ନୂଆଦିଲ୍ଲୀ ୧୨।୧୧: ବିଦେଶୀ ପୋଷା ଜୀବଙ୍କ ଚାହିଦା କାରଣରୁ ୨୦୨୫ରେ ଜବତ ବନ୍ୟପ୍ରାଣୀଙ୍କ ସଂଖ୍ୟା ରେକର୍ଡ ସ୍ତରକୁ ପହଞ୍ଚିଛି। ଏହି ସମୟରେ ୩୦,୦୦୦ରୁ ଅଧିକ ବନ୍ୟପ୍ରାଣୀ ଜବତ ହୋଇଛନ୍ତି। ଇଣ୍ଟରପୋଲ ଅନୁସାରେ ବନ୍ୟପ୍ରାଣୀ ଅପରାଧ ଏବେ ଏକ ଏପରି ଉଦ୍ୟୋଗରେ ପରିଣତ ହୋଇଛି ଯାହାର ବଜାର ବାର୍ଷିକ ୨୦ ବିଲିୟନ ଡଲାରରୁ ବି ଅଧିକ। ଏଥିରେ ସାର୍କ ଡେଣା ତସ୍କରୀରୁ ଆରମ୍ଭ କରି ନିଷିଧ ହାତୀ ଦାନ୍ତ ଓ ବନ୍ୟପ୍ରାଣୀ ମାଂସ ମଧ୍ୟ ରହିଛି।

ଇଣ୍ଟରପୋଲ ଏକ ବୟାନରେ କହିଛି ସପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ମାସିକିଆ ଅଭିଯାନରେ ୧୩୪ ଦେଶଙ୍କ ଆଇନ ପ୍ରବର୍ତ୍ତନ ଏଜେନ୍ସୀ ୬,୧୬୦ ପକ୍ଷୀ, ୨,୦୪୦ କଇଁଛ, ୧,୧୫୦ ସରିସୃପ, ୨୦୮ ପ୍ରାଇମେଟ, ୪୬ଟି ବଜ୍ରକାପ୍ତା, ୧୦ ବଣଭୁଆ ଓ ୧୯,୪୧୫ ଅନ୍ୟ ବନ୍ୟ ଜୀବ ଜବତ ହୋଇଛନ୍ତି। ଏହିସବୁ ମାମଲାରେ ବିଭିନ୍ନ ସ୍ଥାନରେ ୧,୧୦୦ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଏଥିରେ କୁହାଯାଇଛି ଯେ ଅଧିକାରୀ କତାରରେ ଏପରି ଏକ ବ୍ୟକ୍ତିକୁ ଗିରଫ କରିଛନ୍ତି ଯିଏ ସୋସିଆଲ ମିଡିଆରେ ବିଲୁପ୍ତ ପ୍ରାୟ ଏକ ପ୍ରଜାତିକୁ ୧୪ ହଜାର ଡଲାରରେ ବିକ୍ରି ପାଇଁ ଉଦ୍ୟମ କରୁଥିଲା।

ବ୍ରାଜିଲରେ ପୋଲିସ ୨୦୦ରୁ ଅଧିକ ବନ୍ୟପ୍ରାଣୀଙ୍କ ଜୀବନ ରକ୍ଷା କରି ୧୪୫ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ଏଥିରେ ଅନ୍ତର୍ଜାତୀୟ ଗୋଲ୍ଡେନ ଲାୟନ ଟ୍ୟାମରିନ ତସ୍କର ଗ୍ୟାଙ୍ଗକୁ ମଧ୍ୟ ଠାବ କରାଯାଇଛି। ବୟାନରେ କୁହାଯାଇଛି ଯେ ଉତ୍ତର ଆମେରିକାର ଏକ ଡାକ କେନ୍ଦ୍ରରୁ ଏପରି ଏକ ସିପମେଣ୍ଟ ଜବତ ହୋଇଛି ଯେଉଁଥିରେ ହାଡ଼, ଖପୁରି, ଅନ୍ୟ ବନ୍ୟପ୍ରାଣୀ ଅବୟବ ସହ ମାଂସ ମଧ୍ୟ ଥିଲା। ଇଣ୍ଟରପୋଲ ଅନୁସାରେ ଅପରେସନ ଥଣ୍ଡର-୨୦୨୫ରେ ପ୍ରାୟ ୧୦,୫୦୦ ପ୍ରଜାତିର ପ୍ରଜାପତି, ମାଙ୍କଡସା ଓ କିଟ ବି ଜବତ ହୋଇଛନ୍ତି। ଏହା ତସ୍କରଙ୍କ ଟାର୍ଗେଟ ବିବିଧତାର ମଧ୍ୟ ଉଜାଗର କରୁଛି।

ଲିୟୋନସ୍ଥିତ ଏଜେନ୍ସୀ ଅନୁସାରେ ଚଳିତବର୍ଷ ଜୀବିତ ପ୍ରାଣୀଙ୍କ ଜବତ ହାର ରେକର୍ଡ ସ୍ତରକୁ ପହଞ୍ଚିଛି। ଏହା ମୁଖ୍ୟତଃ ବିଦେଶୀ ପୋଷା ପ୍ରାଣୀଙ୍କ ଚାହିଦା ପ୍ରେରିତ। ବନ୍ୟ ପ୍ରାଣୀ ତସ୍କରୀରେ ଜବତ ହେଉଥିବା ଅଧିକାଂଶ ସାମଗ୍ରୀରେ ପ୍ରାଣୀଙ୍କ ଦେହାବଶେଷ ସାମିଲ ରହିଛି। ଏଗୁଡିକ ପ୍ରାୟତଃ ପାରମ୍ପରିକ ଚିକିତ୍ସା ଅଥବା ବିଶେଷ ଖାଦ୍ୟ ପଦାର୍ଥରେ ଉପଯୋଗ ହୁଏ। ଅନୁମାନ ଅନୁସାରେ ବନ୍ୟପ୍ରାଣୀ ଅପରାଧର ବାର୍ଷିକ ମୂଲ୍ୟ ୨୦ ବିଲିୟନ ଡଲାର। ହେଲେ ଏହି ବ୍ୟବସାୟର ଗୋପନୀୟ ପ୍ରକୃତି ଯୋଗୁ ଏହାର ବାସ୍ତବିକ କାରବାର ମୂଲ୍ୟ ଅନେକ ଅଧିକ ବୋଲି ଆଶଙ୍କା କରାଯାଉଛି। ଇଣ୍ଟରପୋଲ କହିଛି ଯେ ବନ୍ୟପ୍ରାଣୀଙ୍କ ମାଂସ କାରବାର ବେଶ ବଢି ଯାଇଛି।

ବୈଶ୍ୱିକ ସ୍ତରରେ ରେକର୍ଡ ୫.୮ଟନ ଜଙ୍ଗଲୀ ପ୍ରାଣୀଙ୍କ ମାଂସ ଜବତ ହୋଇଛି, ଯାହା ଆଫ୍ରିକାରୁ ୟୁରୋପକୁ ପ୍ରସରିଛି। ଏହି କାର୍ଯ୍ୟାନୁଷ୍ଠାନରେ ପାଖାପାଖି ୩୨,୦୦୦ ଘନମିଟର ଅବୈଧ ରୂପେ ଜଙ୍ଗଲରୁ କଟାଯାଇଥିବା କାଠ ମଧ୍ୟ ଜବତ ହୋଇଛି। ଇଣ୍ଟରପୋଲ ହିସାବ ଅନୁସାରେ ଅବୈଧ ଜଙ୍ଗଲ କଟା ବୈଶ୍ୱିକ ଚୋରା କାଠ କାରବାରର ୧୫ରୁ ୩୦ ପ୍ରତିଶତ ଅଂଶ।