ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ୧୪୪-ଫଲ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନକୁ ନିର୍ବାଚନ କମିଶନ ରଦ୍ଦ କରିଛନ୍ତି। ଗତ ଏପ୍ରିଲ ୨୯ରେ ହୋଇଥିବା ମତଦାନ ସମୟରେ ବ୍ୟାପକ ଅନିୟମିତତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାର ଉଲ୍ଲଂଘନ ଅଭିଯୋଗକୁ ଭିତ୍ତି କରି କମିଶନ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ଫଲ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସାନି ମତଦାନ ହେବ।

ନିର୍ବାଚନ କମିଶନଙ୍କ ପ୍ରମୁଖ ନିଷ୍ପତ୍ତି

ସମସ୍ତ ବୁଥ୍ରେ ପୁନଃ ମତଦାନ: ଫଲ୍ତା ନିର୍ବାଚନ ମଣ୍ଡଳୀର ସମସ୍ତ ୨୮୫ଟି ମତଦାନ କେନ୍ଦ୍ରରେ ପୁଣିଥରେ ଭୋଟ୍ ଗ୍ରହଣ କରାଯିବ। ଆସନ୍ତା ମଇ ୨୧ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମତଦାନ ଅନୁଷ୍ଠିତ ହେବ। ଏହି ଆସନ ପାଇଁ ଭୋଟ୍ ଗଣତି ମଇ ୨୪ ତାରିଖରେ କରାଯିବ। ପଶ୍ଚିମବଙ୍ଗର ବାକି ୨୯୩ଟି ଆସନ ପାଇଁ ପୂର୍ବ ନିର୍ଦ୍ଧାରିତ ମଇ ୪ ତାରିଖରେ ହିଁ ଭୋଟ୍ ଗଣତି ହେବ।

କଡ଼ା ଆଭିମୁଖ୍ୟ: ପଞ୍ଚାୟତ ପ୍ରଧାନଙ୍କ ନାମରେ FIR

ଫଲ୍ତାର ହାସିମନଗର ଅଞ୍ଚଳରେ ଭୋଟରଙ୍କୁ ଭୟଭୀତ ଓ ଧମକ ଚମକ ଦେବା ଅଭିଯୋଗରେ ସ୍ଥାନୀୟ ପଞ୍ଚାୟତ ପ୍ରଧାନ ଇସ୍ରାଫିଲ ଚୌକିଦାରଙ୍କ ବିରୋଧରେ FIR ରୁଜୁ ହୋଇଛି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୩ ଜଣ ଟିଏମସି କର୍ମକର୍ତ୍ତାଙ୍କୁ ଗିରଫ କରିଛି।

ନିର୍ବାଚନ କମିଶନ ଡାଇମଣ୍ଡ ହାର୍ବର ଜିଲ୍ଲା ପୋଲିସକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଅବହେଳା କରାଯାଏ, ତେବେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କାହିଁକି ରଦ୍ଦ ହେଲା ମତଦାନ ?

ସୂଚନାଯୋଗ୍ୟ ଯେ, ଗତ ୨୯ ଏପ୍ରିଲରେ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ମତଦାନ ବେଳେ ଫଲ୍ତାରେ ବହୁ ସଂଖ୍ୟାରେ ନିର୍ବାଚନୀ ଅପରାଧ ଘଟିଥିବା ରିପୋର୍ଟ ମିଳିଥିଲା। ଯଦିଓ ସ୍ଵତନ୍ତ୍ର ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତା କେବଳ ୩୦ଟି ବୁଥ୍ରେ ପୁନଃ ମତଦାନ ପାଇଁ ସୁପାରିଶ କରିଥିଲେ, କିନ୍ତୁ ନିର୍ବାଚନର ସ୍ୱଚ୍ଛତା ବଜାୟ ରଖିବା ପାଇଁ କମିଶନ ପୂରା ନିର୍ବାଚନ ମଣ୍ଡଳୀରେ ନୂଆ କରି ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।