କୋଲକାତା: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ସେନ୍ଥିଆ ନଗରପାଳିକା ବୋର୍ଡ ସୋମବାର ଭଙ୍ଗ ହୋଇଛି। ତୃଣ ମୂଳ କଂଗ୍ରେସ (ଟିଏମସି)ର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ୧୪ ଜଣ କାଉନସିଲର ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏଣୁ ନଗର ପାଳିକାର ଅସ୍ତିତ୍ୱ ସମାପ୍ତ ହୋଇଯାଇଛି। ସେନ୍ଥିୟା ନଗରପାଳିକା ଅଧ୍ୟକ୍ଷ ବିପ୍ଳବ ଦତ୍ତ, ଉପାଧ୍ୟକ୍ଷ କମାଲ ହୁସୈନ ଓ ଅନ୍ୟ ୧୨ ଜଣ କାଉନସିଲର ସୁରୀ ଉପମଣ୍ଡଳ ପ୍ରଶାସନିକ ଅଧିକାରୀ ସୁପ୍ରିତୀକ ସିଂହଙ୍କୁ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେଇଥିବା ନେତାମାନେ କହିଛନ୍ତି ଯେ ଜନତା ତୃଣ ମୂଳ କଂଗ୍ରେସକୁ ଅଗ୍ରାହ୍ୟ କରିଛନ୍ତି।

ବୀରଭୂମ ଜିଲ୍ଲାର ୬ ନଗରପାଳିକା ମଧ୍ୟରେ ସେନ୍ଥିଆ ପ୍ରଥମ ଯେଉଁଠି ଟିଏମସିର ସବୁ କାଉନସିଲର ଇସ୍ତଫା ଦେଇଛନ୍ତି। ସେନ୍ଥିଆ ନଗର ପାଳିକାର ମୋଟ ୧୬ଟି କାଉନସିଲ ରହିଛି। ୨୭ ଫେବୃଆରୀ ୨୦୨୨ରେ ଅନୁଷ୍ଠିତ ନଗର ପାଳିକା ନିର୍ବାଚନରେ ଟିଏମସି ପ୍ରାର୍ଥୀମାନେ ସମସ୍ତ ୧୬ଟି ଜାକ ଆସନରେ ଜିତିଥିଲେ। ଏଣୁ ନଗରପାଳିକାରେ ବିରୋଧୀଙ୍କ ପ୍ରତିନିଧିତ୍ୱ ନଥିଲା। ତେବେ ୱାର୍ଡ ସଂଖ୍ୟା ୩ର କାଉନସିଲର ମାନସ ସିଂହ ଓ ୱାର୍ଡ ସଂଖ୍ୟା ୯ର କାଉନସିଲର ମାୟା ଶାହା ଇସ୍ତଫା ଦେଇ ନାହାନ୍ତି।

ଇସ୍ତଫା ଦେବା ପରେ ନଗରପାଳିକା ଅଧ୍ୟକ୍ଷ ବିପ୍ଳବ ଦତ୍ତ କହିଛନ୍ତି ଯେ ସେ ତୃଣମୂଳ କଂଗ୍ରେସର ନିର୍ବାଚନ ଚିହ୍ନରେ ଜିତିଥିଲେ। ହେଲେ ଗତ ବିଧାନସଭା ନିର୍ବାଚନରେ ଜନତା ଟିଏମସିକୁ ଅସ୍ୱୀକାର କରିଦେଇଛନ୍ତି। ସେ କହିଛନ୍ତି ଯେ ଏବେ ମୁଁ ଜାଣିପାରୁନି ବାସ୍ତବ ତୃଣମୂଳ କଂଗ୍ରେସ କିଏ? ଏଣୁ ବ୍ୟକ୍ତିଗତ ନିଷ୍ପତ୍ତି ନେଇ ପଦବୀରୁ ଇସ୍ତଫା ଦେଇଛି। ସେହିପରି ଉପାଧ୍ୟକ୍ଷ କାଜୀ କମାଲ ହୁସେନ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ବେଳେ ଅନ୍ୟ ୧୪ ଜଣ କାଉନସିଲର ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଆଳରେ ଇସ୍ତଫା ଦେଇଛନ୍ତି।

ଏହିଘଟଣା ପରେ ସେନ୍ଥିଆ ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ବିଧାୟକ କୃଷ୍ଣକାନ୍ତ ଶାହା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ପ୍ରଭାବିତ ନେତାମାନେ ଏବେ ଟିଏମସି ଛାଡୁଛନ୍ତି। ଏଣୁ ଆଗାମୀ ଦିନରେ ରାଜ୍ୟରୁ ତୃଣମୂଳ କଂଗ୍ରେସର ଅସ୍ତିତ୍ୱ ସମାପ୍ତ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ ବୀରଭୂମ ଜିଲ୍ଲାର ଅନ୍ୟ ୫ଟି ନଗର ପାଳିକା ବୋଲପୁର, ସୁରୀ, ଦୁବରାଜପୁର ଓ ନଲହାଟୀ ଏବେବି ତୃଣମୂଳ କଂଗ୍ରେସ ନିୟନ୍ତ୍ରଣରେ ରହିଛି। କେବଳ ସେନ୍ଥିଆ ନଗର ପାଳିକା ବୋର୍ଡ ସୋମବାର ଭଙ୍ଗ ହୋଇଛି।