‘ଶହବାଜ ସରିଫ କାହିଁକି ନିନ୍ଦା କରିନାହାନ୍ତି ? ତୁମକୁ ଲଜ୍ଜା ଲାଗିବା କଥା’: ନିଜ ପ୍ରଧାନମନ୍ତ୍ରୀଙ୍କୁ ଘେରିଲେ ପାକିସ୍ତାନର ପୂର୍ବତନ ହିନ୍ଦୁ କ୍ରିକେଟର

Published By : Prameya-News7 Bureau | April 24, 2025 IST

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଏଥିରେ ଦୁଇ ବିଦେଶୀ ନାଗରିକ ବି ସାମିଲ ଅଛନ୍ତି । ଏହି ଆକ୍ରମଣକୁ ସାରା ଦୁନିଆରେ ନିନ୍ଦା କରାଯାଉଛି । ତେବେ ପାକିସ୍ତାନୀ ରାଷ୍ଟ୍ରଦୂତ କିମ୍ୱା ପାକିସ୍ତାନୀ ରାଜନେତା ଏହି ଆକ୍ରମଣର ନିନ୍ଦାରେ କୌଣସି ପୋଷ୍ଟ କରିନାହାନ୍ତି । ଏହାରି ଭିତରେ ପାକିସ୍ତାନର ପୂର୍ବତନ ସ୍ପିନର ଦାନିଶ କନେରିଆ ନିଜ ଦେଶର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ପ୍ରଶ୍ନରେ ଘେରିଛନ୍ତି । ସେ କହିଛନ୍ତି ଯେ ଯଦି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ନାହିଁ ତେବେ ଶହବାଜ ସରିଫ୍ ଏବେ ସୁଦ୍ଧା କାହିଁକି ଏହାକୁ ନିନ୍ଦା କରିନାହାନ୍ତି । ଉଲ୍ଲେଖଯୋଗ୍ୟ, ଦାନିଶ କନେରିଆ ପାକିସ୍ତାନ ପାଇଁ କ୍ରିକେଟ୍ ଖେଳିଥିବା କିଛି ହିନ୍ଦୁଙ୍କ ମଧ୍ୟରୁ ଜଣେ । ହିନ୍ଦୁ ହୋଇଥିବା କାରଣରୁ ଟିମରେ ତାଙ୍କ ସହ ଭେଦଭାବ କରାଯାଇଥିବା ସେ ଖୁଲମଖୁଲା ଅଭିଯୋଗ ମଧ୍ୟ କରିଥିଲେ ।

ଏପ୍ରିଲ୍ ୨୨ରୁ ଲଗାତାର ପହଲଗାମ ପ୍ରସଙ୍ଗରେ ଦାନିଶ କନେରିଆ ଲଗାତାର ଏକ୍ସରେ ପୋଷ୍ଟ କରୁଛନ୍ତି । ପ୍ରଥମ ଏକ୍ସ ପୋଷ୍ଟରେ ସେ ଲେଖିଥିଲେ, 'ପହଲଗାମରେ ପୁଣି ଏକ କ୍ରୁର ଆକ୍ରମଣ ହୋଇଛି । ବାଂଲାଦେଶରୁ ବେଙ୍ଗଲ ଓ କାଶ୍ମୀର ଯାଏ, ଗୋଟିଏ ମାନସିକତା ହିନ୍ଦୁଙ୍କୁ ଟାର୍ଗେଟ୍ କରୁଛି । କିନ୍ତୁ ଧର୍ମନିରପକ୍ଷେ ଓ ନ୍ୟାୟପାଳିକା ଏହା ଉପରେ ଜୋର ଦେଉଛି ଯେ ସଂଖ୍ୟାଲଘୁ ଉତ୍ପୀଡ଼ିତ । ପୀଡ଼ିତଙ୍କୁ ନ୍ୟାୟ ମିଳିବା ଦରକାର ।'

ଆଉ ଏକ ପୋଷ୍ଟରେ କନେରିଆ ଲେଖିଛନ୍ତି, 'ଆତଙ୍କୀ କେବେ ବି ସ୍ଥାନୀୟ କାଶ୍ମୀରୀଙ୍କୁ କାହିଁକି ଟାର୍ଗେଟ୍ କରୁନାହାନ୍ତି, ବରଂ ଲଗାତାର ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଛନ୍ତି...ସେ କାଶ୍ମୀର ପଣ୍ଡିତ ହୁଅନ୍ତୁ ବା ପୂରା ଭାରତରୁ ଆସିଥିବା ହିନ୍ଦୁ ପର୍ଯ୍ୟଟକ ? କାରଣ ଆତଙ୍କବାଦ, ଏକ ବିଚାରଧାରାର ପାଳନ କରୁଛି ଓ ପୂରା ଦୁନିଆର ଏହା ମୂଲ୍ୟ ହେଉଛି ।' କନେରିଆ ପ୍ରଧାନମନ୍ତ୍ରୀ ମୋଦୀ ଓ ସିନେଟର ହିଲ୍ ହିଗର୍ଟୀଙ୍କ ଟ୍ୱିଟ୍‌ରେ ରିଟ୍ୱିଟ୍ ମଧ୍ୟ କରିଛନ୍ତି । 

ପହଲଗାମ ଘଟଣାର ୨୪ ଘଣ୍ଟା ପରେ ଦାନିଶ କନେରିଆ ଆଉ ଏକ ପୋଷ୍ଟ କରି ଶହବାଜ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଲେଖିଛନ୍ତି, 'ଯଦି ପାକିସ୍ତାନର ପହଲଗାମ ଆତଙ୍କୀ ଆକ୍ରମଣରେ କୌଣସି ଭୂମିକା ନାହିଁ, ତେବେ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍ ଏବେ ସୁଦ୍ଧା ଏହାକୁ କାହିଁକି ନିନ୍ଦା କରିନାହାନ୍ତି ? କାହିଁକି ଆପଣଙ୍କ ସେନା ହଠାତ୍ ହାଇ ଆର୍ଲଟରେ ରହିଛି ? କାରଣ ଭିତରୁ ସତ ଜାଣିଛନ୍ତି । ଆପଣ ଆତଙ୍କବାଦୀଙ୍କୁ ସୁରକ୍ଷା ଓ ପୋଷଣ ଦେଉଛନ୍ତି । ତୁମକୁ ଲଜ୍ଜା ଲଗିବା କଥା ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.