ନୂଆଦିଲ୍ଳୀ ୨୯।୦୫; ଆସନ୍ତା ୫ ବର୍ଷ ମଧ୍ୟରେ ସାରା ବିଶ୍ବରେ ପ୍ରବଳ ଗରମ ଅନୁଭୂତ ହେବ। ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ ଓ ଏଲ୍-ନିନୋ ପ୍ରଭାବ ଯୋଗୁଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ବଢିବାର ଆଶଙ୍କା ରହିଛି। ଆଗକୁ ଆହୁରି ଭୟଙ୍କର ପ୍ରଚଣ୍ଡ ଜ୍ବାଳା ଦେଖାଦେବ । ଆଉ ଏହା ସବୁ ବର୍ଷର ରେକର୍ଡକୁ ଅତିକ୍ରମ କରିବ । ୨୦୩୦ ମସିହା ସୁଦ୍ଧା ବିଶ୍ବରେ ପ୍ରଳୟଙ୍କାରୀ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଜାରି କରିଛି ବିଶ୍ବ ପାଣିପାଗ ସଂଗଠନ ତଥା WMOଜାତିସଂଘର ଏହି ସଂଗଠନର ରିପୋର୍ଟ ଅନୁସାରେ ୨୦୨୬ରୁ ୨୦୩୦ ମସିହା ମଧ୍ୟରେ ବିଶ୍ବ ତାପମାତ୍ରା ୧.୩ ଡିଗ୍ରୀରୁ ୧.୯ ଡିଗ୍ରୀରୁ ଅଧିକ ରହିବବୋଲି ୭୫ ପ୍ରତିଶତ ସମ୍ଭାବନା ରହିଛି ।

ଏପରିକି ବିଶ୍ବବାସୀଙ୍କୁ ସର୍ବକାଳୀନ ରେକର୍ଡ ଭାଙ୍ଗିବା ଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ପଡିପାରେ। ୨୦୨୪ ମସିହା ସବୁଠାରୁ ଗରମର ବର୍ଷ ଥିଲା । କିନ୍ତୁ ଆସନ୍ତା ୫ ବର୍ଷରେ ଏହି ରେକର୍ଡ ଭାଙ୍ଗିବାର ୮୬ ପ୍ରତିଶତ ସମ୍ଭାବନା ରହିଛି ବୋଲି WMO ପକ୍ଷରୁ କୁହାଯାଇଛି। ଜାତିସଂଘର ପରିବେଶ ବିଶେଷଜ୍ଞଙ୍କ ମତରେ ପୃଥୀବରେ ଅତ୍ୟଧିକ ମାତ୍ରାରେ ଗରମ ହେବାର ମୁଖ୍ୟତଃ ଦୁଇଟି କାରଣ ରହିଛି।

ଏହି ରିପୋର୍ଟରେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଆର୍କଟିକ ଅଞ୍ଚଳ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ପ୍ରାୟ ୩.୫ ଗୁଣ ଦ୍ରୁତ ଗତିରେ ଉଷ୍ମ ହେଉଛି। ୨୦୨୬ ରୁ ୨୦୩୦ ପର୍ଯ୍ୟନ୍ତ, ଆର୍କଟିକର ତାପମାତ୍ରା ହାରାହାରି ୧.୬୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ। ବରଫ ସଙ୍କୁଚିତ ହେବା ସହିତ, ସମୁଦ୍ର ଅଧିକ ସୂର୍ଯ୍ୟକିରଣ ଶୋଷଣ କରେ। ଯାହା ଫଳରେ ଉଷ୍ମତା ବୃଦ୍ଧି ପାଏ। ଏହି ଚକ୍ର ବିକଶିତ ହେଉଛି। ଶୀତଦିନେ ଆର୍କଟିକ ଆହୁରି ଉଷ୍ମ ହେବ, ଯାହା ବିଶ୍ୱ ଜଳବାୟୁକୁ ପ୍ରଭାବିତ କରିବ।

ପ୍ରଥମ କାରଣ ହେଲା ଗ୍ରୀନହାଉସ୍ ଗ୍ୟାସର ଅନିୟନ୍ତ୍ରିତ ନିର୍ଗମନ, ଶିଳ୍ପାୟନ, ଜଙ୍ଗଲ କ୍ଷୟ, ଜୀବାଷ୍ମ ଇନ୍ଧନର ବହୁଳ ବ୍ୟବହାର ଯୋଗୁ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସସାଇଡ ଏବଂ ମିଥେନ ଭଳି କ୍ଷତିକାରଣ ଗ୍ୟାସ ଦ୍ରୁତ ଗତିରେ ବଢିବ। ଅନ୍ୟ ଏକ କାରଣ ହେଲା ଏଲ୍ ନିନୋର ପୁନରାବୃତ୍ତି। ତାପମାତ୍ରା ବୃଦ୍ଧି ମାନବ ସମାଜ ଓ ଅର୍ଥନୀତି ଉପରେ ସାଂଘାତିକ ପ୍ରଭାବ ପଢିବ ବୋଲି ଚେତାବନୀ ଦେଇଛି ଜାତିସଂଘ। ବିଶେଷ କରି ବହୁ ଦେଶରେ ହିଟୱେଭ୍ ବଢିବା ସହ ଏହା ଦୀର୍ଘ ସମୟ ଧରି ଲାଗି ରହିବ । ମରୁଡ଼ି ସ୍ଥିତି ଦେଖାଦେବ । ପ୍ରବଳ ଗରମରୁ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ରହିବ । ପ୍ରବଳ ଗରମ ଯୋଗୁଁ କୃଷି, ଜୈବ ବିବିଧତା, ଜଳ ସଂପଦ ଓ ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ।