ଏହି କାରଣରୁ ଗୁଲମର୍ଗ, ସୋନମର୍ଗ ଓ ଡାଲ ହ୍ରଦ ଭଳି ସମ୍ବେଦନଶୀଳ ପର୍ଯ୍ୟଟନସ୍ଥଳ ଉପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଓ ଆଣ୍ଟି ଫିଦାୟିନ୍ ସ୍କ୍ୱାର୍ଡ ମୁତୟନ କରି ଦିଆଯାଇଛି। ଏମିତିରେ ବି ଉପତ୍ୟାକାରେ ଆତଙ୍କବାଦ କାଣ୍ଡ ପରେ ସୁରକ୍ଷା ବଢାଇ ଦିଆଯାଏ।
ତେବେ ପହଲଗାମ କାଣ୍ଡର ପ୍ରଭାବ କାଶ୍ମୀରର ପ୍ରତ୍ୟେକ କ୍ଷେତ୍ର ଉପରେ ପଡିବ। ତେବେ ସବୁଠୁ ଅଧିକ ପ୍ରଭାବ ପର୍ଯ୍ୟଟନ ଉପରେ ପଡିବ। ଏଣୁ ଯେଉଁ ଲୋକେ କାଶ୍ମୀରରେ ହୋଟେଲ ଖୋଲିବା, ବ୍ୟବସାୟ ଆରମ୍ଭ କରିବା ଅଥବା ଫଳ ବ୍ୟବସାୟ କରିବାକୁ ଆଗ୍ରହୀ ଥିଲେ ସେମାନଙ୍କ ଭରସା ଏବେ ନ ରହିପାରେ। ଏଣୁ କାଶ୍ମୀରର ଅର୍ଥ ବ୍ୟବସ୍ଥା ଯାହା ଅନେକ ବର୍ଷ ପରେ ଧିରେ ଧିରେ ସ୍ୱଭାବିକ ହେଉଥିଲା ତାହା ପୁଣି ଦୁର୍ବଳ ହୋଇ ଯାଇପାରେ। ଏହାର ପ୍ରଭାବ କାଶ୍ମୀର ଲୋକଙ୍କ ଆୟ ଉପରେ ମଧ୍ୟ ପଡିବ।