LIVE TV

ସ୍ତ୍ରୀ ମେଡିକାଲ୍‌ରେ, ସେପଟେ ମରି ଯାଇଥିବା କହି ସୁଧି କରି ଦେଲା ସ୍ଵାମୀ

NEWS7
jagatsinghpur

ଜଗତସିଂପୁର: ପତ୍ନୀଙ୍କୁ ମେଡିକାଲକୁ ନେଇ ଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେଠାରୁ ଛାଡି ଚାଲି ଆସିଲା ସ୍ୱାମୀ । ଘରକୁ ଫେରି ପତ୍ନୀ ମେଡିକାଲରେ ମରି ଯାଇଥିବାର କହିବା ସହ ଗାଁରେ ଜ୍ଞାନ୍ତି କୁଟୁମ୍ବଙ୍କୁ ଡାକି ସୁଧି ବି ହୋଇଗଲା । ସେପଟେ କିନ୍ତୁ କଟକ ବଡ଼ ମେଡିକାଲ ଅସ୍ତି ଶଲ୍ୟ ବିଭାଗର ନିରାଶ୍ରୟ ୱାର୍ଡ ରେ ଚିକିତ୍ସିତ ହେଉଛନ୍ତି ପତ୍ନୀ ମିନତୀ । ଆଉ ସ୍ୱାମୀଙ୍କର ଫେରିବା ବାଟକୁ ଚାହିଁ ବସିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା ଚଅଁରପୁର ଗାଁରେ ।

ବୃଦ୍ଧା ଅବସ୍ଥାରେ ସ୍ୱାମୀ କରିଦେଲା ପର । ବିଷ ଦେଲା ବିଶ୍ୱାସରେ । ୬ ମାସ ତଳେ  ଚଅଁରପୁର ଗାଁର ୬୫ ବର୍ଷର ବୃଦ୍ଧା  ମିନତୀଙ୍କର ଗୋଡ଼ ଭାଙ୍ଗି ଯିବାରୁ ତାଙ୍କୁ ଭୁବନେଶ୍ୱର ରେ ରହୁଥିବା  ତାଙ୍କ ସ୍ୱାମୀ ସତ୍ୟବ୍ରତ ଦାସ  ଘରକୁ ଆସି ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ନେଇଯାଇଥିଲେ । ତେବେ ମନ୍ଦ ଉଦେଶ୍ୟ ରଖି ଆରମ୍ଭରୁ ହିଁ ଭୁଲ ଠିକଣାରେ ନାମ ପଞ୍ଜିକରଣ କରାଇ ଫର୍ମ ଦାଖଲ କରିଥିଲେ ।। ପରେ ସ୍ତ୍ରୀଙ୍କୁ ମେଡିକାଲରେ ଏକାକି ଛାଡି ଦେଇ ଗାଁକୁ ଚାଲିଯିବା ସହ ଆଉ ଫେରି ନଥିଲେ । ଏପଟେ ମିନତୀଙ୍କର ମେଡିକାଲରେ ମୃତ୍ୟୁ ହୋଇ ଯାଇଥିବାର କହିବା ପରେ ଜ୍ଞାନ୍ତି କୁଟୁମ୍ବ ଶୁଦ୍ଧି ହୋଇ ଯାଇଥିଲେ । ହେଲେ ଏବେ ମିନତୀ ବଞ୍ଚି ଥିବାର ଜଣା ଯାଇଛି ।।ଏବେ ମିନତୀ ନିରାଶ୍ରୟ ରୋଗୀ ଭାବରେ ଚିକିତ୍ସିତ ହେଉଛନ୍ତି । ଭୁଲ ଠିକଣା ଯୋଗୁ ଘରକୁ ଫେରି ପାରୁ ନାହାଁନ୍ତି । ମିନତୀ ମରି ଯାଇଥିବାର ପ୍ରଚାରିତ ହେବା ପରେ ତିନି ଚାରି ମାସ ହେବ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ବନ୍ଦ ହୋଇ ଯାଇଛି ।

କେବଳ ସେତିକି ନୁହେଁ ,ସ୍ତ୍ରୀ ମୃତ୍ୟୁ ହୋଇ ଯାଇଥିବାର ଦର୍ଶାଇ ସେ ବାବଦକୁ ମିଳୁଥିବା ପରିବାର ପ୍ରୋତ୍ସାହନ ରାଶିକୁ ମଧ୍ୟ ହାତେଇବା କୁ ବ୍ଲକ ପ୍ରଶାସନ ନିକଟରେ ସ୍ୱାମୀ ସତ୍ୟନନ୍ଦ କାଳେ ଆବେଦନ କରିଥିବାର ସୂଚନା ମିଳିଛି । ସତ୍ୟନନ୍ଦ ଭୁବନେଶ୍ୱରରେ ଅଟୋ ଚଳାଇ ଆସୁଥିବା ସହ ସେଠାରେ ଆଉ ଏକ ସଂସାର କରିଥିବାର କୁହାଯାଉଛି । ତାର ଗୋଟିଏ ପୁଅ ଓ ଦ୍ୱିତୀୟ ସ୍ତ୍ରୀ ଅଛନ୍ତି । ମାସ ତଳେ ସ୍ତ୍ରୀ ମିନତୀ ଙ୍କର ଗୋଡ଼ ଭାଙ୍ଗି ଯିବାରୁ ସତ୍ୟନନ୍ଦ ଗାଁକୁ ଆସି ତାଙ୍କୁ ସାଙ୍ଗରେ ନେଇ କଟକ ବଡ଼ ମେଡିକାଲରେ ନିଜ ଠିକଣା ବଦଳାଇ ଆଡ଼ିମିସନ କରିବା ପରେ ଛାଡି ଚାଲିଗଲା । ଆଉ ଦେଖା କରିବାକୁ ଆସିଲା ନାହିଁ ।

କୌଣସି ପ୍ରକାରେ ଏ ଖବର ଗାଁରେ ପହଁଚିବା ପରେ ଏହାକୁ ନେଇ ଗାଁରେ ଉଦବେଗ ପ୍ରକାଶ ପାଇଛି । ଆରପଟେ ଏହି ବାବଦରେ ଜାଣିବା ପାଇଁ ଆମେ ମିନତୀ ଙ୍କ ସ୍ୱାମୀ ସତ୍ୟନନ୍ଦ ଦାସ ଙ୍କ ସହିତ ଟେଲିଫୋନରେ ଯୋଗାଯୋଗ କରାଯାଇଥିଲା। ସେ ସ୍ତ୍ରୀ ଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଆଡମିଶନ କରାଇଥିଲେ ହେଲେ ତାଙ୍କ ନିଜ ଦେହ ଖରାପ ହେବାରୁ ସେ ତାଙ୍କୁ ସେଠାରେ ଛାଡି ଦେଇ ଆସିବା ସହ ପୁଅକୁ ଖବର ଦେଇଥିଲେ । କିଛି ଦିନ ପରେ ମିନତୀ ମରି ଯାଇଥିବାର ଶୁଣିବା ପରେ ଗାଁରେ ଜ୍ଞାନ୍ତି କୁଟୁମ୍ବଙ୍କୁ ଖବର ଦେଇଥିଲେ ବୋଲି କହିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସ୍ୱାମୀ ସତ୍ୟନନ୍ଦ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।