LIVE TV

ଲକ୍ଷ୍ମୀ ବସ୍‌ରେ ଯୁବକଙ୍କ ଉନ୍ମତକାଣ୍ଡ : ବସ୍‌ରେ ପଶି ଯାତ୍ରୀଙ୍କୁ କଟୁରୀରେ ହାଣିଲେ

NEWS7
Kanas

ସତ୍ୟବାଦୀ ୭।୧୦: ଚଳନ୍ତା ବସ୍‌ରେ ଯୁବକଙ୍କ ଉନ୍ମତକାଣ୍ଡ । ‘ଲକ୍ଷ୍ମୀ ବସ୍‌’ରେ ପଶି ଯାତ୍ରୀଙ୍କୁ ହାଣିଲେ ଉନ୍ମତ ଯୁବକ । କଟୁରୀରେ ଯାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ପୁରୀ ଜିଲ୍ଲା କଣାସ ବ୍ଲକ୍ କୋଟକଣା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ହରଶପଡ଼ାରୁ ସୁକଳ ଯାଉଥିବା ‘ଲକ୍ଷ୍ମୀ ବସ୍‌’ରେ ଚଢି ଜଣେ ଯୁବକ କିଛି ଯାତ୍ରୀଙ୍କୁ ଆକ୍ରମଣ କରିଛି । ହଠାତ୍ ବସ୍‌ରେ ପଶି ଯୁବକ ଜଣଙ୍କ କଟୁରୀ ସାହାଯ୍ୟରେ ଯୁବକ ଯାହାକୁ ପାଇଥିଲା ତାକୁ ହାଣିଥିଲା । ଯୁବକଙ୍କ ଆକ୍ରମଣରେ ବସ୍‌ରେ ଥିବା ପ୍ରାୟ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଏ ନେଇ ଖବର ପାଇ ଘଟଣାସ୍ଥଳରେ କଣାସ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା । ସେହି ସମୟରେ ଯୁବକ ଜଣଙ୍କ ପୋଲିସକୁ ମଧ୍ୟ ଆକ୍ରମଣ କରିଥିବା ଜଣାପଡିଛି । ଶେଷରେ ପୋଲିସ ସଂପୃକ୍ତ ଯୁବକଙ୍କୁ କାବୁ କରିଥିଲା । ଏହାସହ ଆହତ ଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଯୁବକ ଜଣଙ୍କ କାହିଁକି ଏଭଳି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ଜଣାପଡିନାହିଁ । ଯୁବକଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।