ନୂଆଦିଲ୍ଲୀ ୨୫/୦୪: ଯେତେ ଯାହା ହେଲେ ବି ପାକିସ୍ତାନ ଛାଡୁନି ମୁହଁ ଫୁଟାଣି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । ବ୍ରିଟେନର ସ୍କାଏ ନ୍ୟୁଜ୍ ସହିତ କଥାବାର୍ତ୍ତା ବେଳେ ଏମିତି କିଛି କହିଛନ୍ତି ସେ । ତାଙ୍କ କହିବା କଥା ଯେ ଦୁଇଟି ପରମାଣୁ ଶକ୍ତି ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧର ସମ୍ଭାବନା ଅଧିକ । ତେବେ ଏହାକୁ ନେଇ ସାରା ବିଶ୍ୱବାସୀ "ଚିନ୍ତିତ" ହେବା ଉଚିତ।
ଖ୍ୱାଜା ଏହି ମାମଲାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସେ କହିଛନ୍ତି ଯେ ସେ ବିଶ୍ୱ ଶକ୍ତିର ନେତୃତ୍ୱ ନିଅନ୍ତୁ । ସେ ଆହୁରି ଆଶା ପ୍ରକାଶ କରିଛନ୍ତି ଯେ ଏହି ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହୋଇପାରିବ। ସେଥିପାଇଁ ଟ୍ରମ୍ପଙ୍କ ସହାୟତା କାମନା କରିଛନ୍ତି ।
ସୂଚନା ଥାଉକି, ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଏହି ଆକ୍ରମଣରେ ପାକିସ୍ତାନର ସିଧାସଳଖ ସଂପୃକ୍ତି ଥିବା ସୂଚନା ମିଳିଛି । ତେବେ ଖ୍ୱାଜା ଆସିଫ୍ ଏହାକୁ ଅସ୍ୱୀକାର କରିବା ସହ କହିଛନ୍ତି ଯେ ଭାରତ ଏକ "ଫଲ୍ସ ଫ୍ଲାଗ୍" ଅପରେସନର ଅଂଶ ଭାବରେ ଗୁଳିଚାଳନା କରିଛି । ତେବେ ସେ ଗର୍ବର ସହିତ କହିଥିଲେ ଯେ ବଢ଼ୁଥିବା ଉତ୍ତେଜନା ଓ ଉଭୟ ପକ୍ଷର କୂଟନୈତିକ ପଦକ୍ଷେପ ମଧ୍ୟରେ ପାକିସ୍ତାନ ସେନା "ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ"।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ଆମେ ଭାରତର ଯେକୌଣସି ପଦକ୍ଷେପର ପ୍ରତି ଜାବାବ ଦେବୁ । ଯେତେବେଳେ ତାଙ୍କୁ ପଚରାଗଲା ଯେ ବିଶ୍ୱ ଚିନ୍ତିତ ହେବା ଉଚିତ କି, ସେ ଉତ୍ତର ଦେଲେ: "ହଁ, ମୁଁ ଭାବୁଛି। ଦୁଇଟି ପରମାଣୁ ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟରେ ମୁକାବିଲା ସର୍ବଦା ଚିନ୍ତାଜନକ । ଯଦି ଜିନିଷଗୁଡ଼ିକ ଭୁଲ ହୁଏ, ତେବେ ଏହି ମୁକାବିଲାର ଦୁଃଖଦ ପରିଣାମ ହୋଇପାରେ।" ତଥାପି, ସେ ଆହୁରି କହିଛନ୍ତି: "ଆମକୁ ଆଲୋଚନା ମାଧ୍ୟମରେ ଆମର ସମସ୍ୟାର ସମାଧାନ କରିବାକୁ ପଡିବ।"