ପାଟନା ୩୧।୧୦:  ବିହାର ମୋକାମାରେ ଦୁଲାରଚନ୍ଦ ଯାଦବଙ୍କ ହତ୍ୟା ପରେ ପରିସ୍ଥିତି ବିଗିଡିବାରେ ଲାଗିଛି। ସୂଚନା ଅନୁଶାରେ ଶୁକ୍ରବାର ଶବଯାତ୍ରା କାଳରେ ଅପରପକ୍ଷ ଲୋକଙ୍କ ସହ ପୁଣି ସଂଘର୍ଷ ହୋଇଛି। ଫଳରେ ଉଭୟପକ୍ଷ ମଧ୍ୟରେ ଗୁଳିବିନିମୟ ଓ ଟେକାପଥର ମାଡ଼ ହୋଇଛି। ପୋଲିସ ଅନନ୍ତ ସିଂହଙ୍କ ସହିତ ଅନ୍ୟମାନଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ କରିଛି। ମୋକାମାରୁ ଜନସୁରାଜ ପାର୍ଟି ପ୍ରାର୍ଥୀ ପିୟୁଷ ପ୍ରିୟଦର୍ଶି ଓରଫ ଲଲ୍ଲୁ ମୁଖିଆଙ୍କ ସମର୍ଥନରେ ଦୁଲାରଚନ୍ଦ ନିର୍ବାଚନ ପ୍ରଚାର କରୁଥିଲେ।

ଏହି ନିର୍ବାଚନ ପ୍ରଚାରରେ ସେ ଏନଡିଓ ପ୍ରାର୍ଥୀ ତଥା ବାହୁବଳି ନେତା ଅନନ୍ତ ସିଂହଙ୍କ ବିରୋଧରେ ବୟାନବାଜୀ ମଧ୍ୟ କରୁଥିଲେ। ଏହି କ୍ରମରେ ଗୁରୁବାର ଦୁଲାରଚନ୍ଦ ତାରତାର ଗ୍ରାମରେ ନିର୍ବାଚନ ପ୍ରଚାର କରୁଥିବାବେଳେ ପ୍ରଥମେ ତାଙ୍କୁ ଠେଙ୍ଗାବାଡିରେ ପିଟା ଯାଇଥିଲା ଓ ପରେ ଗୁଳି କରି ହତ୍ୟା କରାଯାଇଥିଲା। ଦୁଲାରଚନ୍ଦଙ୍କ ହତ୍ୟା ପରେ ତାଙ୍କ ସମର୍ଥକ ପାର୍ଥିବ ଶରୀର ନେଇ ଫେରୁଥିବା ବେଳେ ପରିସ୍ଥିତି ଆହୁରି ବିଗିଡି ଯାଇଥିଲା। ପଣ୍ଡାରକ ନିକଟରେ ଦୁଲାରଚନ୍ଦଙ୍କ ସମର୍ଥକ ଓ ଅପରପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ମୋକାମା ଟାଲ କ୍ଷେତ୍ରରେ ଏବେବି ଉତ୍ତେଜନା ଚରମରେ ରହିଛି।

ଦୁଲାରଚନ୍ଦଙ୍କ ପରିବାର ସିଧାଶଳଖ ହତ୍ୟାକଣ୍ଡ ପାଇଁ ଅନନ୍ତ ସିଂହଙ୍କୁ ଦାୟି କରିଛନ୍ତି। ଦୁଲାରଚନ୍ଦ ଯାଦବଙ୍କ ନାତି ରବି ରଞ୍ଜନ କହିଛନ୍ତି ଯେ ତାଙ୍କ ଜେଜେ ଗଣତାନ୍ତ୍ରିକ ଉପାୟରେ ଅନନ୍ତ ସିଂହଙ୍କ ବିରୋଧରେ ଲଢେଇ ଲଢୁଥିଲେ। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଜେଜେଙ୍କୁ ହତ୍ୟା କରାଯାଇଛି ଓ ସେ ଭାବୁଛନ୍ତି ତାଙ୍କର ମଧ୍ୟ ହତ୍ୟା ହୋଇପାରେ। ରବିରଞ୍ଜନ କହିଛନ୍ତି ଯେ ଆମେ ପାଠ ପଢା ଲୋକ ଆମର ଏକେ-୪୭ ସହ କୌଣସି ସମ୍ପର୍କ ନାହିଁ। ତେବେ ପୋଲିସ ପ୍ରଶାସନ ଅପରାଧୀଙ୍କୁ ଘଣ୍ଟ ଘୋଡାଉଛି।   

ପରିବାରର ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏହି ମାମଲାରେ ବାହୁବଳି ନେତା ତଥା ଏନଡିଏ ପ୍ରାର୍ଥୀ ଅନନ୍ତ ସିଂହଙ୍କୁ ଅଭିଯୁକ୍ତ କରାଯାଇଛି। ଦୁଲାରଚନ୍ଦଙ୍କ ହତ୍ୟା ପରେ ତାରତାର ଗାଁରେ କୌଣସି ପ୍ରକାରର ଅପ୍ରିୟ ଘଟଣା ଆଶଙ୍କାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଦୁଲାରସିଂହ ଯାଦବ ତାଙ୍କ ସମୟରେ ଟାଲର ଜଣେ ଗ୍ୟାଙ୍ଗଷ୍ଟର ଥିଲେ ଓ ପରେ ଅନନ୍ତ ସିଂହଙ୍କ ପାଇଁ ଚ୍ୟଲେଞ୍ଜ ପାଲଟିଯାଇଥିଲେ।