ଭଦ୍ରକ ୦୭/୧୧: ସବୁଦିନ ଭଳି ଆସିଥିଲେ ସ୍କୁଲ୍ । ଠିକ୍ ଟାଇମ୍‌ରେ ଖୋଲା ହୋଇଥିଲା ଅଫିସ୍ ତାଲା । ହେଲେ ତାଲା ଖୋଲିବା ବେଳକୁ ହୋଇଥିଲା କିଛି ଶବ୍ଦ । ସମସ୍ତେ ଭୟ କରିଥିଲେ, ଏମିତି ଶବ୍ଦ କଣ ବୋଲି ପଚରାପଚରି ହୋଇଥିଲେ । ଶେଷରେ ଦେଖିବା ବେଳକୁ ସମସ୍ତେ ସ୍ତବ୍ଧ । କାରଣ ଦୁଆର ଖୋଲୁ ଖୋଲୁ ଭିତରେ ଥିଲେ ନାଗ୍‌ରାଜ୍।

ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ସାନସାଶନ ପଞ୍ଚାୟତର ମତବାଜ ଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । କାରଣ ବିଦ୍ୟାଳୟ ଅଫିସ ରୁମ ଭିତରୁ ସାଢେ ୪ ଫୁଟର ନାଗ ସାପ ଉଦ୍ଧାର ହୋଇଥିଲା । ଆଉ ଏହି ସାପକୁ ଉଦ୍ଧାର କରିଥିଲେ ସାପ ଧରାଳି । ସୂଚନା ଥାଉକି, ଗେଟ ଖୋଲି ବିଦ୍ୟାଳୟର ଅଫିସ ରୁମ ଖୋଲିଲା ବେଳେ ହଟାତ ଗୋଟିଏ ନାଗ ସାପ ଥାକ ଉପରେ ଫଣା ଟେକିଥିବା ଦେଖିଥିଲେ ।

ଭୟଭୀତ ହୋଇ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିଥିଲେ ।  ଏପରିକି ସାପଟିକୁ ଯେତେ ଘଉଡ଼ାଇଲେ ସେ ଗୋଟିଏ ଶ୍ରେଣୀ ଗୃହକୁ ଯାଇ ପୁଣି ଆସି ଅଫିସ ଭିତରେ ରହିଯାଇଥିଲା । ସାପକୁ ଦେଖି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଭୟଭୀତ ହୋଇ ପଡିଥିଲେ । ଭଦ୍ରକର ସାପ ଧରାଳି ମିର୍ଜା ଆରିଫଙ୍କୁ ଫୋନ କରିଥିଲେ ।

ସାପ ଧରାଳି ସେଠାରେ ପହଂଚି ବିଦ୍ୟାଳୟର ଅଫିସ ରୁମ ଭିତରୁ ଗୋଟିଏ ସାଢେ ୪ ଫୁଟର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ସାପ ଉଦ୍ଧାର ପରେ ସମସ୍ତେ ଆଶ୍ୱସ୍ତି ହୋଇଥିଲେ । ତେବେ ସାପ କାହାରି କିଛି କ୍ଷତି କରିବା ପୂର୍ବରୁ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରି ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିର୍ଜା ଆରିଫଙ୍କୁ ଧନ୍ୟବାଦ ଦେଇଥିଲେ ।