ଦୁବାଇ: ପାକିସ୍ତାନ ବିରୁଦ୍ଧରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ। ପାକ୍‌ର ପାୱାରଫୁଲ୍ ବ୍ୟାଟିଂ ଓ ଘାତକ ବୋଲିଂ ଫଳରେ ଭାରତୀୟ ଟିମର ଶୋଚନୀୟ ପରାଜୟ ହୋଇଛି। ରବିବାର ଦୁବାଇର ଆଇସିସି ଆକାଡେମୀ ଗ୍ରାଉଣ୍ଡରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଣ୍ଡର-୧୯ ଏସିଆ କପ ଫାଇନାଲ୍ ମ୍ୟାଚ୍ ଖେଳାଯାଇଛି। ଆଜିର ମ୍ୟାଚ୍ରେ ପାକିସ୍ତାନ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ୩୪୭ ରନର ବିଶାଳ ସ୍କୋର କରିଥିଲା। ଭାରତ ଏହି ଟାର୍ଗେଟ୍‌କୁ ପିଛା କରି ମାତ୍ର ୨୬.୨ ଓଭରରେ ଅଲଆଉଟ ହେବା ସହିତ ୧୫୬ ରନ୍ ହିଁ କରିପାରିଛି।

ଆଜିର ମ୍ୟାଚରେ କେବଳ ଟସ୍ ବ୍ୟାତୀତ ଆଉ କିଛି ବି ଭାରତ ପକ୍ଷରେ ଯାଇ ନଥିଲା। ନା ବୋଲିଂ ନା ବ୍ୟାଟିଂ କେଉଁଥିରେ ବି ଭଲ ପ୍ରଦର୍ଶନ କରିପାରି ନଥିଲା ଅଣ୍ଡର-୧୯ ଟିମ୍ ଇଣ୍ଡିଆ। ବୈଭବ ସୂର୍ଯ୍ୟବଂଶୀ, ଆୟୁଷ ମାତ୍ରେ ଆରୋନ ଜର୍ଜ ଓ ଅଭିଜ୍ଞାନ କୁଣ୍ଡୁଙ୍କ ଭଳି ଷ୍ଟାର୍ ବ୍ୟାଟରମାନେ ଏକଦମ ଖରାପ ପ୍ରଦର୍ଶନ କରିଥିଲେ।

୩୪୮ ରନ୍ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଟି-୨୦ ଫର୍ମାଟ୍ ଭଳି ବ୍ୟାଟିଂ କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୧୦ ବଲ୍ରେ ଧୁଆଁଦାର ବ୍ୟାଟିଂ କରି ୨୬ ରନ୍ କରିଥିଲେ। ହେଲେ ଆୟୂଷ ମାତ୍ରେ ୭ଟି ବଲ୍ ଖେଳିବା ପରେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ଫଳରେ ଭାରତ ୨.୨ ଓଭରରେ ୨ ୱିକେଟ୍ ହରାଇ ୩୨ ରନ୍ କରିପାରିଥିଲା। ଦୁଇ ବ୍ୟାଟରଙ୍କ ୱିକେଟ୍ ଯିବା ପରେ ୱିକେଟ୍ ଧାଡ଼ି ଲାଗିଯାଇଥିଲା।

ପ୍ରଥମ ୫ ଓଭରରେ ବୈଭବ ସୂର୍ଯ୍ୟବଂଶୀ, ଆୟୁଷ ମହାତ୍ରେ ଏବଂ ଆରନ୍ ଜର୍ଜ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହାପରେ ଭାରତୀୟ ଦଳ ଉପରେ ଚାପ ସୃଷ୍ଟି ହୋଇଥିଲା। ଏହାପରେ ଆଉ ୫ ଓଭର ମଧ୍ୟରେ ବିହାନ ମଲହୋତ୍ରା ଓ ବେଦାନ୍ତ ତ୍ରିବେଦୀଙ୍କ ୱିକେଟ୍ ଚାଲିଯାଇଥିଲା। ଫଳରେ ଭାରତ ୧୦ ଓଭର ସୁଦ୍ଧା ଭାରତ ୬୮ ରନ୍ କରି ୫ ବହୁମୂଲ୍ୟ ୱିକେଟ୍ ହରାଇ ସାରିଥିଲା।

ଏହାପରେ କନିସ୍କ ଚୌହ୍ୱାନ ଓ ଅଭିଜ୍ଞାନ କୁଣ୍ଡୁ ଦୁହେଁ ମିଶି ଭାରତର ବ୍ୟାଟିଂ ଲାଇନ ସମ୍ଭାଳିଥିଲେ। ହେଲେ ଏହି ଯୋଡ଼ି ମଧ୍ୟ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଟି ପାରି ନାହିଁ। ୱିକେଟ୍ ନଥିବା ବେଳେ ବିଶାଳ ସ୍କୋର ଚାପ ଯୋଗୁ ଦୁଇ ବ୍ୟାଟର ସ୍କୋରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାକୁ ଚେଷ୍ଟା କରିଥିଲେ। ଅଭିଜ୍ଞାନ କୁଣ୍ଡୁ ବଡ଼ ଶଟ ମାରିବାକୁ ଚେଷ୍ଟା କରି ଆଉଟ ହୋଇଯାଇଥିଲେ। ଫଳରେ ଭାରତ ୧୨.୩ ଓଭରରେ ୮୩ ରନ୍ କରି ୬ ୱିକେଟ ହରାଇଛି।

ପୂରା ବ୍ୟାଟିଂ ଲାଇନ ଭୁଶୁଡ଼ିଯିବା ପରେ ୭,୮.୯ରେ ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟର ସହଜରେ ଆଉଟ ହୋଇଯିବା ସ୍ୱାଭାବିକ ଥିଲା। ତେଣୁ କନିସ୍କ ଚୌହ୍ୱାନ, ଖିଲଣ ପଟେଲ ଓ ହେନିଲ ପଟେଲ୍ ମଧ୍ୟ ଶୀଘ୍ର ଆଉଟ୍ ହୋଇଯାଇଥିଲେ।

ଭାରତର ୱିକେଟ ପତ୍ତନର ଧାରା ଏମିତି ଥିଲା- ୨.୨ ଓଭରରେ ୩୨ ରନ୍‌ ବେଳେ ଆୟୁଷ ମାତ୍ରେ(୭ ବଲ୍ ୨ ରନ୍), ୩.୬ ଓଭରରେ ୪୯ ରନ୍‌ ବେଳେ ଆରୋନ ଜର୍ଜ(୯ ବଲ ୧୬ ରନ୍), ୪.୧ ଓଭରରେ ୪୯ ରନ୍‌ ବେଳେ ବୈଭବ ସୂର୍ଯ୍ୟବଂଶୀ(୧୦ ବଲ୍ ୨୬ ରନ୍), ୬.୬ ଓଭରରେ ୫୯ ବେଳେ ବିହାନ ମଲହୋତ୍ରା(୧୩ ବଲ ୭ ରନ୍) ଯାଇଥିଲା। ଏହାପରେ ୧୩ ଓଭର ଖେଳ ବେଳେ ଅଭିଜ୍ଞାନ କୁଣ୍ଡୁ(୨୦ ବଲ ୧୩ ରନ୍), ୧୬ ଓଭର ଖେଳ ବେଳେ କନିସ୍କ ଚୌହ୍ୱାନ(୨୩ ବଲ ୯ ରନ୍) ଓ ୨୧ ଓଭର ବେଳେ ଖିଲଣ ପଟେଲ(୨୩ ବଲରେ ୧୯ ରନ), ୨୩ ଓଭର ବେଳେ ହେନିଲ ପଟେଲ(୧୯ ବଲ୍‌ରେ ୬ ରନ୍) ଆଉଟ ହୋଇଯାଇଥିଲେ। ୨୬.୨ ଓଭରରେ ଦୀପେଶ ଦେବେନ୍ଦ୍ରନ ଆଉଟ୍ ହେବା ପରେ ଭାରତ ୧୫୬ ରନ୍‌ କରି ଅଲ୍‌ ଆଉଟ୍ ହୋଇଯାଇଥିଲା।    

ପାକିସ୍ତାନ ଟିମ ପ୍ରଦର୍ଶନ

ଅନ୍ୟପଟେ ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଜବରଦସ୍ତ ପ୍ରଦର୍ଶନ କରିଛି। ଦଳ ପକ୍ଷରୁ ଅଲି ରାଜା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାୟମ, ଅବଦୁଲ ସୁଭାନ ଓ ହୁଜୈଫା ଆହସାନ ୨ଟି ଲେଖାଏ ୱିକେଟ୍ ନେଇଥିଲେ।  

ତେବେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଆଜି ଭାରତ ବିରୁଦ୍ଧରେ ବିସ୍ଫୋରକ ବ୍ୟାଟିଂ କରି ବିଶାଳ ୩୪୭ ରନ କରିଥିଲା। ଦଳ ପକ୍ଷରୁ ସମୀର ମିନହାସ ଆଜି ରେକର୍ଡ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ସେ ୧୧୩ ବଲ୍‌ରେ ୧୭୨ ରନ୍‌ର ବଡ଼ ଇନିଂସ ଖେଳିଥିଲେ। ଯାହା ବଳରେ ପାକିସ୍ତାନ ଭାରତକୁ ୩୪୮ ରନ୍‌ର ଟାର୍ଗେଟ୍ ଦେଇପାରିଥିଲା।  ସେହିପରି ୫୬ ରନ୍ କରି ଅହମଦ ହୁସେନ ଓ ଉସମାନ ଖାନ୍ ୩୫ ରନ୍ କରି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ।

ମ୍ୟାଚ୍‌ରେ ପାକିସ୍ତାନ ୩.୩ ଓଭରରେ ଦଳୀୟ ସ୍କୋର ୩୧ ବେଳେ ହମଜା ଜହୁରଙ୍କ ନାଁରେ ପ୍ରଥମ ୱିକେଟ୍ ହରାଇଥିଲା। ଏହାପରେ ଦ୍ୱିତୀୟ ୱିକେଟ୍ ନେବାକୁ ଭାରତୀୟ ବୋଲରଙ୍କୁ ୧୩ ଓଭର ଲାଗିଯାଇଥିଲା। ୧୬.୪ ଓଭର ବେଳେ ଦଳୀୟ ସ୍କୋର ୧୨୩ରେ ଉସମାନ ଖାନ ନାଁରେ ଦଳ ଦ୍ୱିତୀୟ ୱିକେଟ୍ ହରାଇଥିଲା। ପୁଣି ୨୧ ଓଭର ପରେ ଖେଳିବା ପରେ ୩୭.୩ ଓଭରରେ ଦଳୀୟ ସ୍କୋର ୨୬୦ରେ ପାକିସ୍ତାନ ଅହମଦ ହୁସେନ୍‌ଙ୍କ ନାଁରେ ତୃତୀୟ ୱିକେଟ ହରାଇଥିଲା। ପୁଣି ୪୨.୫ ଓଭରରେ ସାମୀର ମିନହାସ ଆଉଟ୍ ହୋଇଥିଲେ। ଏହାପରେ ହୁଜୈଫା ଆହସାନଙ୍କ ୱିକେଟ୍ ଯାଇଥିଲା। ଫଳରେ ପାକିସ୍ତାନ ୪୩.୪ ଓଭରରେ ୫ ୱିକେଟ ହରାଇ ୩୦୭ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା।

ଏହାପରେ ଗୋଟିଏ ପରେ ଗୋଟିଏ ଫରାନ ୟୁସଫ,ମହମ୍ମଦ ଶାୟନ ଓ ଅବଦୁଲ ଶୁଭାନଙ୍କ ୱିକେଟ୍ ପଡ଼ିଥିଲା। ଫଳରେ ଭାରତ ପାକିସ୍ତାନ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୭ ରନ୍ କରିପାରିଥିଲା।

ଅନ୍ୟପଟେ ଭାରତ ପ୍ରଥମ ୧୦ ଓଭରରେ ପାକିସ୍ତାନର ମାତ୍ର ଗୋଟିଏ ନେଇପାରି ଥିଲା। ହମଜା ଜହୁରଙ୍କୁ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ ହେନିଲ ପଟେଲ। ଭାରତୀୟ ଷ୍ଟାର୍ ବୋଲର କିଶାନ କୁମାର ସିଂହଙ୍କର ଆଜି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। କିଶାନ ୫ ଓଭରରେ ୫୦ ରନ୍ ଦେଇଥିବା ବେଳେ ଗୋଟିଏ ବି ୱିକେଟ୍ ନେଇପାରି ନଥିଲେ। ତେବେ ଦୀପେଶ ଦେବେନ୍ଦ୍ରନ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ହେନିଲ ପଟେଲ ଓ ଖିଲନ ପଟେଲ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ। କନିସ୍କ ଚୌହ୍ୱାନଙ୍କୁ ଗୋଟିଏ ୱିକେଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।ଭାରତୀୟ ବୋଲରମାନେ ଆଜି ପାକିସ୍ତାନର ବିସ୍ପୋରକ ବ୍ୟାଟର ସମୀର ମୀନହାସ ଓ ଅହମଦ ହୁସେନଙ୍କୁ ରୋକିବାରେ ବିଫଳ ହୋଇଥିଲେ।