LIVE TV

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ, ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବଂଶଧାରା

NEWS7
EIC

ଭୁବନେଶ୍ବର ୪।୧୦: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ । ସେ କହିଛନ୍ତି, ବଂଶଧାରା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । କେବଳ ଖୋର୍ଦ୍ଧା ଓ ବାଲିଆପାଳ ବ୍ଲକ୍‌ରେ ୫୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବାକି ସ୍ଥାନରେ ବର୍ଷା କମ୍ ରେକର୍ଡ କରାଯାଇଛି । ତେଣୁ ବନ୍ୟା ସ୍ଥିତି ନାହିଁ । ବଂଶଧାରା ନଦୀ ପାଇଁ କାଶୀନଗରରେ ବିପଦ ସଂକେତ ୫୪.୬ ମିଟର ଥିବାବେଳେ ଜଳସ୍ତର ତା ତଳେ ରହିଛି । ବଂଶଧାରାକୁ ବାଦ୍ ଦେଲେ ଅନ୍ୟ ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଛନ୍ତି । ମହାନଦୀ ନରାଜରେ ବିପଦ ସଂକେତର ୨.୪୩ ମି. ତଳେ ପ୍ରବାହିତ ହେଉଛି । ବ୍ରାହ୍ମଣୀ ଜେନାପୁରରେ ୩.୪୨ ମିଟର, ବୈତରଣୀ ଆଖୁଆପଦାରେ ୧.୦୬ ମିଟର ତଳେ ପ୍ରବାହିତ ହେଉଛି ।

ସେପଟେ ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ ରହିଥିବା ବେଳେ ଏବେ ହୀରାକୁଦରେ ଜଳସ୍ତର ରହିଛି ୬୨୭.୮୯ ଫୁଟ ରହିଛି । ପାଖାପାଖି ୧ ଲକ୍ଷ ୩୩ ହଜାର ଘନଫୁଟ ଜଳ ଜଳଭଣ୍ଡାରରେ ପ୍ରବେଶ କରୁଛି । ଏହି ପରିମାଣର ପାଣି ମଧ୍ୟ ନିଷ୍କାସିତ ହେଉଛି । ୬ଟି ଗେଟ୍ ଖୋଲା ଅଛି । ଖୁବ୍ ଶୀଘ୍ର ଆଉ ତିନୋଟି ଗେଟ୍ ବନ୍ଦ ହେବ । ତିନୋଟି ଫାଟକ ଓ ପାୱାର ହାଉସ, କେନାଲ ଦେଇ ଜଳ ନିଷ୍କାସିତ ହେବ । ରେଙ୍ଗାଲିର ସର୍ବୋଚ୍ଚ ଜଳସ୍ତର ୧୨୩.୫ ମିଟର ଥିବାବେଳେ ଏହି ପରିମାଣର ଜଳ ଜଳଭଣ୍ଡାରରେ ମହଜୁଦ ଅଛି । ପ୍ରତି ସେକେଣ୍ଡରେ ୭୯୦ ଘନ ମିଟର ଜଳ ଜଳଭଣ୍ଡାରରେ ପ୍ରବେଶ କରୁଥିବା ବେଳେ ୭୧୦ ଘନ ମିଟର ଜଳ ନିଷ୍କାସିତ ହେଉଛି । ସବୁ ଫାଟକ ବନ୍ଦ ଅଛି । କେବଳ ପାୱାର ହାଉସ୍ ଦେଇ ଜଳ ଯାଉଛି । ଏଇ ଲଘୁଚାପ ଜନିତ ବର୍ଷାରେ ଜଳଭଣ୍ଡାରରେ ଯେତିକି ଜଳ ରହିବା କଥା ସେତିକି ଜଳ ମହଜୁଦ ଥିବା କହିଛନ୍ତି ଚନ୍ଦ୍ର ଶେଖର ପାଢ଼ୀ । 

ଦକ୍ଷିଣ ଓଡ଼ିଶା ଜିଲ୍ଲା ଜଳଭଣ୍ଡାରରେ ଜଳ କମ୍ ଥିଲା । ଲଘୁଚାପ ଯୋଗୁଁ ପାଣି ଭଲ ଗଚ୍ଛିତ ହୋଇଛି । ଇନ୍ଦ୍ରାବତୀରେ ୮୮ ପ୍ରତିଶତ ପାଣି ଭର୍ତ୍ତି ହୋଇଛି । ଅପର କୋଲାବରେ ୯୧ ପ୍ରତିଶତ, ବାଲିମେଳାରେ ୭୨, ମାଛକୁଣ୍ଡରେ ୯୬ ପ୍ରତିଶତ ଜଳ ଭର୍ତ୍ତି ହୋଇଛି । ଅନ୍ୟପଟେ ସାଳନ୍ଦୀରେ ୭୫ ପ୍ରତିଶତ ଓ ଲୋୟର ଇନ୍ଦ୍ରରେ ୯୦ ପ୍ରତିଶତ ପାଣି ଭର୍ତ୍ତି ହୋଇଛି । ବିଗତ ବର୍ଷ ତୁଳନାରେ ଭଲ ପୋଜିସନ ଅଛି । ଆଗାମୀ ସମୟରେ କାମରେ ଆସିବ ବୋଲି କହିଛନ୍ତି । ସେହିଭଳି ୪୮ଟି ମଧ୍ୟମ ଧରଣର ଜଳଭଣ୍ଡାରରୁ ୩୮ଟି ଜଳଭଣ୍ଡାରରେ ୭୫ ପ୍ରତିଶତ ପାଣି ଗଚ୍ଛିତ ହୋଇଛି ।