ଭେନେଜୁଏଲା ଉପରେ ଆମେରିକାର ଆକ୍ରମଣରେ ବିଶ୍ୱ ନେତାଙ୍କ ପ୍ରତିକ୍ରିୟା: ତାତିଲେ ଚୀନ ଓ ଋଷ, ମାପିଚୁପି ରହିଲା ଭାରତ

NEWS7
india-has-successfully-carried-out-ground-test-of-the-scramjet-engine-for-more-than-1000-seconds

ନୂଆଦିଲ୍ଲୀଭେନେଜୁଏଲା ଉପରେ ଆମେରିକାର ଆକ୍ରମଣ ଓ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିବା ଘଟଣା ସାରା ବିଶ୍ୱକୁ ଚକ୍କିତ କରିଛି। ଏନେଇ ବିଶ୍ୱ ନେତାଙ୍କ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଚୀନ ଓ ଋଷ ଏହାକୁ ଦୃଢ଼ ନିନ୍ଦା କରିଥିବା ବେଳେ ଭାରତ ବହୁତ ମାପିଚୁପି ମନ୍ତବ୍ୟ ଦେଇଛି। ସେହିପରି ୟୁକେ କହିଛି ଏଥିରେ ଲୁହ ଗଡ଼ାଇବାର କିଛି ଆବଶ୍ୟକତା ନାହିଁ। ଆଉ ବ୍ରାଜିଲ କହିଛି ଆମେରିକା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ କରିଛି।

ଆମେରିକା ଶନିବାର ରାତି ଅଧିରେ ଭେନେଜୁଏଲା ଉପରେ ଆକ୍ରମଣ କଲା। ଏହାପରେ ତା’ର ରାଷ୍ଟ୍ରପତିଙ୍କୁ ପତ୍ନୀ ସହ ଶୋଇଥିବା ଅବସ୍ଥାରେ ବେଡ୍ ରୁମରୁ ଘୋଷାରି ଆଣିଲା। ଜଣେ ରାଷ୍ଟ୍ରମୁଖ୍ୟଙ୍କ ପ୍ରତି ଟ୍ରମ୍ପ ସରକାରଙ୍କର ଏଭଳି ଆଚରଣକୁ କିଛି ବିଶ୍ୱ ନେତା ଦୃଢ଼ ନିନ୍ଦା କରିଛନ୍ତି। କିଏ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଜାତିସଂଘ-ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ଜାତିସଂଘ ନିନ୍ଦା କରିଛି। ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସଙ୍କ ମୁଖପାତ୍ର କହିଛନ୍ତି ଯେ ସେ ଅନ୍ତର୍ଜାତୀୟ ଆଇନର ନିୟମକୁ ସମ୍ମାନ କରାଯାଇ ନଥିବା ନେଇ ଗଭୀର ଚିନ୍ତିତ ଅଛନ୍ତି,। ଏହି ଆକ୍ରମଣ ଏକ ବିପଜ୍ଜନକ ଉଦାହରଣ ବୋଲି କହିବା ସହିତ ଜାତିସଂଘ ଏଥିରେ ଗମ୍ଭୀର ଭାବରେ ଚିନ୍ତିତ ବୋଲି କହିଛନ୍ତି।

ଭାରତ-ଭେନେଜୁଏଲାରେ ଆମେରିକାର ଆକ୍ରମଣକୁ ନେଇ ଭାରତ ବଡ଼ ମାପିଚୁପି ମନ୍ତବ୍ୟ ଦେଇଛି। ରବିବାର ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ କୁହାଯାଇଛି। “ଭେନେଜୁଏଲାରେ ସାମ୍ପ୍ରତିକ ଘଟଣାବଳୀ ଗଭୀର ଚିନ୍ତାର ବିଷୟ। ଆମେ ପରିସ୍ଥିତି ଉପରେ ନଜର ରଖିଛୁ। ଭେନେଜୁଏଲାର ଲୋକଙ୍କ କଲ୍ୟାଣ ଏବଂ ସୁରକ୍ଷାକୁ ଭାରତ ପୁନଃ ସମର୍ଥନ କରୁଛି। ଆମେ ସମସ୍ତ ସମ୍ପୃକ୍ତଙ୍କୁ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ୟାର ସମାଧାନ କରିବାକୁ ଆହ୍ୱାନ କରୁଛୁ, ଯାହା ଫଳରେ ଏହି ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ ହେବ।” ଏଥିସହିତ ଭାରତ ଭେନେଜୁଏଲାରେ ରହିଥିବା ନାଗରିକଙ୍କ ପାଇଁ ସତର୍କ ସୂଚନା ଜାରି କରିବା ସହିତ ଅତି ଜରୁରୀ ନଥିଲେ ଏହି ଦେଶକୁ ନ ଯିବାକୁ ପରାମର୍ଶ ଦେଇଛି।

ଚୀନ-ଭେନେଜୁଏଲା ଉପରେ ଆକ୍ରମଣ ଓ ଏହାର ରାଷ୍ଟ୍ରପତିଙ୍କୁ ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଉଠାଇ ନେବାର ଚୀନ କ୍ଷୁବ୍ଧ ହୋଇଛି। ତୁରନ୍ତ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଛାଡ଼ିବାକୁ ଚୀନ ଆମେରିକାକୁ ଆହ୍ୱାନ ଦେଇଛି। ଘଟଣାରେ ଚୀନ ଦୁଇଥର ବୟାନ ଦେଇ ସାରିଲାଣି। ରବିବାର ଚୀନ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଆମେରିକା କହିଛି। ଏବଂ ଭେନେଜୁଏଲାର ସରକାରଙ୍କୁ ଭାଙ୍ଗିବା ବନ୍ଦ କରିବାକୁ ସେ ଆହ୍ୱାନ ଦେଇଛି। ତା ଛଡ଼ା ଆମେରିକାର ଏହି ଆକ୍ରମଣ ଆନ୍ତର୍ଜାତୀୟ ଆଇନର ସ୍ପଷ୍ଟ ଉଲ୍ଲଂଘନ ବୋଲି କହିଛି।

ଏହା ପୂର୍ବରୁ ଶନିବାର ବେଜିଂ ଭେନେଜୁଏଲା ଓ ଏହାର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆମେରିକା ନିଜର ଆଧିପତ୍ୟ ଦେଖାଇବା ପାଇଁ ବଳପ୍ରୟୋଗର କରିଛି ବୋଲି କହିଥିଲା। ଏବଂ ଆମେରିକାକୁ ନିନ୍ଦା କରିଥିଲା। ଆମେରିକା ଜାତିସଂଘର ନିୟମ ପାଳନ କରୁ ବୋଲି ଚୀନ ଆହ୍ୱାନ ଦେଇଥିଲା।

ଋଷିଆ-ଘଟଣାକୁ ନେଇ ଋଷ ଚିନ୍ତା ବ୍ୟକ୍ତ କରିଛି। ଏବଂ ଏହା ଆମେରିକାର ଆକ୍ରୋଶମୁଳକ ଆକ୍ରମଣ ବୋଲି କହିଛି। ଋଷ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେ ଏହି ପରିସ୍ଥିତିର ତୁରନ୍ତ ସ୍ପଷ୍ଟୀକରଣ ପାଇଁ ଆହ୍ୱାନ କରୁଛୁ। ଯଦି ଏପରି କାର୍ଯ୍ୟ ପ୍ରକୃତରେ ଘଟିଛି, ତେବେ ଏହା ଏକ ସ୍ୱାଧୀନ ରାଷ୍ଟ୍ରର ସାର୍ବଭୌମତ୍ୱର ଏକ ଅଗ୍ରାହ୍ୟ ଓ ଉଲ୍ଲଂଘନ। ଯାହାକୁ ସମ୍ମାନ ଜଣାଇବା ଅନ୍ତର୍ଜାତୀୟ ଆଇନର ଏକ ପ୍ରମୁଖ ନୀତି। ଏପରି କାର୍ଯ୍ୟକୁ ଯଥାର୍ଥ ବୋଲି ଦର୍ଶାଇବା ପାଇଁ ଦିଆଯାଉଥିବା ବାହାନାଗୁଡ଼ିକ ନିରର୍ଥକ। ବିଚାରାଧାରାର ଶତ୍ରୁତା ବିଜନେଶବାଲା ପ୍ରାକ୍ଟିକାଲ୍ ଚିନ୍ତାଧାରଣ ଉପରେ ବିଜୟ ହାସଲ କରିଛି ବୋଲି ଋଷ କହିଛି।ବ୍ରାଜିଲ-ବ୍ରାଜିଲ୍ ରାଷ୍ଟ୍ରପତି ଆମେରିକାର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏନେଇ ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଭେନେଜୁଏଲା ଅଞ୍ଚଳରେ ବୋମା ବିସ୍ଫୋରଣ ଏବଂ ଏହାର ରାଷ୍ଟ୍ରପତିଙ୍କୁ ବନ୍ଦୀ କରି ଆମେରିକା ଏମିତି ଏକ ସୀମା ପାର୍ କରିଛି ଯାହାକୁ ବରଦାସ୍ତ କରି ହେବ ନାହିଁ। ଏଭଳି କାର୍ଯ୍ୟ ଭେନେଜୁଏଲାର ସାର୍ବଭୌମତ୍ୱ ଉପରେ ଏକ ବଡ଼ ଆକ୍ରମଣ, ଏବଂ ଅନ୍ତର୍ଜାତୀୟ ସମୁଦାୟ ପାଇଁ ଏକ ଅତ୍ୟନ୍ତ ଭୟଙ୍କର ଘଟଣା।

ଅନ୍ତର୍ଜାତୀୟ ଆଇନର ଖୋଲା ଉଲ୍ଲଂଘନ କରି ଦେଶଗୁଡ଼ିକୁ ଆକ୍ରମଣ କରିବା ହେଉଛି ହିଂସା, ବିଶୃଙ୍ଖଳା ଏବଂ ବିଶ୍ୱକୁ ଅସ୍ଥିରତା ଆଡ଼କୁ ଟାଣି ନେବାର ଏକ ପ୍ରଥମ ପଦକ୍ଷେପ, ଯେଉଁଠାରେ ବହୁପକ୍ଷ ଚିନ୍ତାଧାର ଉପରେ କେବଳ ସବୁଠାରୁ ଶକ୍ତିଶାଳୀର ପ୍ରାଧାନ୍ୟ ରହିବ। ଜାତିସଂଘ ମାଧ୍ୟମରେ ଅନ୍ତର୍ଜାତୀୟ ସମୁଦାୟକୁ ଏହି ଘଟଣାକୁ ଜୋରଦାର ବିରୋଧ କରିବାକୁ ପଡ଼ିବ ବୋଲି ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା କହିଛନ୍ତି। ଏଥିସହିତ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ୟୁକେ- ଆମେରିକାର ସବୁ କାର୍ଯ୍ୟର ସମର୍ଥନ କରୁଥିବା ବ୍ରିଟେନ୍ କିନ୍ତୁ ଏଥିରେ ଓଲଟା ପ୍ରତିକ୍ରିୟା ଦେଇଛି। ଏଥିରେ ଲୁହ ଗଡ଼ାଇବା ଭଳି କିଛି ନାହିଁ ବୋଲି କହିଛନ୍ତି ୟୁକେ ପ୍ରଧାନମନ୍ତ୍ରୀ କିଏର ଷ୍ଟାରମର। ବିବିସିକୁ ପ୍ରତିକ୍ରିୟା ଦେବା ବେଳେ ସେ ଆମେରିକାର କାର୍ଯ୍ୟକୁ ନିନ୍ଦା ନ କରି କଥାକୁ ଏଡ଼ାଇ ଦେଇଛନ୍ତି। ଏବଂ ସେ ସବୁବେଳେ ଅନ୍ତର୍ଜାତୀୟ ନିୟମ ପକ୍ଷରେ ବୋଲି କହିଛନ୍ତି। ଶନିବାର ରାତିରେ ଏକ୍ସରେ ପୋଷ୍ଟ କରି ଷ୍ଟାରମର ଲେଖିଛନ୍ତି ଯେ ଆମେ ମାଦୁରଙ୍କୁ ଜଣେ ଅବୈଧ ରାଷ୍ଟ୍ରପତି ବୋଲି ଭାବୁଥିଲୁ। ଏବଂ ତାଙ୍କ ଶାସନର ଅନ୍ତଃ ଘଟିବା ବିଷୟରେ ଆମେ କୌଣସି ଲୁହ ଢାଳି ନାହୁଁ। ତେବେ ଆଗକୁ ଆମେ ଭେନେଜୁଏଲା ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଉଥିବା ଏକ ସରକାର ଗଠନ ଦିଗରେ ଆମେରିକା ସହ କଥା ହେବୁ ବୋଲି ଷ୍ଟାରମର କହିଛନ୍ତି।

ଇରାନ- ଆମେରିକା ସହିତ ଇରାନର ବିବାଦ ଲାଗ ରହିଥିବା ଇରାନ ଏହାକୁ ଦେଶର ଜାତୀୟ ସାର୍ବଭୌମତ୍ୱର ଏକ ଘୃଣ୍ୟ ଉଲ୍ଲଂଘନ ବୋଲି କହିଛି।

ଅନେକ ଲାଟିନ୍ ଆମେରିକୀୟ ନେତା ଆମେରିକାର କାର୍ଯ୍ୟକୁ ନିନ୍ଦା କରିଛନ୍ତି।

କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏହି ଆକ୍ରମଣକୁ ଲାଟିନ୍ ଆମେରିକାର ସାର୍ବଭୌମତ୍ୱ ଉପରେ ଆକ୍ରମଣ ବୋଲି କହିଥିବା ବେଳେ ଚିଲିର ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଘଟଣାକୁ ନିନ୍ଦା କରିବା ସହ ଚିନ୍ତା ପ୍ରକାଶ କରିଛନ୍ତି। ଦେଶକୁ ପ୍ରଭାବିତ କରୁଥିବା ଗମ୍ଭୀର ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ଆହ୍ୱାନ ଦେଇଛନ୍ତି।

ସେହିପରି କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କେନ ଆମେରିକାର ଏହି କାର୍ଯ୍ୟକୁ ଏକ ଅପରାଧୀକ ଆକ୍ରମଣ ବୋଲି କହିଛି। ସେପଟେ ଉରୁଗୁଏ ଏହାକୁ ଧ୍ୟାନ ଦେବାର ଏବଂ ଏକ ଗମ୍ଭୀର ଚିନ୍ତାର ବିଷୟ ବୋଲି କହିଛି। ସାମରିକ ହସ୍ତକ୍ଷେପକୁ ଉରୁଗୁଏ ସର୍ବଦା ପ୍ରତ୍ୟାଖ୍ୟାନ କରେ ବୋଲି କହିଛି।

ଆର୍ଜେଣ୍ଟିନା-ଟ୍ରମ୍ପଙ୍କୁ ନିଜର ପସନ୍ଦର ରାଷ୍ଟ୍ରପତି କହୁଥିବା ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର ମାଇଲି କିନ୍ତୁ ଏହାକୁ ପରୋକ୍ଷରେ ତାରିଫ କରିଛନ୍ତି। ସୋସିଆଲସ୍ୱାଧୀନତା ଆଗକୁ ବଢ଼େ ଓ ଦୀର୍ଘଜୀବୀ ହୁଏ ବୋଲି ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି।

ଇୟୁ- ୟୁରୋପୀୟ ସଂଘର ଶୀର୍ଷ କୂଟନୀତିଜ୍ଞ କାଜା କାଲାସ ସଂଗଠନର ଆଭିମୁଖ୍ୟ ପ୍ରକାଶ କରି ମାଦୁରଙ୍କ ସରକାରଙ୍କୁ ବେଆଇନ ବୋଲି କହିଛନ୍ତି। ତେଣୁ ଶାନ୍ତିପୂର୍ଣ୍ଣ କ୍ଷମତା ପରିବର୍ତ୍ତନ ହେବା ଉଚିତ ଏବଂ ଅନ୍ତର୍ଜାତୀୟ ଆଇନର ନୀତିଗୁଡ଼ିକୁ ସମ୍ମାନ କରାଯିବା ଉଚିତ ବୋଲି ସେ କହିଛନ୍ତି। ଫ୍ରାନ୍ସ ଫ୍ରେସିଡେଣ୍ଟ ଇମାନୁଏଲ ମାକ୍ରୋନ ଏହାକୁ ନିନ୍ଦା ନ କରି ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର କରିବା କ୍ଷେତ୍ରରେ ମତ ଦେଇଛନ୍ତି। ସେହିପରି ଜର୍ମାନୀ ଚେର୍ଛା ଭାବେ ଆମେରିକାର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରିଛି। ଜର୍ମାନ ଚାନ୍ସସେଲର ଫ୍ରେଡ୍ରିକ୍ ମର୍ଜ କହିଛନ୍ତି ଯେ ଆମେରିକାର କାର୍ଯ୍ୟାନୁଷ୍ଠାନର ଆଇନଗତ ବୈଧତା ଜଟିଳ ବୋଲି କହିବା ସହ ଅନ୍ତର୍ଜାତୀୟ ଆଇନ ଲାଗୁ ହେବା ଆବଶ୍ୟକ ବୋଲି କହିଛନ୍ତି।‘

ଇସ୍ରାଏଲ୍- ସେପଟେ ଆମେରିକାର ଜଣେ ଦୃଢ଼ ସହଯୋଗୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ରମ୍ପଙ୍କ କାର୍ଯ୍ୟକୁ ସ୍ୱାଗତ କରିଛନ୍ତି। ସ୍ୱାଧୀନତା ଏବଂ ନ୍ୟାୟ ପାଇଁ ଟ୍ରମ୍ପ ସାହସିକ ଓ ଐତିହାସିକ ନେତୃତ୍ୱ ଦେଖାଇଛନ୍ତି ବୋଲି ସେ ଅଭିନନ୍ଦନ ଜଣାଇଛନ୍ତି।

କାନାଡ଼ା- କାନାଡାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ କହିଛନ୍ତି ଯେ "କାନାଡା ସମସ୍ତ ପକ୍ଷଙ୍କୁ ଆନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବାକୁ ଆହ୍ୱାନ କରୁଛି ଏବଂ ଆମେ ଭେନେଜୁଏଲାର ଲୋକଙ୍କ ସହିତ ଏବଂ ଏକ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ସମାଜରେ ବଞ୍ଚିବାର ସେମାନଙ୍କ ଇଚ୍ଛା ସହିତ ଠିଆ ହେଉଛୁ।"

ନରୱେ- ଏହି ଦେଶ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହିତ ଏହା ଅନ୍ତର୍ଜାତୀୟ ନିୟମର ଭିତରେ ନାହିଁ ବୋଲି କହିଛି।