ନୂଆଦିଲ୍ଲୀ: ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଭାରତର ପ୍ରଥମ ବେସରକାରୀ ବା ପ୍ରାଇଭେଟ୍ ରକେଟ୍ 'ବିକ୍ରମ-୧' (Vikram-I) ମହାକାଶକୁ ଉଡ଼ାଣ ଭରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ହାଇଦ୍ରାବାଦର ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ 'ସ୍କାଇରୁଟ୍ ଏରୋସ୍ପେସ୍' (Skyroot Aerospace) ଦ୍ୱାରା ନିର୍ମିତ ଏହି ରକେଟର ଚିତ୍ର ମଧ୍ୟ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏହି ରକେଟ୍ର ଦ୍ୱିତୀୟ ପର୍ଯ୍ୟାୟ ନିୟୋଜନ କାମ ସଫଳତାର ସହ ଶେଷ ହୋଇଛି ।

ଉଡ଼ାଣ ପାଇଁ 'ବିକ୍ରମ-୧' ପ୍ରସ୍ତୁତ

ସ୍କାଇରୁଟ୍ ଏରୋସ୍ପେସ୍ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, 'ବିକ୍ରମ-୧' ରକେଟ୍ ମହାକାଶକୁ ଯିବା ପାଇଁ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଅଛି। ଏହି ରକେଟ୍ ମୋଟ ଚାରୋଟି ପର୍ଯ୍ୟାୟ ବିଶିଷ୍ଟ । ରକେଟର ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ଯାହାକୁ 'କଲାମ-୨୫୦' (Kalam-250) ନାମରେ ନାମିତ କରାଯାଇଛି। ଆଗାମୀ ଦୁଇଟି ପର୍ଯ୍ୟାୟର କାର୍ଯ୍ୟ ଶେଷ ହେବା ମାତ୍ରେ ଏହାକୁ ଉତକ୍ଷେପଣ ପାଇଁ ସ୍ଲଟକୁ ପଠାଯିବ ।

'ବିକ୍ରମ-୧' ରକେଟର ପ୍ରମୁଖ ବୈଶିଷ୍ଟ୍ୟ

ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟରେ ଅନେକ ଆଧୁନିକ ଏବଂ ପ୍ରଭାବଶାଳୀ ବୈଶିଷ୍ଟ୍ୟ ରହିଛି ।ଏହି ରକେଟର ଓଜନ ଖୁବ କମ କିନ୍ତୁ ଅଧିକ ମଜଭୁତ । ଏଥିପାଇଁ ଏଥିରେ 'କାର୍ବନ କମ୍ପୋଜିଟ୍ ମ୍ୟାଟେରିଆଲ୍' (Carbon Composite Material) ବ୍ୟବହାର କରାଯାଇଛି।

ରକେଟ୍ ମଧ୍ୟରେ ଥିବା କଠିନ ଇନ୍ଧନ (Solid Fuel) ଯେତେବେଳେ ଜଳେ, ସେତେବେଳେ ପ୍ରଚଣ୍ଡ ଉତ୍ତାପ ସୃଷ୍ଟି ହୁଏ। ରକେଟକୁ ଏହି ଭୟଙ୍କର ଉତ୍ତାପରୁ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ରବର୍ ସୁରକ୍ଷା କବଚ ଲଗାଯାଇଛି। ମହାକାଶକୁ ଯିବା ସମୟରେ ଦ୍ରୁତ ପବନ ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ରକେଟ୍ ଯେପରି ନିଜ ରାସ୍ତାରୁ ଭ୍ରମିତ ନହେବ, ସେଥିପାଇଁ ଏଥିରେ ଅତ୍ୟାଧୁନିକ ନେଭିଗେସନ୍ ଟେକ୍ନୋଲୋଜି ଖଞ୍ଜା ଯାଇଛି।