ଜେରୁଜେଲମ ୭।୧୧: ଇସ୍ରାଏଲ ସୈନ୍ୟଙ୍କ ନିୟନ୍ତ୍ରଣରେ ଥିବା ରାଫା ଅଞ୍ଚଳର ସୁଡ଼ଙ୍ଗରେ ଲୁଚିଥିବା ହମାସର ୨୦୦ ଫାଇଟରଙ୍କ ଉଦ୍ଧାର ନିମନ୍ତେ ମୁସଲମାନ ଦେଶମାନେ ଉଦ୍ୟମ ଆରମ୍ଭ କରିଛନ୍ତି। ଇସ୍ରାଏଲୀ ମିଡିଆ ରିପୋର୍ଟ ଅନୁସାରେ ଇଜିଫ୍ଟ ମଧ୍ୟସ୍ଥମାନେ ହମାସ ଫାଇଟରମାନଙ୍କୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ସମର୍ପି ଦେବାକୁ ଓ ସେଠାକାର ସୁଡ଼ଙ୍ଗ ଗୁଡିକର ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି, ଯାହା ଦ୍ୱାରା ସେଗୁଡିକୁ ନଷ୍ଟ କରାଯାଇ ପାରିବ ଓ ଏହା ବଦଳେ ଇସ୍ରାଏଲ ସେମାନଙ୍କୁ ବାହାରକୁ ଆସିବାକୁ ସୁରକ୍ଷିତ ରାସ୍ତା ଦେବ।

ତେବେ ଏ ସମ୍ପର୍କରେ ଜେରୁଜେଲମ ପୋଷ୍ଟ ସହ କଥା ହୋଇଥିବା ୨ ଜଣ ସୂତ୍ର ଇସ୍ରାଏଲ ଓ ହମାସ ଏ ପର୍ଯ୍ୟନ୍ତ ପ୍ରସ୍ତାବକୁ ସ୍ୱୀକାର କରିନଥିବା କହିଛନ୍ତି । ଏଥିରେ ଏକ ତୃତୀୟ ସୂତ୍ର ସ୍ପଷ୍ଟ କରିଛି ଯେ ଏହି ପ୍ରସଙ୍ଗରେ ଏବେ କଥାବାର୍ତ୍ତା ଚାଲିଛି। ତେବେ ହିବ୍ରୁ ସମ୍ବାଦପତ୍ର ‘ମୋରିବ’ କହିଛି ଯେ ଇସ୍ରାଏଲ ସେନା ଏକ ସୁଡ଼ଙ୍ଗରେ କଂକ୍ରିଟ ଓ ବିସ୍ଫୋରକ ସାମଗ୍ରୀ ଭରିବା ଆରମ୍ଭ କରିଛି। ସମ୍ବାଦପତ୍ର ଅନୁସାରେ ଇସ୍ରାଏଲୀ ସେନା ସୁଡ଼ଙ୍ଗର ଖୋଲା ସ୍ଥାନମାନଙ୍କରେ ପ୍ରଚୁର ପରିମାଣରେ କଂକ୍ରିଟ ଭରି ପୋତିବାକୁ ଉଦ୍ୟମ କରୁଛି। ସେହିପରି ଭିତରେ ଥିବା ଲୋକଙ୍କୁ ମାରିବାକୁ ବିସ୍ଫୋରକ ସାମଗ୍ରୀ ମଧ୍ୟ ପକା ଯାଉଛି।

ଏହି ସୁଡ଼ଙ୍ଗରେ ୧୨ରୁ ଅଧିକ ହମସା ଫାଇଟର ଥିବା ଆଶଙ୍କା କରାଯାଉଛି। ଅକ୍ଟୋବର ୧୦ ତାରିଖ ଦିନ ଗାଜାରେ ଯୁଦ୍ଧବିରାମ ଲାଗୁ ହେବା ପରେ ରାଫା କ୍ଷେତ୍ରରେ ଇସ୍ରାଏଲୀ ଫୋର୍ସଙ୍କ ଉପରେ ଅନୁନ୍ୟ ୨ଟି ଆକ୍ରମଣ ହୋଇଛି। ଏଥିଲାଗି ଇସ୍ରାଏଲ ହମାସକୁ ଦାୟି କରୁଛି। ତେବେ ସମୂହ ଏହାକୁ ଅସ୍ୱୀକାର କରିଛି। ଦୁଇଟି ସୂତ୍ର କହିଛନ୍ତି ଯେ ଯୁଦ୍ଧବିରାମ ଲାଗୁ ହୋଇଥିବା ହମାସ ଫାଇଟର ହୁଏତ ଜାଣନ୍ତି ନାହିଁ। ସମୂହର ସଶସ୍ତ୍ର ଶାଖା କହିଛି ଯେ ଆମେ ଗତ ମାର୍ଚ୍ଚ ମାସରୁ ସମ୍ପର୍କରେ ନାହୁଁ। ତେବେ ସୂତ୍ର ରାଫା କ୍ଷେତ୍ରରେ ହମାସର କେତେ ଫାଇଟର ଅଛନ୍ତି ତାହା ସ୍ପଷ୍ଟ କରି ନାହିଁ। ହେଲେ ଏହି ସଂଖ୍ୟା ପାଖାପାଖି ୨୦୦ ହେବ ବୋଲି ଅନୁମାନ କରାଯାଉଛି।

ଏଥିରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଚିଫ୍ ଅଫ ଷ୍ଟାଫ ଲେଫ୍ଟନାଣ୍ଟ ଜେନେରାଲ ଇୟାଲ ଜମିର କ୍ୟାବିନେଟକୁ କହିଛନ୍ତି ଯେ ରାଫା ସୁଡ଼ଙ୍ଗରେ ଥିବା ଆତଙ୍କବାଦୀଙ୍କ ଲାଗି କୌଣସି ବୁଝାମଣା ହୋଇ ନାହିଁ। ବୈଠକରେ ଜମିର କହିଛନ୍ତି ଯେ ସେମାନେ ହୁଏତ ଆତ୍ମସମର୍ପଣ କରିପାରନ୍ତି ନଚେତ ସେମାନଙ୍କର ସଫେଇ କରାଯିବ। ଯଦି ସେମାନେ ସରେଣ୍ଡର କରନ୍ତି ତେବେ ଆମେ ସେମାନଙ୍କୁ କେବଳ ଅଣ୍ଡରୱେରରେ ପଚରାଉଚରା ପାଇଁ ନେଇଯିବୁ। ଜମିର ସରକାରଙ୍କୁ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ସମସ୍ତ ବନ୍ଧକ ଓ ସହିଦ ସୈନିକଙ୍କୁ ପ୍ରତ୍ୟାର୍ପଣ ନ କରାଯାଇଛି ସେ ପର୍ଯ୍ୟନ୍ତ ସଂଘର୍ଷ ବିରାମ ବୁଝାମଣାର ପରବର୍ତ୍ତି ପର୍ଯ୍ୟାୟ ଆଉ  ଆଗକୁ ଅଗ୍ରସର ନ ହେଉ।