କଟାରା ୧୨।୯: ଖରାପ ପାଗ ଓ ଟ୍ରାକ୍ ର ଆବଶ୍ୟକ ମରାମତି ନିମନ୍ତେ ଅସ୍ଥାୟୀ ରୂପେ ବନ୍ଦ କରାଯାଇଥିବା ବୈଷ୍ଣୋଦେବୀ ଯାତ୍ରା ପୁଣି ଆରମ୍ଭ ହେବ। ପାଗରେ ସୁଧାର ଦେଖି ସ୍ରାଇନବୋର୍ଡ ନବରାତ୍ର ପୂର୍ବରୁ ଯାତ୍ରା ଆରମ୍ଭ କରିବାକୁ ଅଧିକାରୀକ ଭାବେ ଘୋଷଣା କରିଛନ୍ତି। ଏଣୁ ସେପ୍ଟେମ୍ବର ୧୪ ତାରିଖରୁ ପୁଣି ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ ହେବ ବୋଲି ଆକଳନ କରାଯାଉଛି। ଏହି ଯାତ୍ରା ପିଛିଲା ୧୭ ଦିନ ହେଲା ସ୍ଥଗିତ ରହିଛି।

ପୁଣି ଥରେ ଆରମ୍ଭ ହେବାକୁ ଯାଉଥିବା ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କୁ ସାଙ୍ଗରେ ନିଜର ପରିଚୟପତ୍ର ଓ ଆରଏଫଆଇଡି ଆଧାରିତ ଟ୍ରାକିଂ କାର୍ଡ ନିଜସଙ୍ଗରେ ନିଶ୍ଚିତ ରଖନ୍ତୁ ବୋଲି ସ୍ରାଇନବୋର୍ଡ ପରାମର୍ଶ ଦେଇଛନ୍ତି। ସ୍ରାଇନବୋର୍ଡ ଭକ୍ତଙ୍କୁ ଯାତ୍ରା କାଳରେ ନିର୍ଦ୍ଧାରିତ ମାର୍ଗ ଅବଲମ୍ବନ କରିବାକୁ ଓ କର୍ମଚାରୀଙ୍କ ସହିତ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏଣୁ ଶ୍ରଦ୍ଧାଳୁ ଲାଇଭ ଅପଡେଟ୍, ବୁକିଂ ସେବା ଓ ହେଲ୍ପଲାଇନ ସହାୟତା ନିମନ୍ତେ ସ୍ରାଇନବୋର୍ଡର ଅଧିକାରୀକ ୱେବସାଇଟ୍ କୁ ଫଲୋ କରିବାକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଭୀଷଣ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ମାତା ବୈଷ୍ଣୋ ଦେବୀ ଯାତ୍ରା ମାର୍ଗ ପ୍ରଭାବିତ ହୋଇଥିଲା। ଏହା ପରେ ପ୍ରଶାସନ ତୀର୍ଥ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରା ସ୍ଥଗିତ କରିଦେଇଥିଲେ। ରିପୋର୍ଟ ଅନୁସାରେ ବର୍ଷା ଯୋଗୁ ହିମକୋଟି ମାର୍ଗରେ ୩୦ ଫୁଟ ଉଚ୍ଚର ଅବଶେଷ ଜମା ହୋଇଯାଇଥିଲା। ଏହା ଛଡା ରାସ୍ତା ଉପରକୁ ବଡ଼ବଡ଼ ପଥର ଗଡ଼ି ଆସିଥିଲା। ଏଣୁ ଯାତ୍ରା ବନ୍ଦ କରିବାକୁ ପଡିଥିଲା। ଗୁମ୍ଫା ମନ୍ଦିରକୁ ସଂଯୁକ୍ତ କରୁଥିବା ରାସ୍ତାରେ ବ୍ୟାପକ ମରାମତି  ଓ ସାଫ ସଫେଇ କାମ ଚାଲିଥିଲା। ଏହି କାମ ଏବେ ଶେଷ ହୋଇଛି।

ଅଗଷ୍ଟ ୨୬ ତାରିଖରେ ହୋଇଥିବା ଭୂସ୍ଖଳନ ପରେ ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ କରିଦିଆଯାଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ଏଣୁ ପ୍ରଶାସନ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ବୈଷ୍ଣୋଦେବୀ ଯାତ୍ରା ସ୍ଥଗିତ କରିଥିଲେ।