ପୁରୀ : ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଭକ୍ତି, ବିଶ୍ୱାସ ଓ ସନାତନ ପରମ୍ପରାର ଅନନ୍ୟ ପ୍ରତୀକ। ତିନି ଠାକୁରଙ୍କ ତିନିଟି ରଥ ମଧ୍ୟରୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ 'ତାଳଧ୍ୱଜ' ରଥ ନିଜର ନାମ, ଗଠନ ଓ ଆଧ୍ୟାତ୍ମିକ ମହତ୍ତ୍ୱ ପାଇଁ ସ୍ୱତନ୍ତ୍ର ପରିଚୟ ବହନ କରେ। ଶ୍ରୀବଳଭଦ୍ର ହେଉଛନ୍ତି ଜଗନ୍ନାଥଙ୍କ ବଡ଼ଭାଇ । ବଡ଼ଠାକୁର । ତେଣୁ ତାଙ୍କ ରଥକୁ କେହି କେହି ‘ବଡ଼ବାଡ଼ ରଥ’ ବୋଲି ବି କହନ୍ତି । ତେବେ ତାଙ୍କ ରଥର ଆଉ ଗୋଟିଏ ନାମ ‘ଲାଙ୍ଗଳଧ୍ୱଜ’ । ତାଙ୍କର ଦୁଇ ଆୟୁଧ ହେଉଛି- ‘ହଳ’ ଓ ‘ମୂଷଳ’ । କୁହାଯାଏ ଏଥିରେ ରଥ ବି ଦେବତା, ରଥୀ ବି ଦେବତା। ଆଉ ଏହି ଦିବ୍ୟ ରଥର ଦର୍ଶନ କଲେ ଭକ୍ତଙ୍କ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା 'ତାଳଧ୍ୱଜ' ରଥର କଣ ରହିଛି ରହସ୍ୟ ?

ଶ୍ରୀବଳଭଦ୍ରଙ୍କ ରଥର ନାମ 'ତାଳଧ୍ୱଜ'। 'ତାଳ' ଅର୍ଥ ତାଳଗଛ ଏବଂ 'ଧ୍ୱଜ' ଅର୍ଥ ପତାକା। ପୁରାଣ ଅନୁସାରେ, ଶ୍ରୀବଳଭଦ୍ରଙ୍କ ରଥର ପତାକାରେ ତାଳଗଛର ଚିହ୍ନ ଥିବାରୁ ଏହାର ନାମ ହୋଇଛି 'ତାଳଧ୍ୱଜ'। ଏହି ରଥର ଉଚ୍ଚତା ପ୍ରାୟ ୪୪ ଫୁଟ୍ ଏବଂ ଏଥିରେ ରହିଥାଏ ୧୪ଟି ଚକ। ରଥର ଆବରଣରେ ଲାଲ ଓ ସବୁଜ ରଙ୍ଗର ବସ୍ତ୍ର ବ୍ୟବହାର କରାଯାଏ, ଯାହା ଶକ୍ତି, ଶାନ୍ତି ଓ ସମୃଦ୍ଧିର ପ୍ରତୀକ ବୋଲି ମନେ କରାଯାଏ। ରଥର ଅଗ୍ରଭାଗରେ ଥିବା ସାରଥିଙ୍କ ନାମ ମାତଳି। ଏହି ରଥକୁ ଚାରୋଟି ଧଳା ଅଶ୍ୱ ଟାଣିଥାନ୍ତି। ପ୍ରତ୍ୟେକ ଅଶ୍ୱ ଧର୍ମ, ସତ୍ୟ, ସାହସ ଓ ପବିତ୍ରତାର ବାର୍ତ୍ତା ବହନ କରେ ବୋଲି ଶାସ୍ତ୍ରରେ ବର୍ଣ୍ଣନା ମିଳେ। ରଥର ଭିତର ଗର୍ଭରେ ମହାପ୍ରଭୁ ଶ୍ରୀ ନୃସିଂହ ସର୍ବଦା ଅବସ୍ଥାନ କରି ରଥକୁ ସୁରକ୍ଷା ପ୍ରଦାନ କରନ୍ତି। ଏହା ସହିତ ସ୍ୱୟଂ ବ୍ରହ୍ମା ଏବଂ ଶିବ ରଥର ରକ୍ଷକ ଭାବେ ରହିଥାନ୍ତି।

ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ, ରଥଯାତ୍ରା ସମୟରେ ଭଗବାନ ସ୍ୱୟଂ ରଥରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ସେଥିପାଇଁ କେବଳ ବିଗ୍ରହ ନୁହେଁ, ରଥକୁ ମଧ୍ୟ ଦେବସ୍ୱରୂପ ବୋଲି ପୂଜା କରାଯାଏ। ଏହି କାରଣରୁ କୁହାଯାଏ ଯେ ଏଠାରେ "ରଥ ବି ଦେବତା,ଆଉ ରଥୀ ବି ଦେବତା।" ଧାର୍ମିକ ବିଶ୍ୱାସ ଅନୁଯାୟୀ, ରଥଯାତ୍ରା ସମୟରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥର ଦର୍ଶନ, ରଥର ଦଉଡ଼ି ସ୍ପର୍ଶ କିମ୍ବା ରଥ ଟାଣିବାର ସୁଯୋଗ ମିଳିଲେ, ମଣିଷର ଅନେକ ଜନ୍ମର ପାପ କ୍ଷୟ ହୁଏ ଏବଂ ଭଗବାନଙ୍କ ଆଶୀର୍ବାଦ ଲାଭ ହୁଏ ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି। ଏହି ମହାନ ପରମ୍ପରା କେବଳ ଓଡ଼ିଶାର ନୁହେଁ, ସମଗ୍ର ବିଶ୍ୱର କୋଟି କୋଟି ଭକ୍ତଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ।

ତେବେ, ଶ୍ରୀବଳଭଦ୍ରଙ୍କ ରଥର ନାମ 'ତାଳଧ୍ୱଜ' କାହିଁକି ରଖାଯାଇଛି, ତାହା ପଛରେ ଏକ ରୋଚକ ପୌରାଣିକ ଉପାଖ୍ୟାନ ରହିଛି। ସେହି ଉପାଖ୍ୟାନ ଅନୁସାରେ, ବଳରାମଙ୍କର ପ୍ରିୟ ପାନୀୟ ହେଉଛି ‘କାଦମ୍ବରୀ’ । ଏହା ‘ତାଳ’ ଜାତୀୟ ଏକ ବୃକ୍ଷର ପୁଷ୍ପକେଶରରୁ ଝରୁଥିବା ରସରୁ ପ୍ରସ୍ତୁତ ହେଉଥିଲା। କିନ୍ତୁ ସେହି ତାଳବନ ଉପରେ 'ତାଳକେତୁ' ନାମକ ଏକ ରାକ୍ଷସର ଅଧିକାର ଥିଲା। ସେ କାହାକୁ ମଧ୍ୟ ସେହି ବନକୁ ପ୍ରବେଶ କରିବାକୁ ଦେଉନଥିଲା। ଦେବତା ଓ ଋଷିମୁନିମାନେ ମଧ୍ୟ ତା'ର ଅତ୍ୟାଚାରରେ ଅତିଷ୍ଠ ହୋଇପଡ଼ିଥିଲେ। ଭକ୍ତ ଓ ଦେବତାଙ୍କ କଲ୍ୟାଣ ପାଇଁ ବଳରାମ ସେହି ତାଳବନକୁ ଯାଇ ତାଳକେତୁ ସହ ଯୁଦ୍ଧ କରିଥିଲେ ଏବଂ ଶେଷରେ ରାକ୍ଷସକୁ ବଧ କରିଥିଲେ। ଏହା ପରେ ତାଳବନ ପୁଣିଥରେ ସମସ୍ତଙ୍କ ପାଇଁ ମୁକ୍ତ ହୋଇଥିଲା । ଏହି ବିଜୟର ସ୍ମୃତିରେ ଶ୍ରୀବଳଭଦ୍ରଙ୍କ ରଥର ପତାକାରେ ତାଳ ବୃକ୍ଷର ପ୍ରତୀକ ସ୍ଥାନ ପାଇଥିଲା। ସେହିଥିପାଇଁ ତାଙ୍କ ରଥର ନାମ 'ତାଳଧ୍ୱଜ' ବୋଲି ପରିଚିତ ହେଲା। ଏହି ନାମ କେବଳ ଏକ ରଥର ପରିଚୟ ନୁହେଁ, ବରଂ ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ଶ୍ରୀବଳଭଦ୍ରଙ୍କ ଦିବ୍ୟ ଶକ୍ତିର ପ୍ରତୀକ।