ନୂଆଦିଲ୍ଲୀ: ଦୁବାଇ ଏୟାର ଶୋ’ରେ ଦୁର୍ଘଟଣାଗ୍ରସ୍ତ ତେଜସ୍ ବିମାନକୁ ଉଡ଼ାଉଥିଲେ ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍। ଏୟାର ଶୋ’ରେ ଉପସ୍ଥିତ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ସେ ନିଜ ବଳିଦାନ ଦେଇଛନ୍ତି । ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ପାଇଲଟ୍ ସିଆଲ ନିଜ ଜୀବନ ହରାଇଛନ୍ତି ବୋଲି ଭାରତୀୟ ବାୟୁସେନା କହିଛି । ନମାଂଶ ଠିକ୍ ସମୟରେ ବିମାନରୁ ବାହାରକୁ ଆସିପାରି ନଥିଲେ । ଫଳରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ନମାଂଶ ସିଆଲ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ବାସିନ୍ଦା । ୩୪ ବର୍ଷୀୟ ୱିଙ୍ଗ କମାଣ୍ଡର ସିଆଲ ମିଗ୍-21 ଏବଂ ସୁଖୋଇ Su-30MKI ବିମାନରେ ତାଲିମ ନେଇଥିଲେ । ସେ ତୃତୀୟ ସ୍କ୍ୱାର୍ଡନର ତେଜସ୍ ବିମାନ ଉଡ଼ାଉଥିଲେ । ସେପଟେ ନମାଂଶଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ । ଏକ୍ସରେ ଓ୍ବିଙ୍ଗ କମାଣ୍ଡରଙ୍କ ଫଟୋ ସେୟାର କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ।

ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଦୁବାଇ ଏୟାର ଶୋ’ରେ ତେଜସ୍ ବିମାନ ଦୁର୍ଘଟଣାରେ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ସାହସୀ ପୁଅ ନମାଂଶ ସିଆଲ୍ ଜୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ। ଦେଶ ଜଣେ କର୍ତ୍ତବ୍ୟପରାୟଣ ଏବଂ ସାହସୀ ପାଇଲଟ ହରାଇଛି। ମୁଁ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ସାହସୀ ପୁଅ ନମାଂଶ ସିଆଲ୍ ଜୀଙ୍କ ରାଷ୍ଟ୍ର ସେବା ପ୍ରତି ଅଦମ୍ୟ ସାହସ, ସମର୍ପଣ ଏବଂ ସମର୍ପଣକୁ ମୁଁ ହୃଦୟରୁ ପ୍ରଣାମ କରୁଛି।’

ଦୁବାଇ ଏୟାର ଶୋ’ରେ ପ୍ରାୟ ୧୫୦ ଦେଶ ସାମିଲ ହୋଇଥିଲେ । ନଭେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଏୟାର ଶୋ’ ଆଜି (ଶୁକ୍ରବାର) ଶେଷ ହୋଇଛି । ଏଥିରେ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଏବଂ ତେଜସ୍ ଫାଇଟର୍ସ ସାମିଲ ହୋଇଥିଲା । କିନ୍ତୁ ଶେଷ ଦିନରେ ଭାରତ ପାଇଁ ଦୁଃଖ ଖବର ମିଳିଛି । ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାକୁ ଉଡ଼ାଉଥିବା ଓ୍ବିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ୨୦୨୪ରେ ରାଜସ୍ଥାନର ଜୈସାଲେମର ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ପାଇଲଟ୍ ସୁରକ୍ଷିତ ଭାବରେ ବାହାରି ଆସିଥିଲେ ।