ଚେନ୍ନାଇ: ତାମିଲନାଡୁର ସି. ଜୋସେଫ୍ ବିଜୟଙ୍କ ନେତୃତ୍ବାଧୀନ ସରକାର ଏକ ବଡ଼ ବିବାଦ ଘେରକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ନିଜର ରିଲିଜ୍‌ ହୋଇନଥିବା ଶେଷ ଚଳଚ୍ଚିତ୍ର 'ଜନ ନାୟଗନ୍'ର ପ୍ରଯୋଜକ ତଥା ବ୍ୟବସାୟୀ କେ. ଭେଙ୍କଟ ନାରାୟଣଙ୍କୁ ନୂଆଦିଲ୍ଲୀରେ ତାମିଲନାଡୁର 'ସ୍ୱତନ୍ତ୍ର ପ୍ରତିନିଧି' ଭାବରେ ନିଯୁକ୍ତ କରିଛନ୍ତି।

ଏହି ନିଯୁକ୍ତିକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ Conflict of Interest ବା ବ୍ୟକ୍ତିଗତ ଫାଇଦା ପାଇଁ ପଦବୀର ବ୍ୟବହାର କରାଯାଉଥିବା ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ଗତ ମେ ମାସରେ ଯେତେବେଳେ ଟିଭିକେ (TVK) ମୁଖ୍ୟ ଜୋସେଫ୍ ବିଜୟ ତାମିଲନାଡୁରେ ସରକାର ଗଠନର ଦାବି ନେଇ ରାଜଭବନ ଯାଇଥିଲେ, ସେତେବେଳେ ତାଙ୍କ ସହ କେ. ଭେଙ୍କଟ ନାରାୟଣ ମଧ୍ୟ ଉପସ୍ଥିତ ଥିଲେ। ଏହାର ଠିକ୍ ମାସେ ପରେ ତାଙ୍କୁ ସରକାରଙ୍କ ପକ୍ଷରୁ ଏକ ବଡ଼ ଦାୟିତ୍ୱ ଦିଆଯାଇଛି।

ନୂଆଦିଲ୍ଲୀରେ ରାଜ୍ୟର 'ସ୍ୱତନ୍ତ୍ର ପ୍ରତିନିଧି' ପଦବୀଟି ସାଧାରଣତଃ ଜଣେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମକକ୍ଷ ଅଟେ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ଜଟିଳ ସମ୍ପର୍କ ଏବଂ ବିଭିନ୍ନ ଯୋଜନାର ସମନ୍ୱୟ ରକ୍ଷା କରିବା ପାଇଁ ଏହି ପଦବୀ ବହୁତ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ମୁଖ୍ୟ ଶାସନ ସଚିବ ଏମ୍. ସାଇ କୁମାରଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଏହି ଅସ୍ଥାୟୀ ପଦବୀଟି ପ୍ରଥମେ ଏକ ବର୍ଷ ପାଇଁ ସୃଷ୍ଟି କରାଯାଇଛି। ଭେଙ୍କଟ ନାରାୟଣଙ୍କ ନିଯୁକ୍ତିର ଅନ୍ୟାନ୍ୟ ସର୍ତ୍ତାବଳୀ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି କୁହାଯାଇଛି।

କେ. ଭେଙ୍କଟ ନାରାୟଣ କିଏ ?
କେ. ଭେଙ୍କଟ ନାରାୟଣ ହେଉଛନ୍ତି ବେଙ୍ଗାଲୁରୁ ପ୍ରସିଦ୍ଧ ବ୍ୟବସାୟିକ ପ୍ରତିଷ୍ଠାନ 'କେଭିଏନ୍ ଗ୍ରୁପ୍' ର ଚେୟାରମ୍ୟାନ୍। ଏହାସହ ସେ ଜଣେ ବଡ଼ ଚଳଚ୍ଚିତ୍ର ପ୍ରଯୋଜକ। ମୁଖ୍ୟମନ୍ତ୍ରୀ ବିଜୟ ରାଜନୀତିରେ ସକ୍ରିୟ ହେବା ପୂର୍ବରୁ ଯେଉଁ ଶେଷ ସିନେମା 'ଜନ ନାୟଗନ୍' ରେ ଅଭିନୟ କରିଛନ୍ତି, ତାହାର ପ୍ରଯୋଜନା ଦାୟିତ୍ୱ ଏହି କେଭିଏନ୍ ଗ୍ରୁପ୍ ହାତରେ ରହିଛି। ଭେଙ୍କଟ ନାରାୟଣଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନାହିଁ। ସେଥିପାଇଁ ବିରୋଧୀ ଦଳଗୁଡ଼ିକ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। 

ବିରୋଧୀଙ୍କ ଅଭିଯୋଗ ଅନୁସାରେ, ମୁଖ୍ୟମନ୍ତ୍ରୀ ବିଜୟ ନିଜ ସିନେମାର ପ୍ରଯୋଜକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀ ଓ କ୍ୟାବିନେଟ୍ ମନ୍ତ୍ରୀର ମାନ୍ୟତା ଦେଇ ନିଜ ପଦବୀର ଦୂରୁପଯୋଗ କରିଛନ୍ତି। ଦିଲ୍ଲୀରେ ରାଜ୍ୟର ପ୍ରତିନିଧିତ୍ୱ କରିବା ପାଇଁ ରାଜନୈତିକ ଏବଂ ପ୍ରଶାସନିକ ଅଭିଜ୍ଞତା ଆବଶ୍ୟକ, କିନ୍ତୁ ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ଏଭଳି ଦାୟିତ୍ୱ ଦେବା ଦ୍ୱାରା ରାଜ୍ୟର ସ୍ୱାର୍ଥ ପ୍ରଭାବିତ ହୋଇପାରେ ବୋଲି ବିରୋଧୀ କହିଛନ୍ତି।

​​​​​​​