ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପରାଜୟ ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ଭୂକମ୍ପ ଆସିଛି । ଲାଲୁଙ୍କୁ କିଡନୀ ଦେଇଥିବା ଝିଅ ରୋହିଣୀ ଆଚାର୍ଯ୍ୟ ରାଜନୀତି ଛାଡ଼ିବା ନେଇ ଘୋଷଣା କରିଛନ୍ତି । ଏପରି କି ପରିବାର ସହ ମଧ୍ୟ ସମ୍ପର୍କ ଛିନ୍ନ କରିଛନ୍ତି । ଏହା ପଛରେ ସେ ଆରଜେଡିର ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବ ଓ ରମିଜଙ୍କୁ ଦାୟୀ କରିଛନ୍ତି । ସଞ୍ଜୟ ଯାଦବଙ୍କ ଉପରେ ପୂର୍ବରୁ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ବି ଗମ୍ଭୀର ଅଭିଯୋଗ ଆଣିଥିଲେ ଓ ତାଙ୍କୁ ଜୟଚନ୍ଦ ବୋଲି କହିଥିଲେ । ସଞ୍ଜୟଙ୍କୁ ତେଜସ୍ୱୀଙ୍କ ରାଇଟ୍ ହ୍ୟାଣ୍ଡ ବୋଲି କୁହାଯାଏ ଏବଂ ଦୁହିଁଙ୍କ ମଧ୍ୟରେ ଅନେକ ବର୍ଷରୁ ବନ୍ଧୁତା ରହିଛି । ତେଜସ୍ୱୀ ଓ ଆରଜେଡି ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ସଞ୍ଜୟ ଯାଦବଙ୍କ ନାଁରେ ରହିଛି ।

ତେଜସ୍ୱୀଙ୍କ ଘନିଷ୍ଠ ଓ ଆରଜେଡି ସାଂସଦ ସଞ୍ଜୟ ଯାଦବଙ୍କ ଘର ହରିୟାଣାର ମହେନ୍ଦ୍ରଗଡ଼ । ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେ ତେଜସ୍ୱୀଙ୍କ ସହ ଅଛନ୍ତି ଓ ଧୀରେ ଧୀରେ ଲାଲୁ ପରିବାର ପରେ ଆରଜେଡିର ସବୁଠୁ ପ୍ରମୁଖ ନାଁ ପାଲଟିଛନ୍ତି । ସଞ୍ଜୟ କମ୍ପ୍ୟୁଟର ସାଇନ୍ସରେ ଏମଏସସି ଓ ଏମବିଏ କରିଛନ୍ତି । ଏହା ପରେ ସେ ଦିଲ୍ଲୀରେ ତିନି ଏମଏନସି କମ୍ପାନିରେ କାମ କରିଥିଲେ । ସେ ଡାଟା ବିଶ୍ଲେଷଣ ଓ ରାଜ୍ୟର ରାଜନୀତିକ ଏବଂ ସାମାଜିକ ସମୀକରଣର ବିଶ୍ଲେଷଣ କରିବାରେ ମାହିର । କୁହାଯାଉଛି ଯେ ସଞ୍ଜୟ ଯାଦବ ପ୍ରଥମ ଥର ଦିଲ୍ଲୀରେ ତେଜସ୍ୱୀଙ୍କୁ ଭେଟିଥିଲେ ଓ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ବଢିଥିଲା ।

ରୋହିଣୀ ଆଚାର୍ଯ୍ୟ ଏକ୍ସରେ ରାଜନୀତି ଛାଡ଼ିବା ଘୋଷଣା କରି ଯେଉଁ ପୋଷ୍ଟ ଲେଖିଛନ୍ତି, ସେଥିରେ ସେ କହିଛନ୍ତି, ମୁଁ ରାଜନୀତି ଛାଡ଼ୁଛି ଓ ନିଜ ପରିବାର ସହ ସମ୍ପର୍କ ଛିନ୍ନ କରୁଛି । ସଞ୍ଜୟ ଯାଦବ ଓ ରମିଜ ମୋତେ ଏହା କରିବା ପାଇଁ କହିଥିଲେ । ଏବଂ ମୁଁ ସବୁ ଦୋଷ ନିଜ ଉପରକୁ ନେଉଛି । ରୋହିଣୀ ଯେଉଁ ରମିଜଙ୍କ ନାଁ ଉଲ୍ଲେଖ କରିଛନ୍ତି, ସେ ଉତ୍ତର ପ୍ରଦେଶର ଏକ ରାଜନୀତିକ ପରିବାରରୁ ଆସନ୍ତି । ସେ ମଧ୍ୟ ତେଜସ୍ୱୀଙ୍କ ଜଣ ଭଲ ବନ୍ଧୁ ।

ପରିବାର ଓ ପାର୍ଟିରୁ ବିଦା ହୋଇଥିବା ତେଜ ପ୍ରତାପ ଯାଦବ ବି ସଞ୍ଜୟଙ୍କୁ ଜୟଚନ୍ଦ ବୋଲି କହି ଆସୁଛନ୍ତି । ଆରଜେଡି ଜୟଚନ୍ଦଙ୍କ ଦ୍ୱାରା ଘେରି ହୋଇଯାଇଛି ବୋଲି ସେ କହିଥିଲେ । ଏପରି କି ବିହାର ନିର୍ବାଚନରେ ପରାଜୟ ପରେ ସେ ନିଜ ଭାଇଙ୍କୁ ତେଜସ୍ୱୀକୁ ଫେଲସ୍ୱୀ ବୋଲି କହିଥିଲେ ଓ ପିଏମ୍ ମୋଦୀ ଏବଂ ଅମିତ୍ ଶାହଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।