ନ୍ୟୁୟର୍କ: ଏମିତି ଆସେ ମୃତ୍ୟୁ। ଆପଣଙ୍କ ହାତୀ କିମ୍ବା ବାଘ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଖବର ଶୁଣିଥିବେ। କିନ୍ତୁ ଏବେ ଘୋଡା ନେଇଛି ଏକ ଅମୂଲ୍ୟ ଜୀବନ। କିଛି ଏମିତି ଘଟିଛି ଆମେରିକାର ନ୍ୟୁୟର୍କ ସହରର ପ୍ରସିଦ୍ଧ ସେଣ୍ଟ୍ରାଲ ପାର୍କରେ । ଜଣେ 18 ବର୍ଷୀୟ ଭାରତୀୟ ଛାତ୍ର ତାଙ୍କ ମାଆଙ୍କୁ ବଞ୍ଚାଇବାକୁ ଯାଇ ମୃତ୍ୟୁମୁଖରେ ପଡିଛନ୍ତି। ଘୋଡାଗାଡ଼ି ହଠାତ୍ ଦ୍ରୁତ ଗତିରେ ଦୌଡ଼ିବା ଆରମ୍ଭ କରିବା ଫଳରେ ମହିଳା ଜଣକ ଭାରସାମ୍ୟ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ମୃତ ଛାତ୍ରଙ୍କ ନାମ ରୋମାଞ୍ଚ ମହାଜନ। ରୋମାଞ୍ଚ ତାଙ୍କ ପରିବାର ସହିତ ପ୍ରଥମ ଥର ପାଇଁ ନ୍ୟୁୟର୍କ ବୁଲିବାକୁ ଆସିଥିଲେ।

ଏମିତି ଥିଲା ଘଟଣା-

ରିପୋର୍ଟ ଅନୁସାରେ, ବୁଧବାର ଦିନ ଏହି ଘଟଣା ଘଟିଥିଲା। ରୋମାଞ୍ଚ ନିଜ ପରିବାର ସହ ଫାମିଲି ଫଟୋ ଉଠାଇବା ପାଇଁ ଘୋଡା ଗାଡିରେ ବସିଥିଲେ। ସେମାନଙ୍କ ଫଟୋ ଉଠାଇବା ପାଇଁ ଚାଳକ ତାଙ୍କ ସିଟରୁ ଉଠିପଡ଼ିଥିଲେ। ଏହି ସମୟରେ ଘୋଡାଟି ଭୟଭୀତ ହୋଇ ହଠାତ୍ ଦୌଡ଼ିବାକୁ ଆରମ୍ଭ କଲା। ଘୋଡାଟି ଫୁଟପାଥ୍ ଏବଂ ଘାସ ପଡ଼ିଆ ଦେଇ ଗାଡ଼ିକୁ କ୍ଷୀପ୍ର ଗତିରେ ଟାଣି ନେଇଥିଲା। ଫଳରେ ଏହି ଅଘଟଣ ଘଟିଥିଲେ ସେଥିରେ ମା ଓ ପୁଅ ଫସିରହିଥିଲେ।

ବଗି ଓଲଟି ପଡ଼ିବା ପୂର୍ବରୁ, ରୋମାଞ୍ଚଙ୍କ ମାଆ ପ୍ରିୟା ଚଳନ୍ତା ଗାଡ଼ିରୁ ପଡ଼ିଗଲେ। ତାଙ୍କ ମାଆ ପଡ଼ିଯିବା ଦେଖି, ରୋମାଞ୍ଚ ତାଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ଗାଡ଼ିରୁ ଡେଇଁପଡ଼ିଲେ। ଡେଇଁ ପଡ଼ିବା ସମୟରେ ରୋମାଞ୍ଚଙ୍କ ମୁଣ୍ଡ ଜୋରରେ ମାଡ଼ ହୋଇଥିଲା। ଏହାସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଫଳରେ ସେ ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ଯେଉଁଠାରେ ବୁଧବାର ରାତିରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ରୋମାଞ୍ଚଙ୍କ ବାପାମା ଏବଂ ସାନ ଭାଇ ସାମାନ୍ୟ ଆହତ ହୋଇଥିଲେ।