News7 Logo

ଯଦି EC ଭୁଲ କରନ୍ତି, ତେବେ ପୂରା ପ୍ରକ୍ରିୟା ରଦ୍ଦ ହେବ; ବିହାର SIR ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ

NEWS7
supreme court

ନୂଆଦିଲ୍ଲୀ: ବିହାର ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟ ବଡ଼ ବୟାନ ଦେଇଛନ୍ତି । ଶୀର୍ଷ ଅଦାଲତ ସୋମବାର ଶୁଣାଣି ବେଳେ କହିଛନ୍ତି ଯେ ବିହାର ଏସ୍‌ଆଇଆର୍ ଉପରେ ଆଂଶିକ ରାୟ ଦେବେ ନାହିଁ । ଚୂଡାନ୍ତ ନିଷ୍ପତ୍ତି ଯାହା ବି ହେବ, ସାରା ଦେଶ ଉପରେ ଲାଗୁ ହେବ । କୋର୍ଟ ଏହା ମଧ୍ୟ କହିଛନ୍ତି, ଆମେ ବିଶ୍ୱାସ କରୁ ଯେ ସାମ୍ୱିଧାନିକ କର୍ତ୍ତୃପକ୍ଷ, ଭାରତୀୟ ନର୍ବାଚନ ଆୟୋଗ, ବିହାରରେ ଆଇନ ଓ ନିୟମର ପାଳନ କରୁଛନ୍ତି । ଯଦି ବିହାର ଏସ୍‌ଆଇଆର୍‌ରେ ଯେକୌଣସି ପର୍ଯ୍ୟାୟରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା କୌଣସି ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼େ, ତେବେ ପୂରା ପ୍ରକ୍ରିୟାକୁ ରଦ୍ଦ କରାଯିବ । ବିହାର ଏସ୍‌ଆଇଆର୍ ଉପରେ ଅକ୍ଟୋବର ୭ରେ ଚୂଡ଼ାନ୍ତ ଦଲିଲ୍ ଶୁଣିବା ପାଇଁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି ।

ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆବେଦନକାରୀ ଅକ୍ଟୋବର ୧ରେ ମାମଲା ଶୁଣାଣି ପାଇଁ ଅନୁରୋଧ କରିଥିଲେ । ଏହି ଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । କିନ୍ତୁ ସେପ୍ଟେମ୍ୱର ୨୮ରୁ ଦଶହରା ଛୁଟି ପାଇଁ କୋର୍ଟ ଗୋଟିଏ ସପ୍ତାହ ବନ୍ଦ ରହିବା ଦର୍ଶାଇ ଅନୁରୋଧକୁ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ ।

ସର୍ବୋଚ୍ଚ ଅଦାଲତ କହିଥିଲେ, ଚୂଡ଼ାନ୍ତ ସୂଚୀର ପ୍ରକାଶନରେ ମାମଲାର ସମାଧାନ ଉପରେ କୌଣସି ଫରକ ପଡ଼ିବ ନାହିଁ । ଆବେଦନକାରୀଙ୍କୁ ଆଶ୍ୱସନା ଦେଇ କୋର୍ଟ କହିଛନ୍ତି, ଯଦି କୌଣସି ବେଆଇନ କାମ ହୁଏ, ତେବେ ଚୂଡ଼ାନ୍ତ ତାଲିକା ପ୍ରକାଶକୁ ଖାତିର ନକରି ମାମଲାରେ ହସ୍ତକ୍ଷେପ କରିବେ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, କାରଣ ନିର୍ବାଚନ ଆୟୋଗ ସାରା ଦେଶରେ ଏସ୍‌ଆଇଆର୍ କାର୍ଯ୍ୟକାରୀ କରିବା କଥା ବିଚାର କରୁଛନ୍ତି । ଏହି ପ୍ରସଙ୍ଗରେ ସେପ୍ଟେମ୍ୱର ୧୦ରେ ନିର୍ବାଚନ ଆୟୋଗ ବୈଠକ କରିଥିଲେ । ଏହାପରେ ଅଧିକାରୀମାନେ କହିଥିଲେ, ଆସନ୍ତା ବର୍ଷ ୫ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ସର୍ବଭାରତୀୟ ସ୍ତରରେ ମତଦାନ ସୂଚୀରେ ପୁନଃନିରୀକ୍ଷଣ ଅଭିଯାନ ୦୨୫ ଆଗାମୀ ମାସରୁ ଆରମ୍ଭ କରାଯାଇପାରେ ।