LIVE TV

ଭାରତୀୟ ଧନୀକ ରହନ୍ତି କେଉଁଠି, କାହା ଉପରେ କରନ୍ତି ଅଧିକ ଖର୍ଚ୍ଚ, ଆସିଗଲା ୱେଲଥ୍ ରିପୋର୍ଟ

NEWS7
gfx

ନୂଆଦିଲ୍ଲୀ ୨୧।୯: ଭାରତରେ ଧନୀକଙ୍କ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ହେଉଛି। ମର୍ସିଡିଜ୍-ବେଞ୍ଜ ହୁରୁନ ଇଣ୍ଡିଆ ୱେଲଥ୍ ରିପୋର୍ଟ ୨୦୨୫ ଅନୁସାରେ ୨୦୦୧ରୁ ୨୦୦୫ ମଧ୍ୟରେ ୮.୫ କୋଟି ବା ଏହାଠୁ ଅଧିକ ନେଟୱର୍ଥର ପରିବାରଙ୍କ ସଂଖ୍ୟା ପାଖାପାଖି ୨ ଗୁଣା ବଢିଛି। ଏଥିରେ ଏବେ ପ୍ରଶ୍ନ ଉଠୁଛି ଭାରତରେ ଯେତେବେଳେ ଧନୀକଙ୍କ ସଂଖ୍ୟା ବଢୁଛି ଏହି ଧନୀକମାନେ ସେମାନଙ୍କ ପଇସା ଖର୍ଚ୍ଚ କରୁଛନ୍ତି କେଉଁଠି?  ତେବେ ହୁରୁନ ଇଣ୍ଡିଆ ରିପୋର୍ଟ ଏ ନେଇ ବଡ଼ ଖୁଲାସା କରିଛି।

ହୁରୁନର ବିଶ୍ଲେଷକଙ୍କ କହିବା କଥା ହେଉଛି ଧନୀମାନେ ଏବେ କେବଳ ଆଭୂଷଣ ଅଥବା କାରରେ ସେମାନଙ୍କ ଟଙ୍କା ଖର୍ଚ୍ଚ କରୁ ନାହାନ୍ତି ବରଂ ସେମାନଙ୍କ ସମ୍ପତ୍ତି ଓ ଜୀବନଶୈଳୀ ସୁଧାର ପାଇଁ ବଡ଼ ନିବେଶ କରୁଛନ୍ତି। ଧନୀକଙ୍କ ସଂଖ୍ୟା ଉପରେ ନଜର ପକାଇଲେ ସବୁଠୁ ଅଧିକ କୋଟିପତି ଲୋକେ ମୁମ୍ବାଇରେ ରହୁଛନ୍ତି। ଏହା ପଛକୁ ରହିଛି ନୂଆ ଦିଲ୍ଲୀ ଓ ତା ପଛକୁ ବେଙ୍ଗାଲୁରୁର ସ୍ଥାନ। ସେହିପରି ଗୁରୁଗ୍ରାମ, ସୁରଟ ଓ ଲକ୍ଷ୍ନୌରେ ମଧ୍ୟ ଧନିକଙ୍କ ସଂଖ୍ୟା ଏବେ ବଢିବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଧନୀକମାନେ କେଉଁଠି ଖର୍ଚ୍ଚ କରୁଛନ୍ତି ସେମାନଙ୍କ ଟଙ୍କା।

ବିଳାଶମୟ ଘର, ସୁନା ଓ ସେୟାରରେ ସବୁଠୁ ଅଧିକ ନିବେଶ
ଭାରତୀୟ କୋଟିପତି ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗାଲୁରୁରେ ଲଗଜରୀ ରିୟଲ ଇଷ୍ଟେଟରେ ଭାରି ନିବେଶ କରୁଛନ୍ତି। ଏହା ଛଡା ଗୋଆ ଓ ହିମାଳୟରେ ସେକେଣ୍ଡ ହୋମ କିଣୁଛନ୍ତି। ରିପୋର୍ଟ ଅନୁସାରେ ଧନୀକଙ୍କ ଲାଗି ସେୟାର, ରିୟଲ ଇଷ୍ଟେଟ୍ ଓ ସୁନା ପସନ୍ଦର ବିକଳ୍ପ ହୋଇ ରହିଛି। ସର୍ଭେ ଅନୁସାରେ ଧନୀକଙ୍କ ମଧ୍ୟରେ ବିଳାଶମୟ କାର, ରିୟଲଇଷ୍ଟେଟ (ଫାର୍ମ ହାଉସ୍ ଓ ହଲିଡେ ଭିଲ୍ଲା) ଗ୍ଲୋବାଲ ଟ୍ରାଭେଲ, ଫ୍ୟାସନ ଓ ଲାଇଫଷ୍ଟାଇଲ, ଟେକ୍ନୋଲଜି ଓ ନିବେଶ ପ୍ରାଥମିକତା ହୋଇ ରହିଛି। ଜ୍ୱେଲରୀରେ ୭୫% ଧନୀକ ପ୍ରାକୃତିକ ହୀରାକୁ ପ୍ରାଥମିକତା ଦେଉଛନ୍ତି। ଅଧାରୁ ଅଧିକ କୋଟିପତିଙ୍କ ଏକାଧିକ କାର ରହିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ୩-୬ ବର୍ଷ ମଧ୍ୟରେ ଅପଗ୍ରେଡ କରୁଛନ୍ତି। ତେବେ ୪୦% ଅଧିକ ଧନୀକ ନିଜ ପାଖରେ ୬ ବର୍ଷରୁ ଅଧିକ କାଳ ଧରି କାର ରଖୁଛନ୍ତି।

ବୁଲାବୁଲିରେ କରୁଛନ୍ତି ଅଧିକ ଖର୍ଚ୍ଚ
ଖର୍ଚ୍ଚ କରିବାର ପ୍ରବୃତ୍ତିରୁ ଜଣାପଡୁଛି ଯେ ଭାରତୀୟ କୋଟିପତି ଅପେକ୍ଷାକୃତ ସନ୍ତୁଳିତ ଖର୍ଚ୍ଚ କରୁଛନ୍ତି। ଏମାନଙ୍କ ମଧ୍ୟରୁ ୬୦% ପରିବାରଙ୍କ ବାର୍ଷିକ ଖର୍ଚ୍ଚ ୧ କୋଟିରୁ କମ୍। ତେବେ ସେମାନେ ଅଧିକ ଖର୍ଚ୍ଚ ଟୁରିଜିମ (୩୨%), ଶିକ୍ଷା (୨୭%) ଓ ମନୋରଞ୍ଜନରେ ୨୨% ଖର୍ଚ୍ଚ କରୁଛନ୍ତି। ରିପୋର୍ଟ ଅନୁସାରେ ଆଗାମୀ ୫ ବର୍ଷରେ ଧନୀ ପରିବାରଙ୍କ ସଂଖ୍ୟାରେ ଦୁଇ ଅଙ୍କର ଅଭିବୃଦ୍ଧି ହେବ। ଏଣୁ ଭାରତ ବୈଶ୍ୱିକ ଧନ ସୃଜନର ଏକ ପ୍ରମୁଖ କେନ୍ଦ୍ରରେ ସାମିଲ ହେବାର ନିକଟତର ହେଲାଣି।