କିପରି, କେବେ ଓ କେଉଁଠି ହେବ ଆକ୍ସନ, ସେନା ନେବ ନିଷ୍ପତ୍ତି; ତିନି ସେନା ମୁଖ୍ୟଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଲେ ପିଏମ୍ ମୋଦୀ

Published By : Prameya-News7 Bureau | April 29, 2025 IST

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣର ପଲଟା ଜବାବ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି । ମଙ୍ଗଳବାର ସଂଧାରେ ପିଏମ୍ ଆବାସରେ ହୋଇଥିବା ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ତିନି ସେନାର ପ୍ରମୁଖଙ୍କୁ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଡ଼ା ଜବାବ ଦେବା ଆମ ରାଷ୍ଟ୍ରୀୟ ସଂକଳ୍ପ ଅଟେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲଟା ଜବାବର ପ୍ରକ୍ରିୟା, ସ୍ଥାନ ଓ ସମୟ, ସବୁର ନିର୍ଦ୍ଧାରଣ କରିବାର ଅଧିକାର ସଶସ୍ତ୍ରବଳଙ୍କୁ ଦିଆଯାଇଛି । ଏହି ଆକ୍ରମଣରେ ସାମିଲ ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କୁ ପୃଥିବୀର ଶେଷ ଠିକଣା ଯାଏ ପିଛା କରି ଓ ସେମାନଙ୍କୁ କଳ୍ପନା ବାହାରେ ଦଣ୍ଡ ଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ପହଲଗାନ ଆକ୍ରମଣ ଜାମ୍ମୁ କାଶ୍ମୀରରେ ନାଗରିକଙ୍କ ଉପରେ ଗତ ଅନେକ ବର୍ଷରେ ସବୁଠୁ ବଡ଼ ଘାତକ ଆକ୍ରମଣ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ପ୍ରଧାନମନ୍ତ୍ରୀଙ୍କ କଠୋର ଟିପ୍ପଣୀ ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କ କଡ଼ା ଅଭିମୁଖ୍ୟରେ ବଡ଼ ଧରଣର ପାଲଟା ଜବାବ ମିଳିବା ନେଇ ଆଶା ବଢିଛି । 

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ମାମଲାର କ୍ୟାବିନେଟ୍ ସମିତି ବୈଠକ ଗୋଟିଏ ଦିନ ପୂର୍ବରୁ ଏହି ବୈଠକ ହୋଇଥିଲା । ସିସିଏସ୍ ହେଉଛି ରାଷ୍ଟ୍ରୀୟ ସୁରକ୍ଷା ମାମଲାରେ ନିଷ୍ପତ୍ତି ନେଉଥିବା ସରକାରଙ୍କ ସର୍ବୋଚ୍ଚ ସଂସ୍ଥା । ଏହି ବୈଠକ ପୂର୍ବରୁ ଗୃହ ମନ୍ତ୍ରଣାଳୟରେ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ବିଏସଫ୍, ଆସାମ ରାଇଫାଲ୍ସ ଓ ଏନଏସଜି ଡିଜି ଉପସ୍ଥିତ ଥିଲେ । ବୈଠକରେ ସିଆରପିଏଫ୍, ଏସଏସବି ଓ ସିଆଇଏସଏଫର ବରିଷ୍ଠ ଅଧିକାରୀ ବି ସାମିଲ ହୋଇଥିଲେ । ବୁଧବାର ସିସିଏସ୍ ବୈଠକ ପୂର୍ବରୁ ଦିଲ୍ଲୀରେ ଘନଘନ ବୈଠକ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.