ନୂଆଦିଲ୍ଲୀ ୨୫।୪: ନ୍ୟାସନାଲ ହେରଲ୍ଡ ମାମଲାରେ ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଝଟକା ଦେଇଛନ୍ତି। କୋର୍ଟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ତତ୍କାଳ ନୋଟିସ୍ ଜାରି କରିବାକୁ ମନା କରିଦେଇଛନ୍ତି। ଏ ନେଇ ଇଡି ଏକ ପିଟିସନ ଦାୟର କରି କହିଥିଲେ ଯେ ଅଭିଯୁକ୍ତଙ୍କୁ ନ ଶୁଣି ଅଭିଯୋଗର ସଂଜ୍ଞାନ ନିଆଯାଇ ନପାରେ। ଏଣୁ ତଦନ୍ତକାରୀ ସଂସ୍ଥାନ ଉଭୟଙ୍କୁ ପଚରା ଉଚରା ନିମନ୍ତେ ନୋଟିସ୍ ଜାରି କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ।
ଇଡି ଆବେଦନରେ କୁହାଯାଇଥିଲା ଯେ ପିଏମଏଲଏର ପ୍ରାବଧାନ ଅନୁସାରେ ଅଭିଯୁକ୍ତଙ୍କୁ ନ ଶୁଣି ଅଭିଯୋଗର ସଂଜ୍ଞାନ ନିଆଯାଇ ପାରିବ ନାହିଁ। ଏଣୁ ଏଜେନ୍ସୀର ଅଭିଯୋଗ ଫର୍ଦ୍ଦରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଯଥାକ୍ରମେ ଅଭିଯୁକ୍ତ ନମ୍ବର ୧ ଓ ୨ କରାଯାଇଛି। ଇଡି କୋର୍ଟଙ୍କୁ କହିଥିଲେ ଯେ ଆମେ ଚାହୁଁନା ଏହି ମାମଲା ଦୀର୍ଘ ହେଉ। ଏଣୁ ସେମାନଙ୍କୁ ନୋଟିସ୍ ଜାରି କରାଯାଉ। ତେବେ ସ୍ୱତନ୍ତ୍ର ଜଜ୍ ବିଶାଲ ଗୋଗ୍ନେ କହିଛନ୍ତି ଯେ କୋର୍ଟ ଏ କଥାରେ ସନ୍ତୁଷ୍ଟ ନୁହନ୍ତି ଯେ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିବା ଜରୁରି। କୋର୍ଟଙ୍କୁ ଦେଖିବାର କଥା ଯେ ଏଜେନ୍ସୀର ଅଭିଯୋଗ ଫର୍ଦ୍ଦରେ ଯେପରି କୌଣସି ଅଭାବ ନଥାଏ।
କୋର୍ଟ କହିଛନ୍ତି ଯେ କୋର୍ଟ ରେକର୍ଡ କିପର ଅଭିଯୋଗ ଫର୍ଦ୍ଦରୁ କିଛି କାଗଜପତ୍ର ଗାୟବ ଥିବା କହିଛନ୍ତି। ସେହିସବୁ କରାଗଜପତ୍ର ଦାଖଲ କରିବା ପାଇଁ କୋର୍ଟ ଇଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାଗଜପତ୍ର ଦାଖଲ ହେବା ପରେ ଯାଇ ଅଭିଯୁକ୍ତଙ୍କୁ ନୋଟିସ ଜାରି କରାଯିବ କି ନା ସେ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଏଥିରେ ଇଡି କହିଥିଲେ ଯେ ମାମଲା ଅତ୍ୟନ୍ତ ପାରଦର୍ଶି ଓ କୋର୍ଟଙ୍କୁ କିଛି ବି ଲୁଚା ଯାଉ ନାହିଁ। ଆମେ କିଛି ବି ଲୁଚାଉ ନାହୁଁ ଓ ସେମାନଙ୍କୁ ସଂଜ୍ଞାନରେ ନେବା ପୂର୍ବରୁ ନିଜର ପକ୍ଷ ରଖିବାକୁ ଅବସର ଦେଉଛୁ। ଏହା ପରେ କୋର୍ଟ ଏଜେନ୍ସୀକୁ ପ୍ରଥମେ ଅଭିଯୋଗ ଫର୍ଦ୍ଦରେ ଥିବା ଅଭାବ ଦୂର କରନ୍ତୁ ଓ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିବା ପୂର୍ବରୁ ଅଧିକ ପ୍ରାସଙ୍ଗିକ କାଗଜପତ୍ର ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି।
ଗାନ୍ଧି ପରିବାର ବିରୋଧରେ କ’ଣ ରହିଛି ଅଭିଯୋଗ
ସୋନିଆ ଓ ରାହୁଲ ଗାନ୍ଧିଙ୍କ ବ୍ୟତୀତ ଶ୍ୟାମ ପିତ୍ରୋଡା ଓ ସାମ୍ବାଦିକ ସୁମନ ଦୁବେଙ୍କୁ ମଧ୍ୟ ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ ସଂସ୍ଥାପକ ଓ ନିର୍ଦ୍ଦେଶକ ରୂପେ ନାମିତ କରାଯାଇଛି। ସୋନିଆ ଓ ରାହୁଲ ଗାନ୍ଧି ମିଶି ଏହି କମ୍ପାନୀର ୭୬%ର ମାଲିକ, ଯାହା ଉପରେ ଏବେ ଆଇନଗତ ଅଭିଯୋଗ ହେଉଛି। ଇଡି ଅଭିଯୋଗ କରିଛି ଯେ ଗାନ୍ଧି ପରିବାର ହିଁ ୟଙ୍ଗଇଣ୍ଡିଆନର ଅସଲି ଲାଭାର୍ଥୀ। କମ୍ପାନୀ କଥିତ ରୂପେ ନ୍ୟାସନାଲ ହେରଲ୍ଡର ମୂଳ କମ୍ପାନୀ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (ଏଜେଏଲ)ର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ ନିଜ ଆୟତ୍ତକୁ ନେଇଛନ୍ତି।
ଇଡି ଅନୁସାରେ ସେ ସମୟରେ ଏହି ସମ୍ପତ୍ତିର ମୂଲ୍ୟ ୨,୦୦୦ କୋଟି ଟଙ୍କାରୁ ବି ଅଧିକ ଥିଲା। ଏବେ ଏହାର ମୂଲ୍ୟ ୫ ହଜାର କୋଟି ଟଙ୍କା। ଇଡି ଅଭିଯୋଗ ଫର୍ଦ୍ଦରେ ଦାବି କରାଯାଇଛି ଯେ ସେ ୯୮୮ କୋଟି ଟଙ୍କାର ଅପରାଧିକ ଆୟର ସନ୍ଧାନ କରିଛନ୍ତି। ଏଥିରୁ ୭୫୫ କୋଟି ଟଙ୍କାରୁ ଅଧିକର ରିୟଲ ଇଷ୍ଟେଟ ଓ ଅନ୍ୟ ସମ୍ପତ୍ତି ଥିବା ବେଳେ ୯୦ କୋଟି ଟଙ୍କାର ସେୟାର ଓ ୧୪୨ କୋଟି ଟଙ୍କାର ଭଡ଼ା ରହିଛି।