ନୂଆଦିଲ୍ଲୀ: ବିଶ୍ୱ ବକ୍ସିଂ କପ୍ ଫାଇନାଲରେ ଭାରତର ଝିଅମାନେ ଦେଶର ମାନ ବଢାଇଛନ୍ତି । ନିକହତ ଜରୀନ, ମୀନାକ୍ଷୀ ହୁଡ୍ଡା ଓ ପ୍ରୀତି ପାୱାର ସମେତ ପାଞ୍ଚ ଜଣ ବକ୍ସର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ନିକହତ (୫୧ କିଲୋଗ୍ରାମ) ଚୀନ ତାଇପେ ବକ୍ସର ଜୁଆନ ୟି ଗୁୟୋଙ୍କୁ ହରାଇ ଏହି ବିଜୟ ପାଇଛନ୍ତି । ନିକହତଙ୍କ ବ୍ୟତୀତ ମୀନାକ୍ଷୀ ହୁଡ୍ଡା (୪୮ କିଲୋଗ୍ରାମ), ପ୍ରୀତି ପାୱାର (୫୪ କିଲୋଗ୍ରାମ), ଅରୁନ୍ଧତୀ (୭୦ କିଲୋଗ୍ରାମ) ଓ ନୂପୁର ଶେଓରେନ (୮୦+ କିଲୋଗ୍ରାମ)ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଗ୍ରେଟର ନୋଏଡାର ବିଜୟ ସିଂହ ପଥିକ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳାଯାଉଥିବା ବିଶ୍ୱ ବକ୍ସିଂ କପ୍ ୨୦୨୫ର ଫାଇନାଲରେ ଭାରତର ଝିଅମାନେ ତ୍ରିରଙ୍ଗା ଉଡ଼ାଇଛନ୍ତି । ମୀନାକ୍ଷୀ ହୁଡ୍ଡା ୪୮ କିଲୋଗ୍ରାମ ବର୍ଗରେ ଉଜବେକିସ୍ତାନର ଫୋଜିଲୋଭା ଫରଜୋନାଙ୍କୁ ୫-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବିଜୟ ପରେ, ସେ କହିଛନ୍ତି, "ମୁଁ ବହୁତ ଖୁସି । ମୁଁ ମୋ ଜିଲ୍ଲା ପ୍ରଶିକ୍ଷକ ବିଜୟ ହୁଡ୍ଡାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ମୋତେ ସପୋର୍ଟ କରିଥିଲେ ।"

ପ୍ରୀତି ପାୱାର (୫୪ କିଲୋଗ୍ରାମ) ଇଟାଲୀର ସିରିନ୍ ଚାରାବିଙ୍କୁ ୫-୦ରେ ପରାସ୍ତ କରି ଭାରତର ପଦକ ତାଲିକାରେ ଆଉ ଏକ ସ୍ୱର୍ଣ୍ଣ ପଦକ ଯୋଡିଥିଲେ । ଅରୁନ୍ଧତୀ ଚୌଧୁରୀ (୭୦ କିଲୋଗ୍ରାମ) ଉଜବେକିସ୍ତାନର ଜୋକିରୋଭା ଅଜିଜାଙ୍କୁ ୫-୦ରେ ପରାସ୍ତ କରି ଭାରତକୁ ତୃତୀୟ ସ୍ୱର୍ଣ୍ଣ ପଦକ ଦେଇଥିଲେ । ଏହା ପରେ, ନୂପୁର (୮୦+ କିଲୋଗ୍ରାମ) ଉଜବେକିସ୍ତାନର ସୋଟିମ୍ବୋଏଭା ଓଲଟିନୋୟଙ୍କୁ ୫-୦ରେ ପରାସ୍ତ କରି ଦିନର ଚତୁର୍ଥ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ନିକହତ ଜରୀନ ଚାଇନିଜ୍ ତାଇପେର ବକ୍ସର ଜୁଆନ୍ ୟି ଗୁଓଙ୍କୁ ପରାସ୍ତ କରି ଭାରତ ପାଇଁ ପଞ୍ଚମ ସ୍ୱର୍ଣ୍ଣ ପଦକ ଜିତିଥିଲେ ।