କେନ୍ଦ୍ରାପଡ଼ା: ବିଳମ୍ବିତ ରାତ୍ରିରେ ଗୋରୁ ଶିକାର କରିବାକୁ ଆସିଥିଲା ୧୫ ଫୁଟର ବଉଳା କୁମ୍ଭୀର । ଉଦ୍ଧାର ପରେ ଭିତରକନିକା ସଂରକ୍ଷିତ ନାଳରେ ଛାଡ଼ିଲା ବନ ବିଭାଗ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଗଗହଣ ଗାଁରୁ ଏହି ବଉଳା କୁମ୍ଭୀର ଧରାପଡ଼ିଛି।

ସୂଚନା ଅନୁସାରେ, ଗାଁର ଜଣେ ବ୍ୟକ୍ତିଙ୍କ ଗୁହାଳ ଭିତରେ ପଶିଥିଲା ଏହି କୁମ୍ଭୀରଟି । ଗୋରୁ ଶିକାର କରିବା ପାଇଁ ଏହି କୁମ୍ଭୀରଟି ଗୁହାଳ ଭିତରେ ପଶିଥିବା ସନ୍ଦେହ କରାଯାଉଛି । ତେବେ ଗୁହାଳ ଭିତରେ ଥିବା ଗୋରୁମାନେ କୁମ୍ଭୀରକୁ ଦେଖି ରଡ଼ି ଛାଡ଼ିଥିଲେ। ଆଉ ଶବ୍ଦ ଶୁଣି ମାଲିକ ଗୁହାଳ ଯିବାରୁ ସେଠାରେ କୁମ୍ଭୀରକୁ ଦେଖି ଗାଁ ଲୋକଙ୍କୁ ଡାକିଥିଲେ ।

Also Read: ପ୍ରବଳ ବର୍ଷା ଲାଗି ମାଟି ଅତଡ଼ା ଧସିବା ଆଶଙ୍କା, ଦୁଇ ଦିନ କଳିଙ୍ଗା ଘାଟି ବନ୍ଦ

ତେବେ ଏହାରି ଭିତରେ କୁମ୍ଭୀରଟି ପାଖରେ ଥିବା ଏକ ପୋଖରୀ ଭିତରକୁ ଚାଲି ଯାଇଥିଲା । ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଆଉ ବନବିଭାଗ କର୍ମଚାରୀମାନେ ପହଞ୍ଚି କୁମ୍ଭୀରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଭିତରକନିକା ସଂରକ୍ଷିତ ନାଳରେ ଛାଡ଼ି ଦେଇଥିଲେ । ଘଟଣା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।