News7 Logo

ରାହୁଲ ଗାନ୍ଧିଙ୍କ ରାୟବରେଲୀ ଗସ୍ତକୁ ଯୋଗୀ ମନ୍ତ୍ରୀଙ୍କ ବିରୋଧ, ୨୦ ମିନିଟ୍ ଧରି ଅଟକାଇଲେ ରାସ୍ତା

NEWS7
protest

ରାୟବରେଲୀ ୧୦।୯: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ତାଙ୍କ ଲୋକସଭା ନିର୍ବାଚନମଣ୍ଡଳୀ ରାୟବରେଲୀ ଗସ୍ତରେ ପହଞ୍ଚିଛନ୍ତି। ଏହା ତାଙ୍କର ଦୁଇ ଦିବସୀୟ ଗସ୍ତ କାର୍ଯ୍ୟକ୍ରମ। ତେବେ ତାଙ୍କର ଏହି ଗସ୍ତକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦିନେଶ ପ୍ରତାପ ସିଂହ ସମର୍ଥକଙ୍କ ସହ ପହଞ୍ଚି ବିରୋଧ କରିଛନ୍ତି। ରାହୁଲ ଗାନ୍ଧିଙ୍କ ରାସ୍ତାକୁ ଅବରୋଧ କରି ଯୋଗୀଙ୍କ ମନ୍ତ୍ରୀ ସଡ଼କ ଉପରେ ବସି ଯାଇଥିଲେ। ତେବେ ତାଙ୍କୁ ବୁଝାସୁଝା କରିବା ପରେ ରାହୁଲଙ୍କ ଗାଡି ଆଗକୁ ଗଡିଥିଲା।

ରାହୁଲ ଗାନ୍ଧିଙ୍କ ରାସ୍ତାରେ ରାଜ୍ୟ ମନ୍ତ୍ରୀଙ୍କ ଏପରି ପ୍ରଦର୍ଶନ ପୋଲିସ ଓ ପ୍ରଶାସନକୁ କିଛି ସମୟ ପର୍ଯ୍ୟନ୍ତ ଅକଳରେ ପକାଇଥିଲା। ଫଳରେ ରାହୁଲଙ୍କ ଯାତ୍ରା ପାଖାପାଖି ୨୦ ମିନିଟ୍ ପର୍ଯ୍ୟନ୍ତ ରାସ୍ତାରେ ଅଟକି ରହିଥିଲା। ରାହୁଲ ଲକ୍ଷ୍ନୌରୁ ରାୟବରେଲୀ ଆସିବା ବେଳେ ହରଚନ୍ଦପୁର କ୍ଷେତ୍ରର ଗୁଲୁପୁର ନିକଟରେ ଦିନେଶ ପ୍ରତାପ ଓ ତାଙ୍କ ସମର୍ଥକମାନେ ରାସ୍ତା ଅବରୋଧ କରିଥିଲେ। ଦିନେଶ ପ୍ରତାପ ସିଂହ ଓ କାର୍ଯ୍ୟକର୍ତ୍ତା ଲକ୍ଷ୍ନୌ-ପ୍ରୟାଗରାଜ ହାଇୱେକୁ ଅବରୋଧ କରିଥିଲେ।

ରାହୁଲଙ୍କ ଗାଡି଼ ପଛକୁ ଫେରିନଥିଲା। ଏଣୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଉତକ୍ଷିପ୍ତ ହୋଇ ପଡିଥିଲେ। ତେବେ ମନ୍ତ୍ରୀ କାର୍ଯ୍ୟକର୍ତ୍ତାଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଦିନେଶ ସିଂହ କହିଥିଲେ ଯେ ରାହୁଲ ଗାନ୍ଧିଙ୍କୁ କ୍ଷମା ଯାଚନା କରିବା ଉଚିତ। ବିହାରରେ ରାହୁଲ ଉପସ୍ଥିତ ଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ମାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରାଯାଇଥିଲା। ମନ୍ତ୍ରୀ କହିଥିଲେ ଯେ ଏହା ସମାଜ ନିମନ୍ତେ କୌଣସି ପ୍ରକାର ଉଚିତ ନୁହେଁ।

ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ବିରୋଧ ଯୋଗୁ କିଛି ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା। ତେବେ ପରେ ପ୍ରଦର୍ଶନକାରୀ ରାସ୍ତା ଅବରୋଧ ଆନ୍ଦୋଳନରୁ ଓହରି ଯାଇଥିଲେ। ରାହୁଲ ଗାନ୍ଧି ୨ ଦିବସୀୟ ନିର୍ବାଚନମଣ୍ଡଳି ଗସ୍ତରେ ଆସିଛନ୍ତି। ଏଥି ପାଇଁ ସେ ଲକ୍ଷ୍ନୌ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରୁ ରାହୁଲ ସଡ଼କ ମାର୍ଗରେ ରାୟବରେଲୀ ଗସ୍ତରେ ଯାଇଛନ୍ତି।