ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ଗୁରୁବାର ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିରୋଧରେ ଏପରି ମନ୍ତବ୍ୟକୁ କୋର୍ଟ ଅନୁମତି ଦେବ ନାହିଁ। ଏବଂ ପୁନରାବୃତ୍ତି ହେଲେ ସ୍ୱତଃପ୍ରବୃତ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ସାବରକରଙ୍କ ବିରୋଧରୀ ବିବାଦୀୟ ମନ୍ତବ୍ୟ ପରେ ତାଙ୍କ ବିରୋଧରେ ହୋଇଥିବା ସମନକୁ ରଦ୍ଦ କରିବାକୁ ଆହ୍ଲାବାଦ ହାଇକୋର୍ଟ ମନା କରି କିବା ପରେ ଏହାକୁ ଚ୍ୟାଲେଞ୍ଜ୍ କରି ରାହୁଲ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏହାର ଗୋଟିଏ ଦିନ ପରେ ରାହୁଲଙ୍କୁ ଏଭଳି ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ପଢନ୍ତୁ- ୱକଫ ଆଇନକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର, ଜାଣନ୍ତୁ ଧର୍ମକୁ ନେଇ କହିଛନ୍ତି କ’ଣ?
୧୭ ନଭେମ୍ବର ୨୦୨୨ରେ ମହାରାଷ୍ଟ୍ରର ଆକୋଲା ଜିଲ୍ଲାରେ ଭାରତ ଭାରତ ଯୋଡୋ ଯାତ୍ରା ରାଲିରେ ସାବରକରଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ। ସାବରକରଙ୍କୁ ଜଣେ ବ୍ରିଟିସ ସେବକ ବୋଲି କହିବା ସହିତ ସେ ଔପନିବେଶକ ସରକାରଙ୍କ ଠାରୁ ପେନସନ ପାଉଥିଲେ ବୋଲି ରାହୁଲ କହିଥିଲେ। ଏହାପରେ ତାଙ୍କ ବିରୋଧରେ ମାନହାନୀ ମାମଲା ହୋଇଥିଲା। ଶୁକ୍ରବାର ବିଚାରପତି ଦୀପଙ୍କର ଦତ୍ତ ଏବଂ ମନମୋହନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।
ଗାନ୍ଧୀଙ୍କ ଓକିଲ ଯୁକ୍ତି ଦେଇଥିଲେ ଯେ ବିବୃତ୍ତି ମାଧ୍ୟମରେ ଶତ୍ରୁତାକୁ ଉସ୍କାଇବାର କୌଣସି ଉଦ୍ଦେଶ୍ୟ ନଥିଲା। ଏହାପରେ ଖଣ୍ଡପୀଠ ଗଭୀର ଅସନ୍ତୋଷ ପ୍ରକାଶ କରି କହିଥିଲେ, "ଆପଣଙ୍କ ମହକିଲ କ'ଣ ଜାଣନ୍ତି ଯେ ମହାତ୍ମା ଗାନ୍ଧୀ ମଧ୍ୟ 'ତୁମର ବିଶ୍ୱସ୍ତ ସେବକ' ବାକ୍ୟାଂଶ ବ୍ୟବହାର କରିଥିଲେ? ସେ କ'ଣ ଜାଣନ୍ତି ଯେ ତାଙ୍କ ଜେଜେମା ମଧ୍ୟ ସେହି ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ଚିଠି ପଠାଇଥିଲେ?"
କୋର୍ଟ କଂଗ୍ରେସ ସାଂସଦଙ୍କୁ ଏପରି ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବାକୁ କଡ଼ା ପରାମର୍ଶ ଦେଇ, ଏବଂ କହିଥିଲେ "ଆପଣ ଜଣେ ରାଜନୈତିକ ନେତା। ଆପଣ ଏପରି ମନ୍ତବ୍ୟ କାହିଁକି ଦେବେ? ଏପରି କରନ୍ତୁ ନାହିଁ। ଯଦି ଉସୁକାଇବା ଉଦ୍ଦେଶ୍ୟ ନଥିଲା, ତେବେ ଏପରି ବୟାନ କାହିଁକି ଦେବେ?"
ପଢନ୍ତୁ- ଆତଙ୍କୀ ହମ୍ଲା ବିରୋଧରେ ଦିଲ୍ଲୀରେ ଶତାଧିକ ବଜାର ବନ୍ଦ, ୧୫୦୦ କୋଟିର ବ୍ୟବସାୟ ଠପ୍
ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ମାମାର ପ୍ରୋସିଡିଂ(କାର୍ଯ୍ୟଧାରା) ଉପରେ ସ୍ଥଗିତାଦେଶ ଦେବାକୁ ରାଜି ହୋଇଥିଲେ ମଧ୍ୟ। ତେବେ ରାହୁଲ ଗାନ୍ଧୀ ଯେମିତି ଆଉ ଏପରି ବୟାନ ନ ଦିଅନ୍ତି ସେ ନେଇ ସ୍ପଷ୍ଟ କରିଦେଇଥିଲେ। "ତେବେ ସ୍ପଷ୍ଟ କହି ଦେଉଛୁ, ଆଉ କୌଣସି ଏଭଳି ବିବୃତ୍ତି ଦେଲେ ଆମେ ଏଥିରେ ନିଜ ଆଡ଼ୁ ମାମଲା ରୁଜୁ କରିବୁ। ଆମେ କାହାକୁ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ଏଭଳି ମନ୍ତବ୍ୟ ଦେବାକୁ ଅନୁମତି ଦେବୁ ନାହିଁ।" କୋର୍ଟ ଚେତାବନୀ ଦେଇଛନ୍ତି।