News7 Logo

ଲୋହିତ ସାଗରରେ ସମାପ୍ତ ହେବ ୟେମେନ ହୁତୀଙ୍କ ଆତଙ୍କ, ଆକ୍ସନରେ ସାଉଦୀ ଆରବ,ମିଳିଲା ୩୫ ଦେଶଙ୍କ ସମର୍ଥନ

NEWS7
Yemen

ରିୟାଦ ୧୭।୯: ଲୋହିତ ସାଗରରେ ଆତଙ୍କର ପର୍ଯ୍ୟାୟ ପାଲଟିଥିବା ୟେମେନର ହୁତୀ ବିଦ୍ରୋହୀଙ୍କ ବିରୋଧରେ ସାଉଦୀ ଆରବ ଓ ବ୍ରିଟେନ ଏବେ ଅଣ୍ଟା ଭିଡିଛନ୍ତି। ଲୋହିତ ସାଗରରେ ୟେମେନ ସରକାରଙ୍କ କୋଷ୍ଟଗାର୍ଡକୁ ମଜଭୁଚ କରିବେ ବୋଲି ବ୍ରିଟେନ ଓ ସାଉଦୀ ଆରବ ଘୋଷଣା କରିଛନ୍ତି। ୟେମେନ ସରକାରଙ୍କୁ ସାରା ବିଶ୍ୱ ମାନ୍ୟତା ଦେଇଛି। ଏହା ଛଡା ୟେମେନକୁ ସାଉଦୀ ଆରବର ଖୋଲା ସମର୍ଥନ ମଧ୍ୟ ରହିଛି। ତେବେ ହୁତୀମାନେ ଦେଶର ଏକ ବିଶାଳ ଅଞ୍ଚଳରୁ ୟେମେନ ସରକାରଙ୍କୁ ତଡି ତା ଉପରେ ନିୟନ୍ତ୍ରଣ ହାସଲ କରିଛନ୍ତି।

ହୁତୀଙ୍କୁ ସିୟା ଦେଶ ଇରାନରୁ ସମର୍ଥନ ମିଳୁଛି। ଇସ୍ରାଏଲର ଗାଜା ଆକ୍ରମଣ ପରଠାରୁ ହୁତୀମାନେ ଲୋହିତ ସାଗର ଦେଇ ଯାତାୟାତ କରୁଥିବା ଜାହାଜଙ୍କୁ ଆକ୍ରମଣ କରୁଛନ୍ତି। ଏଣୁ ସିପିଙ୍ଗ ଉଦ୍ୟୋଗକୁ ବଡ଼ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ହୁତୀମାନେ ଇସ୍ରାଏଲ ସମ୍ପର୍କିତ ମାଲବାହକ ପୋତଙ୍କୁ ଅପହରଣ ମଧ୍ୟ କରୁଛନ୍ତି। ଏଣୁ ବାଣିଜ୍ୟିକ ଜାହାଜମାନେ ଲୋହିତ ସାଗରକୁ ଟାଳି ଆଫ୍ରିକା ଦେଇ ଲାଗାତାର ଯାତାୟାତ କରୁଛନ୍ତି। ତେବେ ହୁତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩୫ ଦେଶ ଆର୍ଥିକ ସହଯୋଗ ନିମନ୍ତେ ବ୍ରିଟେନ ରାଜଦୂତ କହିଛନ୍ତି। ଏଥିରେ ୟେମେନ କୋଷ୍ଟଗାର୍ଡକୁ ମଜଭୁତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମରେ ୟେମେନ କୋଷ୍ଟଗାର୍ଡକୁ ଅସ୍ତ୍ରଶସ୍ତ୍ର ଓ ଟ୍ରେନିଂ ଦିଆଯିବ। ବ୍ରିଟେନ ଦୂତାବାସ କହିଛି ଯେ ଏହି ଅଭିଯାନକୁ ୩୫ ଦେଶଙ୍କ ସମର୍ଥନ ମିଳିଛି। ଏଥିରେ ଆମେରିକା, ଅଷ୍ଟ୍ରେଲିୟା, କାନାଡ଼ା, ଜାପାନ ଓ ଉପସାଗରୀୟ ଦେଶମାନେ ସମର୍ଥନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ କେବଳ ସାଉଦୀ ଆରବ ସରକାର ଏକାକୀ ୪୦ଲକ୍ଷ ଡଲାର ସହଯୋଗ କରିବାକୁ ଯାଉଛନ୍ତି। ଇରାନ ସମର୍ଥୀତ ହୁତୀ ଲଗାତାର ଇସ୍ରାଏଲ ଉପରକୁ ଡ୍ରୋନ ଓ ମିଜାଇଲ ଆକ୍ରମଣ କରୁଛନ୍ତି। ସେହିପରି ଜାପାନର ୟେମେନ ରାଜଦୂତ କହିଛନ୍ତି ଯେ ଦେଶର ଉପକୂଳ ଅଞ୍ଚଳ ଉପରେ ନିୟନ୍ତ୍ରଣ ମିଳିବା ପରେ ବି ହୁତୀଙ୍କ ଆତଙ୍କ ସମାପ୍ତ ହେଉନି।

ତେବେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମକୁ ଏବେ ହୁତୀଙ୍କ ବିରୋଧରେ ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି। ଏହା ପରେ ଆହୁରି ଅନେକ ପଦକ୍ଷେପ ନିଆଯିବ। ଇତି ମଧ୍ୟରେ ୟେମେନର ବନ୍ଦର ସହର ହୋଦେଦା ଉପରେ ଇସ୍ରାଏଲ ଆକ୍ରମଣ ପରେ ଇରାନ ସମର୍ଥିତ ହୁତୀ ବିଦ୍ରୋହୀମାନେ ସେମାନଙ୍କ ଏୟାରଡିଫେନ୍ସ ସିଷ୍ଟମକୁ ସକ୍ରିୟ କରିଛନ୍ତି। ହୁତୀ ମୁଖପାତ୍ର ଏହି ସୂଚନା ଦେଇଛନ୍ତି।