କଟକ: କିଛି ଦିନର ଖୁସି ପରେ ନନ୍ଦନକାନନ ପ୍ରାଣୀଉଦ୍ୟାଣରୁ ଆସିଛି ଏକ ଦୁଃଖଦ ଖବର । ପ୍ରଥମ ଥର ମାଆ ହୋଇଥିବା ସିଂହୀ ‘ମାୟା’ର ୩ ଦିନର ଅଣ୍ଡିରା ଶାବକର ମୃତ୍ୟୁ ହୋଇଛି । ଏହା ସହିତ ସିଂହ ସଂଖ୍ୟା ୨୩କୁ ଖସିଆସିଛି । ଶାବକର ପାଟିରେ ଜନ୍ମଗତ ତ୍ରୁଟି ଥିବା ଯୋଗୁ ସେ କ୍ଷୀର ପିଇ ପାରୁ ନ ଥିଲା । ଯାହା ପିଉଥିଲା ନାକ ପଟେ ବାହାରି ଯାଉଥିଲା । ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସକାଳେ ତାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଗତ ୭ ତାରିଖରେ ପ୍ରଥମ ଥର ସିଂହୀ ‘ମାୟା’ ମା’ ହୋଇଥିଲା । ସୋମବାର ଭୋର ୨.୪୧ରେ ଏକ ମୃତ ଓ ୫.୪୧ରେ ଏକ ଜୀବିତ ଶାବକ ଜନ୍ମ ଦେଇଥିଲା । ତେବେ ଜୀବିତ ଶାବକଟିକୁ ‘ମାୟା’ ଗ୍ରହଣ ନ କରିବାରୁ ଦିନ ବଢ଼ିବା ସହ ଶାବକଟି ଦୁର୍ବଳ ହେବାକୁ ଲାଗିଥିଲା । ତେଣୁ ଶାବକଟିକୁ ମା’ଠାରୁ ଅଲଗା କରି ହ୍ୟାଣ୍ଡ ରିଅରିଙ୍ଗ ସେଣ୍ଟର (ଏଚ୍ଆରସି)ରେ ରଖାଯାଇଥିଲା । ଏଠାରେ ପାଉଡର କ୍ଷୀର ଖାଇ ଶାବକଟି ମଣିଷ କୋଳରେ ଲାଳନପାଳନ ହେବ ବୋଲି ଯୋଜନା ଥିଲା ।

‘ମାୟା’କୁ ଏବେ ୩ ବର୍ଷ ୮ ମାସ ବୟସ । ଶାବକ ଜନ୍ମ ହେବାର ପ୍ରାୟ ୧୧୨ ଦିନ ତଳେ ସିଂହ ‘ଶିବମ୍’ ସହିତ ‘ମାୟା’ର ମିଳନ କରାଯାଇଥିଲା । ମିଳନ ସୁନିଶ୍ଚିତ ହେବା ଜଣାପଡ଼ିବା ପରେ ମାୟାର ସ୍ୱାସ୍ଥ୍ୟ ଉପରେ ପ୍ରାଣୀଉଦ୍ୟାନର ପ୍ରାଣୀ ଚିକିତ୍ସକମାନେ ନଜର ରଖିଥିଲେ । ପ୍ରସବ ସମୟ ପାଖେଇ ଆସିବାରୁ ‘ମାୟା’କୁ ୨୯(ଏ) ଖୁଆଡ଼ରେ ଏକ ଆବଦ୍ଧ ଖୁଆଡ଼ରେ ରଖାଯାଇଥିଲା । ସିସିଟିଭି କ୍ୟାମେରା ମାଧ୍ୟମରେ ତା’ଉପରେ ନଜର ରଖାଯାଉଥିଲା ।

ସୂଚନାଯୋଗ୍ୟ, ‘ଶିବମ୍’ ଓ ‘ମାୟା’ ଗୋଟିଏ ମା’ର ସନ୍ତାନ । ସିଂହ ‘ଜିତ୍’ ଓ ସିଂହୀ ‘ରେଖା’ ମିଳନରେ ୨୦୨୩ ଜାନୁଆରୀ ୧୦ ତାରିଖରେ ‘ମାୟା’, ‘ଶିବମ୍’, ‘ସିମ୍ବା’ ଓ ‘କେଶରୀ’ ଜନ୍ମ ହୋଇଥିଲେ । ୨୦୨୪ ଜାନୁଆରୀ ୨୭ ତାରିଖରେ ଦ୍ୱିତୀୟ ପ୍ରସବର କିଛିଦିନ ପରେ ‘ରେଖା’ର ମୃତ୍ୟୁ ହୋଇଥିଲା । ‘ସିଂହ’ ଜିତ୍ ଏବେ ପ୍ରାଣୀ ଉଦ୍ୟାନରେ ରହିଛି ।