ମଣିପୁର ହିଂସା ମାମଲା : ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଡିଓର ହେବ ଫରେନସିକ୍ ଟେଷ୍ଟ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

NEWS7
pony-ride-operator-who-tourist-claimed-asked-about-religion-detained-in-jk

ଇମ୍ପାଲ, ୦୯/୦୧: ୨୦୨୩ ମଣିପୁର ହିଂସାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ହିଂସା ସହ ଜଡିତ ଏକ ମାମଲାରେ ସେତେବେଳର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ଅଡିଓ ରେକର୍ଡିଂ ମାଗିଛନ୍ତି କୋର୍ଟ । ୪୮ ମିନିଟର ଅଡିଓ ରେକର୍ଡିଂ ସହ ଏହାର ଫରେନସିକ୍ ଟେଷ୍ଟ୍ ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କ ଅଡିଓକୁ ଗୁଜୁରାଟ ଗାନ୍ଧୀନଗର ସ୍ଥିତ ରାଷ୍ଟ୍ରୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ ପଠାଯାଉ । ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କୋର୍ଟଙ୍କ ତତ୍ୱାବଧାନରେ ଅଡିଓର ଯାଞ୍ଚ୍ ନେଇ ଦାଖଲ ହୋଇଥିବା ମାମଲାରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିଶ୍ୱବିଦ୍ୟାଳୟକୁ ତୁରନ୍ତ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରି ବନ୍ଦ ଲଫାପାରେ କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି ।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ବିରେନ ସିଂଙ୍କ ୪୮ ମିନିଟର କଥାବାର୍ତ୍ତା, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକୃତିପ୍ରାପ୍ତ ସ୍ୱର, ଏପରିକି ଆବେଦନକାରୀଙ୍କ ଓକିଲଙ୍କ ତରଫରୁ ଦାଖଲ ହୋଇଥିବା ସମସ୍ତ ଅଡିଓ କ୍ଲିପର ଯାଞ୍ଚ୍ ହେବ । ରାଷ୍ଟ୍ରୀୟ ଫରେନସିକ୍ ବିଶ୍ୱବିଦ୍ୟାଳରେ ବୈଜ୍ଞାନିକ ପଦ୍ଧତି ଅନୁସାରେ ଏହାର ଯାଞ୍ଚ୍ କରାଯାଇପାରିବ ।

ସୂଚନାଯୋଗ୍ୟ, ୨୦୨୫ ନଭେମ୍ବର ମାସରେ ରାଷ୍ଟ୍ରୀୟ ଫରେନସିକ୍ ୟୁନିଭର୍ସିଟି ସୁପ୍ରିମକୋର୍ଟଙ୍କୁ ସମାନ ମାମଲାରେ ରିପୋର୍ଟ ପ୍ରଦାନ କରିଥିଲା । ପୂର୍ବରୁ ପଠାଯାଇଥିବା ଅଡିଓକୁ ଟ୍ୟାମ୍ପରିଂ କରାଯାଇଥିବା ବିଶ୍ୱବିଦ୍ୟାଳୟ କହିଥିଲା । ଏହାକୁ ଆବେଦନକାରୀ ବିରୋଧ କରିଥିଲେ । ମଣିପୁର ପୋଲିସ ଯାଞ୍ଚ ପାଇଁ ୪୮ ମିନିଟର ଅଡିଓ ପରିବର୍ତ୍ତେ କିଛି ମିନିଟର ଅଡିଓ ଦାଖଲ କରିଥିବା ଆବେଦନକାରୀ କହିଥିଲେ ।

କୋର୍ଟରେ ମଣିପୁର ସରକାରଙ୍କର ତରଫରୁ ଆଡିସିନାଲ ଆଡଭୋକେଟ୍ ଜେନେରାଲ କହିଥିଲେ ଯେ, ପୂର୍ବରୁ ମାମଲାର ବିଚାର ହୋଇଛି । ସେତେବେଳେ ଅଡିଓକୁ ଯାଞ୍ଚ୍ କରାଯାଇଥିଲା । କିନ୍ତୁ ନୂଆ ଅଡିଓ କ୍ଲିପ୍ ଆବେଦନକାରୀ ଶୁଣାଣି ପରେ ଦାଖଲ କରିବା କଥା କହିଥିଲେ । ପ୍ରଥମେ ଆବେଦନକାରୀ ଅନେକ ତଥ୍ୟ ପ୍ରଦାନ କରିନଥିଲେ । ତେବେ ମାମଲାରେ କୋର୍ଟ ହସ୍ତକ୍ଷେପ କରି ୪୮ ମିନିଟର କ୍ଲିପକୁ ପୁନଃ ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।